
ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ୯୦ ବର୍ଷ ବୟସରେ ପାଦ ଥାପିଛନ୍ତି । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୯୦ ତମ ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ମୁଁ ପ୍ରାର୍ଥନା କରୁଛି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ମନମୋହନ ସିଂଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ଭାରତର ଜଣେ ଶ୍ରେଷ୍ଠ ରାଜନେତା ମନମୋହନ ସିଂ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ନମ୍ରତା, ଉତ୍ସର୍ଗୀକୃତତା ଏବଂ ଭାରତର ବିକାଶରେ ଅବଦାନର କିଛି ତୁଳନା ନାହି। ସେ ମୋ ପାଇଁ ଏବଂ ଅନ୍ୟ ଭାରତୀୟଙ୍କ ପାଇଁ ଏକ ପ୍ରେରଣାର ଉତ୍ସ। ମୁଁ ତାଙ୍କର ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି।
ମନମୋହନ ୨୬ ସେପ୍ଟେମ୍ବର ୧୯୩୨ ରେ ପଞ୍ଜାବର ଗାହ ଗ୍ରାମରେ ଦେଶ ବିଭାଜନ ପୂର୍ବରୁ ଜନ୍ମଗ୍ରହଣ କରିଥିଲେ। ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ, କେମ୍ବ୍ରିଜ ଏବଂ ଅକ୍ସଫୋର୍ଡରେ ଅଧ୍ୟୟନ କରିଥିଲେ। ଲଗାତାର ଦୁଇ ଥର ସେ ଦେଶର ପ୍ରଧାନମନ୍ତ୍ରୀ ପଦରେ କାର୍ଯ୍ୟ କରିଥିଲେ। ସେ ଜଣେ ଜଣାଶୁଣା ଅର୍ଥନୀତିଜ୍ଞ । ସେ ୧୯୯୦ ଦଶକରେ ଦେଶରେ ବ୍ୟାପକ ସଂସ୍କାର ଆରମ୍ଭ କରିଥିଲେ
ଭାରତୀୟ ଇତିହାସର ଜଣେ ଶ୍ରେଷ୍ଠ ଅର୍ଥନୀତିଜ୍ଞ ଭାବେ ମନମୋହନଙ୍କର ପ୍ରଖର ଖ୍ୟାତି ରହିଥିବା ବେଳେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏକ ନୂଆ ଦିଗନ୍ତ ଦେବା ଦିଗରେ ସେ ଯଥେଷ୍ଟ ପ୍ରଚେଷ୍ଟା କରି ସଫଳ ହୋଇଛନ୍ତି । ୧୯୯୧ ମସିହାରେ ତାଙ୍କ ଉଦାରୀକରଣର ପ୍ରଭାବରେ ଏକ ନୂଆ ଓ ଭିନ୍ନ ଭାରତ ତିଆରି ହୋଇଛି । ତେବେ ପ୍ରଧାନମନ୍ତ୍ରୀ ଭାବେ ଏକ ଦଶନ୍ଧୀର ଦାୟିତ୍ୱ ନେଇଥିବା ମନମୋହନ ସିଂ ଭାରତ ପାଇଁ ଅନେକ କଥା କରିଛନ୍ତି ।
ତେବେ ତାଙ୍କ ଜନ୍ମଦିନରେ ଆଜି ତାଙ୍କ ସମ୍ପର୍କରେ ଏମିତି ୫ଟି କଥା ଜାଣିବା ଯାହା ଖୁବ୍ କମ୍ ଆଲୋଚିତ ପ୍ରସଙ୍ଗ-
ହିନ୍ଦୀ ପଢ଼ିବା ଜାଣିନଥିଲେ-
ଭାରତରେ ଥିବା ଭାଷାଗତ ବିବିଧତାର ଏକ ବଡ଼ ଉଦାହରଣ ହେଲେ ମନମୋହନ ସିଂ । ଦେଶର ଅଧିକାଂଶ ରାଜ୍ୟ ହିନ୍ଦୀଭାଷୀ ହୋଇଥିଲେ ମଧ୍ୟ ନିଜେ ପ୍ରଧାନମନ୍ତ୍ରୀ ମନମୋହନ ସିଂ ହିନ୍ଦୀ ପଢିବା ଜାଣିନଥିଲେ । ହିନ୍ଦୀ ଲିପିକୁ ପଢିବାରେ ତାଙ୍କୁ ବହୁ ସମସ୍ୟା ହେଉଥିଲା । ସେଥିପାଇଁ କାର୍ଯ୍ୟାଳୟରେ ତାଙ୍କ ପଠନ ବିଷୟବସ୍ତୁକୁ ଉର୍ଦ୍ଦୁ ଭାଷାରେ ଲେଖିବାକୁ ପଡ଼ୁଥିଲା । ଏପରିକି ତାଙ୍କ ଭାଷଣକୁ ମଧ୍ୟ ଉର୍ଦ୍ଦୁ ଭାଷାରେ ଲେଖିବାକୁ ପଡ଼ୁଥିଲା । ମନମୋହନ ହିନ୍ଦୀ ଓ ଇଂଗ୍ରାଜୀ ଭାଷାରେ ପଢ଼ିବାକୁ ପସନ୍ଦ କରୁଥିଲେ ।
ଲାଜକୁଳା ସ୍ୱଭାବରେ ବ୍ୟକ୍ତିତ୍ୱ ଥିଲେ –
ମନମୋହନ ପିଲାବେଳୁ ହିଁ ଜଣେ ଲାଜକୁଳା ସ୍ୱଭାବର ମଣିଷ ଥିଲେ । ଏପରିକି କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ବେଳେ ମଧ୍ୟ ସେ ନିଜ ସହପାଠୀଙ୍କ ସହ ମିଳାମିଶା କରୁଥିଲେ । ବ୍ୟକ୍ତିଗତ ଜୀବନରେ ତାଙ୍କ କମ୍ ବନ୍ଧୁ ମଧ୍ୟ ରହିଛନ୍ତି । ବିବିସି ନ୍ୟୁଜ ଚ୍ୟାନେଲକୁ ଏକ ସାକ୍ଷାତକାର ଦେବା ସମୟରେ ମନମୋହନ କହିଥିଲେ ଯେ ସେ ଆଦୌ ମେଳାପୀ ନୁହଁନ୍ତି ଓ ଛାତ୍ରାବାସରେ ସେ ଭୋରରୁ ଉଠି ନିଜ ନିତ୍ୟକର୍ମ ସାରନ୍ତି । ସକାଳ ଛାତ୍ରାବାସରେ ନିତ୍ୟକର୍ମ ପାଇଁ ଗହଳି ହେବା ପୂର୍ବରୁ ସେ ଏହିଭଳି କରିବା ପସନ୍ଦ କରନ୍ତି ।
ପିଲା ବେଳେ ମା’ଙ୍କୁ ହରାଇଥିଲେ –
ମନମୋହନ ଛୋଟ ଥିବା ବେଳେ ନିଜ ମାଆଙ୍କୁ ହରାଇଥିଲେ । ନିଜ ଜେଜେ ମାଆଙ୍କ ପାଖରେ ତାଙ୍କର ଲାଳନପାଳନ ହୋଇଥିଲା । ପଞ୍ଜାବର ଏକ ଗାଁରେ ସେ ନିଜ ଜେଜେ ମାଙ୍କ ସହ ରହୁଥିଲେ । ଏବେ ଉକ୍ତ ଗାଁଟି ପାକିସ୍ତାନର ଅଂଶବିଶେଷ ।
ବିନା ବିଦ୍ୟୁତରେ ୧୨ ବର୍ଷ-
ଜୀବନର ୧୨ ବର୍ଷ ବିନା ବିଦ୍ୟୁତ୍ ସେବାରେ କାଟିଛନ୍ତି ମନମୋହନ ସିଂ । ମନମୋହନଙ୍କ
ଗ୍ରାମରେ ପିଇବା ପାଣି, ସ୍କୁଲ ଓ ବିଦ୍ୟୁତ୍ ସେବାର ସୁବିଧା ନଥିଲା । ଏପରିକି ପାଖରେ ସ୍କୁଲ ନଥିବା ହେତୁ ତାଙ୍କୁ ଦୁଇରୁ ତିନି ମାଇଲ ଚାଲିଚାଲି ଯିବାକୁ ପଡ଼ୁଥିଲା । ଜୀବନର ପ୍ରାରମ୍ଭରେ ଯଥେଷ୍ଟ ସଂଘର୍ଷ କରିଥିବା ଶ୍ରୀ ସିଂ ପିଲାବେଳେ ବିଦ୍ୟୁତ ନେଇ ସବୁଠାରୁ ଅଧିକ ସମସ୍ୟାରେ ଥିବା କଥା କୁହନ୍ତି । ସେ ନିଜ କହିଛନ୍ତି ଯେ ବିଦ୍ୟୁତ ବିନା ବଞ୍ଚିବା ସମ୍ଭବ ପର ନଥିଲେ ମଧ୍ୟ ସେ ସେହି ପରିସ୍ଥିତି ସହ ସାଲିସ କରିଥିଲେ । ମାତ୍ର ବିଦ୍ୟୁତ ବିନା ତାଙ୍କ ପାଠ ପଢାରେ ମଧ୍ୟ ଅବହେଳା ହୋଇଥିଲା, ଯାହା ତାଙ୍କୁ ସେ ସମୟରେ ମର୍ମାହତ କରୁଥିଲା ।
ପାକିସ୍ତାନ ଛାଡ଼ି ଭାରତ ଆସିଥିଲେ-
୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ବେଳେ ମନମୋହନଙ୍କ ପରିବାର ଭାରତରେ ମିଶିବାକୁ ପସନ୍ଦ କରିଥିଲେ । ସେତେବେଳେ ତାଙ୍କୁ ୧୪ ବର୍ଷ ବୟସ ହୋଇଥିଲା । ପରିବାର ସହ ସେ ପଞ୍ଜାବର ଅମୃତସରରେ ଆସି ରହିଥିଲେ ।