ରାଜଧାନୀରେ ଚାଞ୍ଚଲ୍ୟ : ରାସ୍ତାକଡ଼ରୁ ଉଦ୍ଧାର ହେଲା ଡେଲିଭରି ବୟର ମୃତଦେହ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜଧାନୀରେ ପୁଣି ଚାଞ୍ଚଲ୍ୟ। ଭୁବନେଶ୍ୱରର ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ ଛକ ନିକଟ ରାସ୍ତାକଡ଼ରୁ ଜଣେ ଡେଲିଭରି ବୟର ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ମୃତ ଯୁବକଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲାରେ। 

ସେ ସାନ୍ତନୁ ପାଣ୍ଡରାରେ ରହୁଥିଲେ। ରାଜଧାନୀ ଭୁବନେଶ୍ୱରରେ ସେ ଅନଲାଇନ୍ ଡେଲିଭରି ବୟ ଭାବେ କାମ କରୁଥିଲେ। ତାଙ୍କ ଶରୀରର ଅନେକ ସ୍ଥାନରେ ଟାଟୁ ଥିବା ଦେଖିବାକୁ ମିଳିଛି। ଏବଂ ତାଙ୍କ ମୃତଦେହ ନିକଟରେ  ଏକ ସାର୍ଟ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଯୁବକଙ୍କ ମୃତ୍ୟୁ କିପରି ଘଟିଲା, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ସୂଚନାନୁସାରେ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି। 

ବୁଧବାର ବିଳମ୍ବିତ ରାତିରେ ଯୁବକ ଜଣଙ୍କ ଅନ୍‌ଲାଇନ୍ ଡେଲିଭରି ଦେବାକୁ ଆସିଥିଲେ। ସେହି ସମୟରେ  ତାଙ୍କ ସହ କିଛି ଅଘଟଣ ଘଟିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ ନୟାପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏବଂ ଘଟଣାର ତଦନ୍ତ ଜାରି ରହିଛି। 

Related Posts