
ୟୁକ୍ରେନ ଓ ରୁଷ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ମଧ୍ୟରେ ରୁଷ ବାରମ୍ବାର ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଦେଶ ଛାଡି ଚାଲିଯାଇଥିବା ଦାବି କରୁଥିବା ବେଳେ, ଏବେ ସେ ପୋଲାଣ୍ଡ ଚାଲି ଯାଇଥିବା ନେଇ ଦାବି କରିଥିଲା | ତେବେ ରୁଷ ର ଏହି ଦାବିକୁ ଖଣ୍ଡନ କରିଛନ୍ତି ୟୁକ୍ରେନର ପୂର୍ବତନ ପ୍ରଧାନମନ୍ତ୍ରୀ ଅଜରୋଭ | ସେ ଜେଲେନସ୍କିଙ୍କ ଠିକଣାର ଖୁଲାସା କରିଛନ୍ତି। ଏଥିସହ ଜେଲେନସ୍କି ରହିଥିବା ସ୍ଥାନରେ ରୁଷର ପରମାଣୁ ଅସ୍ତ୍ର ମଧ୍ୟ କୌଣସି ପ୍ରଭାବ ପକାଇ ପାରିବ ନାହିଁ ବୋଲି ଦମ୍ଭୋକ୍ତି କରିଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଜରୋଭ କହିଛନ୍ତି, ରାଷ୍ଟ୍ରପତି ଜେଲେନସ୍କି ଏବେ ସଂପୂର୍ଣ୍ଣ ସୁରକ୍ଷିତ ଭାବେ କିଭ୍ରେ ହିଁ ଅଛନ୍ତି। କିଭ୍ରେ ଥିବା ଗୋଟିଏ ଅତି ସୁରକ୍ଷିତ ବଙ୍କର ମଧ୍ୟରେ ସେ ରହିଛନ୍ତି। ଏହି ବଙ୍କରଟି ଏତେ ଶକ୍ତିଶାଳୀ ଯେ ପରମାଣୁ ବୋମା ମଧ୍ୟ ଏହାର କୌଣସି ପ୍ରକାରର କ୍ଷତି କରିପାରିବ ନାହିଁ।
ରୁଷ ଜାଣିଶୁଣି ଲୋକ ଓ ସେନା ଯବାନଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବାରୁ ଅପ୍ରଚାର କରୁଛି। ଜେଲେନସ୍କି ପୂର୍ବଭଳି ୟୁକ୍ରେନରେ ରହିଛନ୍ତି। ଆଗକୁ ମଧ୍ୟ ସେ ଏହିଠାରେ ରହିବେ ବୋଲି ଅଜରୋଭ କହିଛନ୍ତି।
ଅନ୍ୟପକ୍ଷରେ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସ୍ଥଗିତ ରହିଛି | ସାମୟିକ ଭାବେ ୟୁକ୍ରେନରେ ଯୁଦ୍ଧ ବିରତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ | ଭାରତୀୟ ସମୟାନୁସାରେ ସାଢେ ୧୧ଟାରୁ ଅସ୍ତ୍ର ବିରତି ଲାଗୁ ହୋଇଛି । ଆଜି ହଠାତ୍ ରୁଷ ପକ୍ଷରୁ ୟୁକ୍ରେନରେ ସାମୟିକ ଭାବେ ଯୁଦ୍ଧ ବିରତି ଲାଗୁ କରାଯାଇଛି। ଯୁଦ୍ଧ ଯୋଗୁ ଅନେକ ସାଧାରଣ ଲୋକ ବିଭିନ୍ନ ସହରରେ ଫସି ରହିଛନ୍ତି।