ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ପରଲୋକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବୁଧବାର ବିଳମ୍ବିତ ରାତିରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କର ଦେହାନ୍ତ ଘଟିଛି। ତାଙ୍କ ମୃତ୍ୟୁ ସମ୍ପର୍କରେ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସ୍ବପନ୍ ଦାସଗୁପ୍ତ ସୂଚନା ଦେଇଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି, ‘ମୁଁ ମୋର ନିକଟତମ ବନ୍ଧୁ – ‘ଦି ପାୟୋନିଅର’ର ସଂପାଦକ ତଥା ପୂର୍ବତନ ସାଂସଦ ଚନ୍ଦନ ମିତ୍ରଙ୍କୁ ଆଜି ସକାଳେ ହରାଇଲି। ଆମେ ଲା ମାର୍ଟିନେରେ ଛାତ୍ର ଭାବରେ ଏକାଠି ହୋଇ ସେଣ୍ଟ ଷ୍ଟିଫେନ୍ସ ଏବଂ ଅକ୍ସଫୋର୍ଡକୁ ଯାଇଥିଲୁ। ମୃତ୍ୟୁ ବେଳକୁ ଚନ୍ଦନ ମିତ୍ରଙ୍କୁ ୬୫ ବର୍ଷ ହୋଇଥିଲା।

ସେ ଇଂରାଜୀ ଖବର କାଗଜ ‘ଦି ପାୟୋନିଅର’ର ସଂପାଦକ ଥିଲେ। ଚନ୍ଦନ ମିତ୍ର ୨୦୦୩ରେ ପ୍ରଥମେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ୨୦୧୦ରେ ବିଜେପି ତାଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରି ନେଇଥିଲା। ସେ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୬ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ୨୦୧୮ରେ ଚିନ୍ଦନ ମିତ୍ର ବିଜେପିରୁ ଇସ୍ତଫା ଦେଇଥିଲେ। ତା’ପରେ ସେ ଟିଏମସିରେ ଯୋଗ ଦେଇଥିଲେ।

ଚନ୍ଦନ ମିତ୍ରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୋଦୀ ଟୁଇଟ୍ କରି କହିଛନ୍ତି ଯେ, ” ସେ ଜଣେ ଜ୍ଞାନୀ ଓ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତି ଥିଲେ। ଉଭୟ ସାମ୍ବାଦିକତା ଓ ରାଜନୀତିରେ ନିଜର ପରିଚୟ ଛାଡ଼ି ଯାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।”

Related Posts