ବିଜେପି ଛାଡିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା, ବିଜେଡିରେ ମିଶିବେ!

ଭୁବନେଶ୍ୱର,୨୯/୩(ସତ୍ୟପାଠ ବ୍ୟୁରୋ): ବିଜେପିରୁ ଇସ୍ତଫା ଦେଲେ କଟକ ଜିଲ୍ଲା ସଭାପତି ତଥା ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଜି ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି।

କଟକର ସାଂସଦ ଭର୍ତ୍ତୃହରି ମହତାବ ଗତକାଲି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବେଳେ ଆଜି ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଳା ସଭାପତି ପ୍ରକାଶ ଚନ୍ଦ୍ର ବେହେରା ବିଜେପି ଛାଡିଛନ୍ତି। ସେ ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ସେ ସେହି ବର୍ଷ ବିଜେପି ଟିକେଟରେ ସାଲେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ପରାଜିତ ହୋଇଥିଲେ। କିନ୍ତୁ ସେ ୨୦୧୪ ମସିହାରେ ଏହି ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ। ଗତକାଲି ଭର୍ତ୍ତୃହରି ବିଜେପିରେ ସାମିଲ ହେଉ ହେଉ ଆଜି କଟକ ଜିଲ୍ଲା ସଭାପତି ଦଳ ଛାଡ଼ିବା ବିଜେପିକୁ ବଡ ଝଟକା ବୋଲି କୁହାଯାଉଛି। ତେବେ ପ୍ରକାଶ ଖୁବ୍ ଶୀଘ୍ର ବିଜେଡିରେ ଯୋଗଦେଇପରାନ୍ତି ବୋଲି ଚର୍ଚ୍ଚା ହେଉଛି।

ପ୍ରକାଶ ଚନ୍ଦ୍ର ବେହେରା କଟକ ଜିଲ୍ଲା ବିଜେପି ସଭାପତି ଥିଲେ। ସେ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି- ମୁଁ ସବୁବେଳେ ମୋ ପଦକୁ ନ୍ୟାୟ ଦେବାକୁ ପ୍ରାୟସ କରିଛି। ତା’ ସହିତ ଦଳ ଯେପରି ମାଇଲଖୁଣ୍ଟ ହାସଲ କରିପାରିବ ସେ ନେଇ ଚେଷ୍ଟା କରିଛି। କିନ୍ତୁ ଏହି କାର୍ଯ୍ୟକୁ ମୁଁ ସନ୍ତୋଷଜନକ ଭାବେ ତୁଲାଇ ପାରି ନାହିଁ।

Related Posts