ହ୍ୱିଲ ଚେୟାରରେ ସଂସଦକୁ ଆସି ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ୧୫ ତମ ରାଷ୍ଟ୍ରପତି ବାଛିବାକୁ ଆଜି ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନ ରେ ଦେଶର ସମସ୍ତ ସାଂସଦ ଓ ବିଧାୟକ ମାନେ ନିଜର ମତ ସାବ୍ୟସ୍ତ କରିଛନ୍ତି। ଏହିକ୍ରମରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ସଂସଦ ଭବନକୁ ଆସି ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି। ତେବେ ସେ ହ୍ୱିଲ ଚେୟାରରେ ସଂସଦ କୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ୮୯ ବର୍ଷୀୟ ଶ୍ରୀ ସିଂହ ହ୍ୱିଲ ଚେୟାରରେ ଆସିବା ପରେ ଆବଶ୍ୟକ ପରିଚୟପତ୍ର ଦେଖାଇ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ସେ ନିଜର ବାଲଟ ପେପର ଏକାକୀ ବକ୍ସ ମଧ୍ୟରେ ପକାଇ ପାରି ନଥିଲେ। ପରେ ବାଲଟ ପେପର ପକାଇବା ପାଇଁ ୫ ଜଣ ଅଧିକାରୀ ତାଙ୍କୁ ସାହାଯ୍ୟ କରିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ବୟସ ଅଧିକ ଜନିତ ରୋଗ କାରଣରୁ ମନମୋହନ ସିଂହ ଦୀର୍ଘ ଦିନ ହେଲା ଅସୁସ୍ଥ ରହିଛନ୍ତି। ତଥାପି ସେ ଆଜି ଜଣେ ରାଜ୍ୟସଭା ସଦସ୍ୟ ଭାବେ ରାଷ୍ଟ୍ରପତି ନିର୍ବାଚନରେ ନିଜର ଭୋଟ ଦେଇଛନ୍ତି। ପୂର୍ବାପେକ୍ଷା ଶ୍ରୀ ସିଂହ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବା ଆଜି ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଦିନ ୧୦ଟାରୁ ଆରମ୍ଭ ହୋଇଛି ଭୋଟିଂ। ଗୋଟିଏ ପଟେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଥିବା ବେଳେ ଅନ୍ୟପଟେ ରହିଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନା। ସଂସଦ ଓ ସବୁ ରାଜ୍ୟର ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଅନୁଷ୍ଠିତ ହେଉଛି।

Related Posts