ଲୋକସଭା ନିର୍ବାଚନ ଲଢ଼ିବେ ଗୋବିନ୍ଦା!; ଶିବସେନା ସିନ୍ଦେ ଗୋଷ୍ଠିରେ ହେଲେ ସାମିଲ

ଭୁବନେଶ୍ୱର,୨୮/୩(ସତ୍ୟପାଠ ବ୍ୟୁରୋ): ଶିବସେନାରେ ସାମିଲ ହୋଇଛନ୍ତି ବିଲଉଡ ଅଭିନେତା ଗୋବିନ୍ଦା| ଲୋକସଭା ନିର୍ବାଚନର ଠିକ ପୂର୍ବରୁ ଏକନାଥ ସିନ୍ଦେଙ୍କ ଦଳ ଶିବସେନାରେ ସାମିଲ ହୋଇଛନ୍ତି ବିଲଉଡ ଅଭିନେତା ଗୋବିନ୍ଦା। ସେ ୨୦୦୪ ଲୋକସଭା ନିର୍ବାଚନ କଂଗ୍ରେସ ଟିକେଟରେ ଜିତିଥିଲେ।

ସେ ୨୦୦୯ ଯାଏ ରାଜନୀତିରେ ବେଶ ସକ୍ରିୟ ଥିଲେ। କିନ୍ତୁ ୨୦୧୦ରୁ ୨୦୨୪ ଯାଏ ତାଙ୍କୁ ଆଉ ରାଜନୀତିରେ ଦେଖିବାକୁ ମିଳି ନଥିଲା। ହେଲେ ଚଳିତ ବର୍ଷର ଲୋକସଭା ନିର୍ବାଚନ ପୂର୍ବରୁ ସେ ରାଜନୀତିକୁ ଫେରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଗୋବିନ୍ଦ ଶିବସେନାରେ ସାମିଲ ହୋଇଛନ୍ତି। ସାମିଲ ହେବା ପରେ ସେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ମୋର ବନବାସ ଶେଷ ହୋଇଛି। ସିନ୍ଦେଜୀଙ୍କ ଅଧୀନରେ ଚାଲିଥିବା ରାମ ରାଜ୍ୟରେ ମୁଁ ପ୍ରବେଶ କରିଛି।”

ଗୋବିନ୍ଦା ଆହୁରି କହିଛନ୍ତି, “୨୦୦୪ରୁ ୨୦୦୯ ଯାଏ ମୁଁ ରାଜନୀତିରେ ଥିଲି। ତାହା ୧୪ତମ ଲୋକସଭା ଥିଲା। ଏବେ ଗୋଟିଏ ଚମତ୍କାର ସଂଯୋଗ ଘଟିଛି। ଏବେ ଦୀର୍ଘ ୧୪ ବର୍ଷର ବ୍ୟବଧାନ ପରେ ମୁଁ ରାଜନୀତିକୁ ଫେରିଛି।”

ଗୋବିନ୍ଦା ୨୦୦୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରୁ ମୁମ୍ବାଇରେ ପ୍ରାର୍ଥୀ ହୋଇଥିଲେ। ସେ ୫୦ ହଜାର ଭୋଟ ବ୍ୟବଧାନରେ ବିଜେପିର ରାମ ନାଏକଙ୍କୁ ପରାସ୍ତ କରିଥିଲେ। କିନ୍ତୁ ୨୦୦୯ରେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଅଭିନୟ କ୍ୟାରିୟରରେ ଫୋକସ କରିବା ପାଇଁ ଇସ୍ତଫା ଦେଇଥିଲେ। ସେବେଠାରୁ ତାଙ୍କୁ ଆଉ ରାଜନୀତିରେ ଦେଖିବାକୁ ମିଳି ନଥିଲା। ଏବେ ସେ ଶିବସେନାରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢ଼ିବେ। ତାଙ୍କୁ ମୁମ୍ବାଇ ନର୍ଥ ୱେଷ୍ଟ ଆସନରୁ ଟିକେଟ ମିଳିପାରେ। ଏଠାରେ ତାଙ୍କର ଲଢ଼େଇ ଉଦ୍ଧବ ସେନା(ୟୁବିଟି)ର ନେତା ଅମୋଲ କିରତିକରଙ୍କ ସହ ହେବ।

Related Posts