ଷ୍ଟଲୱାର୍ଡଙ୍କୁ ହରାଇଲେ ସରପ୍ରାଇଜ୍ ପାଇଲେ

ବଡ ଶିକାରୀଙ୍କୁ ପୁରସ୍କାର ଦେଇଛି ବିଜୁ ଜନତା ଦଳ । ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ବଛାଯାଇଛି । ଯେଉଁଥିରେ ଚାରି ଜଣଙ୍କୁ ଚାରିଟି ପଦବୀ ମିଳିଛି । ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦାୟିତ୍ୱ ମିଳିଥିବା ବେଳେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ଦେଇଛି ଦଳ । ସେହିଭଳି କନ୍ଧମାଳ ସାଂସଦ ଅତ୍ୟୁତ ସାମନ୍ତଙ୍କୁ ମୁଖ୍ୟ ସଚେତକ ଓ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିିଙ୍କୁ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଛି ।

ଦଳରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ । ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର ପୁରୀରୁ ପ୍ରାର୍ଥୀ ହୋଇ ମାତ୍ର ୨୨ ଦିନରେ ବିଜେଡିକୁ ଯେଉଁ କଡା ଟକ୍କର ଦେଇଥିଲେ ଶେଷ ପର୍ଯ୍ୟନ୍ତ ଲାଗୁ ନଥିଲା ପିନାକୀ ଜିତିବେ ବୋଲି । ତଥାପି ପିପିଲି ଓ ନୟାଗଡରୁ ଲିଡ୍ ଭୋଟ ନେଇ ପିନାକୀ ମାତ ଦେଇଥିଲେ ସମ୍ବିତଙ୍କୁ । ଭାଜପାର ଷ୍ଟଲୱାର୍ଡଙ୍କୁ ପରାସ୍ତ କରିଥିବାରୁ ପୁରସ୍କୃତ ହୋଇଛନ୍ତି ପିନାକୀ । ଯେଉଁ ନେତାଙ୍କୁ ପୁରୀ ଭୋଟର କେବେ ଦେଖିବାର ସୁଯୋଗ ପାଆନ୍ତି ନାହିଁ ତାଙ୍କରି ଉପରେ ଖୁସ୍ ହୋଇ ନବୀନ ତାଙ୍କୁ ବିଜେଡିର ଲୋକସଭା ନେତା ଭାବେ ନିଯୁକ୍ତି ଦେଇଛନ୍ତି ।

ତାଙ୍କ ପରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପରେ ଖୁସିବ୍ୟକ୍ତ କରିଛନ୍ତି ବିଜେଡି ସୁପ୍ରିମୋ । ପୂର୍ବତନ ପୁଲିସ ଡିଜି ତଥା ବିଜେପିରେ ମଶି କଟକରୁ ପ୍ରାର୍ଥୀ ହୋଇଥିବା ପ୍ରକାଶ ମିଶ୍ରଙ୍କୁ ହରାଇଥିବାରୁ ଭର୍ତ୍ତୃହରି ବି ପୁରସ୍କୃତ ହୋଇଛନ୍ତି । ନିର୍ବାଚନ ବେଳେ ଆମ୍ବୁଲାନ୍ସରୁ ଟଙ୍କା ଜବତ କରିବା ଓ ପରେ ପରେ ପ୍ରମୋସନ ପୂର୍ବରୁ ପ୍ରକାଶଙ୍କ ନାଁରେ ଭିଜିଲାନ୍ସରେ ମାମଲା ହେବା ଏବଂ ଶେଷରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଥା ଓଡିଶାର ପ୍ରାୟ ସବୁ ଲୋକ ଜାଣିଛନ୍ତି । ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତୀ ପାଇଁ ବିଜୟ ସମ୍ଭାବନାକୁ ଉଜ୍ୱଳ କରୁଥିବା ପ୍ରକାଶଙ୍କୁ କିନ୍ତୁ ପରାଜୟର ସ୍ୱାଦ ଚଖାଇ ଦେଇଛନ୍ତି ଭର୍ତ୍ତୃହରି । ଯେଉଁଥିପାଇଁ ତାଙ୍କୁ ବିଜୁ ଜନତା ଦଳର ସଂସଦୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି ।
ବିଜେପିରେ ସାମିଲ ହୋଇ କନ୍ଧମାଳରୁ ପ୍ରାର୍ଥୀ ହୋଇଥିଲେ ନବୀନଙ୍କର ଜଣେ ଦୃଢ଼ ସମାଲୋଚକ ଭାବେ ଜଣାଶୁଣା ଖାରବେଳ ସ୍ୱାଇଁ । ପ୍ରତିଦିନ ବିଜେଡି ଓ ନବୀନଙ୍କ ବିରୋଧରେ ଭାଷଣ ଦେଇ ଦେଇ ସମସ୍ତଙ୍କ ପାଖରେ ବେଶୀ ପରିଚିତ ହୋଇଥିଲେ ଖାରବେଳ । ଏପରିକି ରାୟଗଡାରେ ତାଙ୍କ ଉପରେ ଆକ୍ରମଣ ହେବା ପରେ ସେ ଅଧିକ ଲୋକାଦୃତ ହୋଇଥିଲେ । ବୋଧହୁଏ କନ୍ଧମାଳରେ ତାଙ୍କ ବିଜୟ ସମ୍ଭାବନା ଅଧିକ ଥିଲା କିନ୍ତୁ ତାଙ୍କ ବିପକ୍ଷରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରାର୍ଥୀ ହୋଇ ଖାରବେଳକୁ ପରାଜିତ କଲେ । ଯେଉଁଥିପାଇଁ ନୂଆ ସାଂସଦଙ୍କୁ ଲୋକସଭାରେ ମୁଖ୍ୟ ସଚେତକ ଚଉକି ଦେଇ ଖୁସ୍ କରିଛନ୍ତି ସୁପ୍ରିମୋ ।

ଆଉ ଶେଷରେ ଉଭୟ ବୟସ ଓ ରାଜନୀତିରେ ସାନ ହୋଇ ଅଭିଜ୍ଞ ରାଜନେତା ତଥା ନବୀନଙ୍କ କାଉଣ୍ଟର ନମ୍ବର ୱାନ ବୈଜୟନ୍ତ ପଣ୍ଡାଙ୍କୁ ଧୂଳି ଚଟାଇଛନ୍ତି ଅନୁଭବ ମହାନ୍ତି । ବୈଜୟନ୍ତଙ୍କ ହୋମ ଟାଉନ କେନ୍ଦ୍ରାପଡାରେ ବିଶାଳ ମାର୍ଜିନରେ ବିଜୟ ଠାରୁ ବହୁ ଦୂରକୁ ଠେଲି ଦେବାରେ ସକ୍ଷମ ହୋଇଛନ୍ତି ଅଭିନେତାରୁ ରାଜନେତା ସାଜିଥିବା ଅନୁଭବ । ଯେଉଁଥିପାଇଁ ତାଙ୍କୁ ମଧ୍ୟ ପୁରସ୍କୃତ କରିବାକୁ ଭୁଲି ନାହାଁନ୍ତି ନବୀନ । ଲୋକସଭାରେ ଅନୁଭବଙ୍କୁ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇ ଖୁସି କରିଛନ୍ତି ସୁପ୍ରିମୋ ।

ମୋଟାମୋଟି କହିବାକୁ ଗଲେ, ବିଜୁ ଜନତା ଦଳ ଓ ନବୀନଙ୍କୁ ମାତ୍ ଦେବାକୁ ଚେଷ୍ଟା କରିଥିବା ଚାରି ଷ୍ଟଲୱାର୍ଡଙ୍କୁ ଧୂଳି ଚଟାଇ ପରାଜୟର ରାସ୍ତାରେ ଛିଡା କରାଇ ଦେଇଥିବା ଚାରି ସାଂସଦଙ୍କୁ ପୁରସ୍କୃତ କରିଛନ୍ତି ନବୀନ । ଯାହା କେବଳ ଏହି ସାଂସଦ ମାନଙ୍କୁ ଉତ୍ସାହିତ କରିନି ବରଂ ଆଗାମୀ ଦିନରେ ରାଜନୈତିକ ହାୱାକୁ ଓଲଟପାଲଟ କରିଦେବାର କ୍ଷମତା ମଧ୍ୟ ରଖିଛି ।

Related Posts