ମାନବିକତାକୁ ସଲାମ୍ : କାର କିଣିଲେନି, ଗାଁ ପାଇଁ କଲେ ପୋଲ

ଗାଁର ବିକାଶ ପାଇଁ ସରକାର ଟଙ୍କା ଖର୍ଚ୍ଚ କରୁଛନ୍ତି । ନେତା ମନ୍ତ୍ରୀ ଲମ୍ବା ଭାଷଣ ମାରୁଛନ୍ତି । ହେଲେ ପ୍ରକୃତ ବିକାଶ ପାଇଁ ବାରମ୍ବାର ଦୌଡି ଦୌଡି ନିରାଶ ହେବା ପରେ ସରକାରୀ ବ୍ୟବସ୍ଥା ଉପରୁ ଭରସା ଉଠି ଯାଇଥିଲା ହେଲେ ସେହି ସମୟରେ ଦେବଦୂତ ଭଳି ଉଭା ହେଲେ ଗାଁର ପୁଅ ।

ପେନସନ ଅର୍ଥରେ ଚାଲିଛି ପୋଲ ନିର୍ମାଣ । ସ୍ପାନ ପରେ ସ୍ପାନ ନିର୍ମାଣ ହେଉଛି । ନଦୀ ପାର ହେବା ପାଇଁ ପୋଲ ଆବଶ୍ୟକତା ଥିବା କଥା ଯେତେବେଳେ ସରକାର ବୁଝି ପାରିଲେନି ସେତେବେଳେ ଏହାକୁ ହୃଦୟଙ୍ଗମ କରିଥିଲେ ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ।

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କାନପୁର ଗାଁ । ସାଳନ୍ଦୀ ନଦୀର କୂଳରେ ଥିବା ଏହି ଗାଁର ପେଟପାଟଣା କିନ୍ତୁ ନଦୀ ଆରପଟେ । ଗାଁର ଲୋକେ ନଦୀ ଏପଟେ ରୁହନ୍ତି କିନ୍ତୁ ଚାଷଜମି ଓ ଆମ୍ବ ପଣସ ତୋଟା ରହିଛି ନଦୀ ସେପଟେ । ତେଣୁ ନଦୀପାର ହେବା ଏମାନଙ୍କ ପାଇଁ ନିତିଦିନିଆ କାମ । ହେଲେ ଲୋକଙ୍କର ଏହି ଦୁଃଖକୁ ଯେମିତି ଜାଣିବାକୁ ଚାହିଁ ନାହାଁନ୍ତି ସରକାର । ୧୫ବର୍ଷ ତଳେ ପୋଲ ନିର୍ମାଣ ପାଇଁ ତିନି ଲକ୍ଷ ଟଙ୍କା ଦେଇ ଏକଦମ୍ ନିଦରେ ଶୋଇ ଯାଇଛନ୍ତି ।

୧୫ ବର୍ଷ ଭିତରେ ସରପଂଚ ଠାରୁ ନେଇ ବିଧାୟକ, ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଯାଏଁ ସବୁଠି ପୋଲଟିଏ ପାଇଁ ଗୁହାରୀ କରିଛନ୍ତି ଗ୍ରାମବାସୀ । ରାଜ୍ୟ ସରକାରଙ୍କୁ ବି ନିବେଦନ କରିଛନ୍ତି । ହେଲେ କିଏ ବା କାଇଁ ଶୁଣିବ ଏ ମଳିମୁଣ୍ଡିଆ ଲୋକଙ୍କ କଥା । ବାରମ୍ବାର ନିରାଶ ହେବା ପରେ କର୍ମକୁ ଆଦରି ରହିବା ପାଇଁ ମନସ୍ଥ କରିଥିଲେ ଗ୍ରାମବାସୀ ହେଲେ ସମ୍ଭାଳି ରହି ପାରିନଥିଲେ ଗାଁରେ ରହୁଥିବା ଅବସରପ୍ରାପ୍ତ ଭେଟେନାରୀ ଟେକ୍ନିସିଆନ ଗଙ୍ଗାଧର ରାଉତ । ଅବସର ପରେ କାର କିଣିବା ପାଇଁ ସଂଚିତ ରଖିଥିବା ଟଙ୍କାକୁ ଖର୍ଚ୍ଚ କରି ପୋଲ ନିର୍ମାଣ ପାଇଁ ସେ ମନ ବଳାଇଥିଲେ ଓ ଏଥିରେ ଶ୍ରମଦାନ କରିବାକୁ ଆଗେଇ ଆସିଥିଲେ ପୁରା ଗ୍ରାମବାସୀ ।

ପ୍ରାୟ ୯ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି । ୭ଟି ସ୍ପାନ ପୋଲ ନିର୍ମାଣ ସରିଛି । ଜୁନ ସୁଦ୍ଧା ଆଉ ୫ଟି ସ୍ପାନ ନିର୍ମାଣ କରି ପୋଲ କାମ ସାରିବାକୁ ଆଶା ରଖିଛନ୍ତି ଗଙ୍ଗାଧର । ତେବେ ଅବସର ପରେ ଆଉ କିଛି ବକେୟା ଟଙ୍କା ସେ ସରକାରୀ ସ୍ତରରେ ପାଇବାକୁ ବାକି ରହିଛି । ତାହା ଯଦି ଜଲଦି ମିଳି ଯାଆନ୍ତା , ପୋଲ କାମ ଶୀଘ୍ର ଶେଷ ହୋଇପାରନ୍ତା ବୋଲି ଗଙ୍ଗାଧର କହିଛନ୍ତି ।

Related Posts