ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିଦେଶୀ ଷଡଯନ୍ତ୍ର ଅଭିଯୋଗକୁ ଶାହବାଜ ସରିଫ୍‌ଙ୍କ ଖଣ୍ଡନ, ସଂପୃକ୍ତି ଥିବା ନେଇ ପ୍ରମାଣ ମିଳେ ପଦ ଛାଡ଼ିଦେବେ

ଇସ୍‌ଲାମାବାଦ: ପାକିସ୍ତାନକୁ ମିଳିଛି ତାର ନୂଆ ପ୍ରଧାନମନ୍ତ୍ରୀ |୨୩ତମ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ପାକିସ୍ତାନର ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫଙ୍କ ବଡ଼ ଭାଇ ତଥା ୭୦ ବର୍ଷୀୟ ଶାହବାଜ୍‌ ସରିଫ୍‌ | ଶାହବାଜ ସରିଫ୍‌ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ବେଳେ କହିଛନ୍ତି ଯେ ସେ ଦେଶର ସେବକ (ଖାଦିମ୍‌-ଏ-ପାକିସ୍ତାନ) ଭାବେ କାର୍ଯ୍ୟ କରିବେ ଏବଂ ଲୋକଙ୍କୁ ନ୍ୟାୟ ଦେବେ। ଦେଶରେ କୌଣସି କ୍ଷେତ୍ରରେ ବି ଅଚଳାବସ୍ଥା ରହିବାକୁ ଦେବେନାହିଁ ଏବଂ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସବୁ ବିବାଦର ସମାଧାନ ହେବ ବୋଲି ସେ କହିଛନ୍ତି।

ଇମ୍ରାନ୍‌ ଖାନ୍‌ ସରକାରକୁ ହଟାଇବାରେ ବିଦେଶୀ ଷଡ଼ଯନ୍ତ୍ର ହୋଇଥିବା ଏବଂ ଏଥିରେ ତାଙ୍କର ସଂପୃକ୍ତି ଅଭିଯୋଗ ନେଇ ସେ କହିଛନ୍ତି ଯେ ପାକିସ୍ତାନର ସଂସଦ ଅନାସ୍ଥା ଭୋଟ୍‌ ଦ୍ବାରା ପୂର୍ବ ସରକାରକୁ ବିଦା କରିଛି ଓ ଏଥିରେ କୌଣସି ବିଦେଶୀ ଷଡ଼ଯନ୍ତ୍ର ନାହିଁ। ଯଦି କୌଣସି ବିଦେଶୀ ଷଡ଼ଯନ୍ତ୍ରରେ ତାଙ୍କର ସଂପୃକ୍ତି ଥିବା ନେଇ ପ୍ରମାଣ ମିଳେ ସେ ତୁରନ୍ତ ପଦ ଛାଡ଼ିଦେବେ ବୋଲି କହିଛନ୍ତି।

ଏଥିସହ ଶେହବାଜ ଶରିଫ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ସରକାରୀ କର୍ମଚାରୀଙ୍କ ବେତନ ଏବଂ ପେନ୍‌ସନ୍‌ରେ ୧୦ ପ୍ରତିଶତ ବୃଦ୍ଧି ସହ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ୨୫୦୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି ଶେହବାଜ।

ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ସେ ତାଙ୍କର ପ୍ରଥମ ଭାଷଣ ଦେବାବେଳେ ଏହି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଶେହବାଜ୍ କହିଛନ୍ତି ଯେ, ଆଜି ପାକିସ୍ତାନକୁ ଭଗବାନ ବଞ୍ଚାଇଦେଇଛନ୍ତି ଏବଂ ଦେଶର ୨୨ କୋଟି ଲୋକଙ୍କୁ ଉଦ୍ଧାର କରିଛନ୍ତି। ପ୍ରଥମ ଥର ପାଇଁ ପାକିସ୍ତାନ ସଂସଦରେ ଅନାସ୍ଥା ଭୋଟ୍ ସଫଳତାର ସହିତ ପାରିତ ହୋଇଛି। ଆଗକୁ ଦେଶବାସୀ ଏହି ଦିନକୁ ଖୁସିର ସହ ପାଳନ କରିବେ ନିଶ୍ଚୟ |

Related Posts