ରାଜ୍ୟରେ ପଂଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ, ଏବେ ପୌର ନିର୍ବାଚନ ପାଇଁ ସଜବାଜ ହୋଇଛନ୍ତି ରାଜନୈତିକ ଦଳ | ରାଜ୍ୟର ୩ ପ୍ରମୁଖ ଦଳ ମଧ୍ୟରୁ କଂଗ୍ରେସ ମେୟର ପ୍ରାର୍ଥୀ ନାଁ ଘୋଷଣା କରିସାରିଛି। ବିଜେପି ଓ ବିଜେଡିରେ ଚାଲିଛି ମେୟର ପ୍ରାର୍ଥୀ ପାଇଁ ମାନସ ମନ୍ଥନ । ଏହାରି ଭିତରେ ଭୁବନେଶ୍ୱର ପାଇଁ ୬୦ଟି ୱାର୍ଡରେ ଟିକେଟ୍ ଚୂଡ଼ାନ୍ତ କରିସାରିଛି ବିଜେଡି । ଆଜି ସଂଧ୍ୟା ସୁଧା କରିପାରେ ତାଲିକା ଘୋଷଣା । ଗତକାଲି ରାତିରେ ବିଧିବଦ୍ଧ ଭାବେ ନାମ ଘୋଷଣା ହେବାର ସମ୍ଭାବନା ଥିଲା । କିନ୍ତୁ ଏକାଥରେ ୬୭ଟି ୱାର୍ଡର ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାକୁ ନିଷ୍ପତି ହେବାରୁ ରାତିରେ ତାଲିକା ପ୍ରକାଶ ପାଇନଥିଲା । ଯେଉଁ ୭ଟି ୱାର୍ଡରେ ଅଡ଼ୁଆ ତୁଟୁନି, ତାହାରି ଉପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମାନସ ମନ୍ଥନ କରିଥିଲା ବିଜେଡି । ୩ ବିଧାୟକ ବିଭିନ୍ନ ଗୋଷ୍ଠୀକୁ ଡାକି ବୁଝାସୁଝା କରିଥିଲେ । ଆଜି ଏହି ୱାର୍ଡଗୁଡ଼ିକରେ ପ୍ରାର୍ଥୀ ଚୟନ ହେବ ବୋଲି ଦଳୀୟ ସ୍ୱତ୍ରରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ ୧ ନମ୍ବର ୱାର୍ଡରେ ମିହିର ରାଉତ, ୬ରେ ପ୍ରୀତିନନ୍ଦା ରାଉତରାୟ, ୯ରେ ସୂର୍ଯ୍ୟକାନ୍ତି ଜେନା, ୧୨ରେ ପ୍ରସନ୍ନ କୁମାର ସାହୁ, ୨୩ରେ କିରଣବାଳା ମାଝୀ, ୨୫ରେ ମାନସୀରାଣୀ ସୁନ୍ଦରାୟ, ୨୯ରେ ସେଖ୍ ନିଜାମ୍ଉଦ୍ଦିନ୍, ୩୨ରେ ଶ୍ରୀଧର ଜେନା, ୪୫ରେ ଅମରେଶ ଜେନା, ୪୯ରେ ସଂଯୁକ୍ତା ସୁନ୍ଦରାୟ, ୫୦ ନମ୍ବରରେ ସୁଜିତ୍ ସ୍ବାଇଁ, ୫୨ରେ ଶ୍ରୀଧର ବେହେରା, ୫୫ରରେ ନୃପେଶ ନାୟକ, ୫୬ରେ କେ. ଶାନ୍ତି, ୫୮ରେ ପୁଷ୍ପା ଦାସ, ୫୯ରେ ବିରଞ୍ଚି ନାରାୟଣ ମହାସୂପକାର, ୬୪ରେ ସକିବା ମୁସାରତ୍, ୬୬ରେ ଛବି ଦାଶ ପ୍ରମୁଖ ଏହି ପ୍ରାର୍ଥୀ ତାଲିକାରେ ଥିବା ସ୍ପଷ୍ଟ ହୋଇଛି ।





