ପାକିସ୍ତାନୀ ମୋହିଉଦ୍ଦିନ ଔରଙ୍ଗଜେବ ଆଲମଗିରି ଆତଙ୍କବାଦୀ ଘୋଷିତ: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଥିଲା ସାମିଲ

ନୂଆଦିଲ୍ଲୀ: ପାକିସ୍ତାନୀ ମୋହିଉଦ୍ଦିନ ଔରଙ୍ଗଜେବ ଆଲମଗିରିକୁ ଆତଙ୍କବାଦୀ ଘୋଷିତ କଲେ କେନ୍ଦ୍ର ସରକାର | ଗତ ୨୦୧୯ ମସିହାରେ ଜମ୍ମୁକାଶ୍ମୀର ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା ମୋହିଉଦ୍ଦିନ ଔରଙ୍ଗଜେବ ଆଲମଗିରି । ଏହି ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ବସ୍ କୁ ଟାର୍ଗେଟ୍ କରାଯାଇଥିଲା । ଯେଉଁ ଆକ୍ରମଣରେ ୪୦ ସୁରକ୍ଷାକର୍ମୀ ସହିଦ ହୋଇଥିଲେ ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଔରଙ୍ଗଜେବ ପୁଲଓ୍ବାମା ଆକ୍ରମଣରେ ସାମିଲ ଥିଲା । ଯିଏକି ମକତବ ଅମିର, ମୁଜାହିଦ ଭାଇ ଏବଂ ମହମ୍ମଦ ଭାଇ ନାଁରେ ଜଣାଶୁଣା ଥିଲା । ଔରଙ୍ଗଜେବ ଆତଙ୍କୀ ସଂଗଠନ ଜୈଶ୍-ଏ-ମହମ୍ମଦ ତରଫରୁ ଭାରତ ବିରୋଧୀ ଆତଙ୍କବାଦୀ ଷଡଯନ୍ତ୍ରରେ ସାମିଲ ଥିଲା । ପାକିସ୍ତାନ ନାଗରିକଙ୍କଠାରୁ ସଂଗଠନ ପାଇଁ ଚାନ୍ଦା ସଂଗ୍ରହ କରିବା କାର୍ଯ୍ୟରେ ସଂପୃକ୍ତ ଥିଲା । ଏହି ଟଙ୍କାକୁ କାଶ୍ମୀର ପର୍ଯ୍ୟନ୍ତ ପହଞ୍ଚାଉଥିଲା ।

ଔରଙ୍ଗଜେବ ଆତଙ୍କବାଦୀ ଅନୁପ୍ରବେଶକୁ ସହଜ କରିବା ଏବଂ ଜମ୍ମୁକାଶ୍ମୀରରେ ଭାରତୀୟ ସୁରକ୍ଷାବଳ ଉପରେ ଆତଙ୍କୀ ଆକ୍ରମଣରେ ସାମିଲ ଥିଲା । ଗୃହ ମନ୍ତ୍ରଣାଳୟ କହିଛି ଯେ ଔରଙ୍ଗଜେବର କାର୍ଯ୍ୟକଳାପକୁ ଧ୍ୟାନରେ ରଖି ତାକୁ ବେଆଇନ କାର୍ଯ୍ୟକଳାପ ଆଇନ ଆଧାରରେ ଆତଙ୍କବାଦୀ ରୂପେ ଘୋଷଣା କରାଯାଇଛି ।

Related Posts