ନାରଦା ଲାଞ୍ଚ ମାମଲାରେ ଗିରଫ ହୋଇଥିବା ୪ ଟିଏମସି ନେତାଙ୍କୁ ମିଳିଲା ଅନ୍ତରୀଣ ଜାମିନ୍

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ନାରଦା ଲାଞ୍ଚ ମାମଲାରେ ସିବିଆଇ ଦ୍ଵାରା ଗିରଫ ହୋଇଥିବା ଟିଏମସିର ଦୁଇ ଜଣ ମନ୍ତ୍ରୀଙ୍କ ସମେତ ମୋଟ୍ ୪ ଜଣ ନେତାଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି କୋଲକାତା ହାଇକୋର୍ଟ। ଗତ ସପ୍ତାହରେ ସିବିଆଇ ଏହି ଚାରି ଜଣ ଟିଏମସି ନେତାଙ୍କୁ ଅଚାନକ ଗିରଫ କରିଥିଲା। ତିନିଜଣ ଟିଏମସି ନେତା ହେଉଛନ୍ତି ସୁବ୍ରତ ମୁଖାର୍ଜୀ, ମନ୍ତ୍ରୀ ଫିରହାଦ୍ ହାକିମ, ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ମେୟର ଶୋଭନ ଚାଟାର୍ଜୀ। କୋଲକାତା ହାଇକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ” ଆମେ ସେମାନଙ୍କୁ (ଟିଏମସି ନେତା) ଅନ୍ତରୀଣ ଜାମିନ୍ ଜାମିନ ପ୍ରଦାନ କରୁଛୁ ଏବଂ ଏହାର ମୂଳ ମାମଲାର ଶୁଣାଣି ପାଇଁ ଏକ ସପ୍ତାହ କିମ୍ବା ଅଧିକ ସମୟ ଲାଗିବ।” ଜାମିନ ପ୍ରଦାନ ବେଳେ ଦୁଇ ଟିଏମସି ମନ୍ତ୍ରୀଙ୍କ ସମେତ ଏହି ଚାରି ନେତାଙ୍କୁ ଦୁଇ ଜଣ ଜାମିନଦାର ସହ ୨ ଲକ୍ଷ ଟଙ୍କାର ବଣ୍ଡ ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ନେତାମାନଙ୍କୁ ନାରଦା ମାମଲା ସମ୍ପର୍କରେ ଗଣମାଧ୍ୟମରେ କୌଣସି ବିବୃତ୍ତି ଦେବାକୁ ବାରଣ କରାଯାଇଛି। ଶୁଣାଣି ସମୟରେ ସିବିଆଇ ଏହି ଚାରିଜଣ ଟିଏମସି ନେତାଙ୍କୁ ପ୍ରଭାବଶାଳୀ ନେତା ବୋଲି ଦର୍ଶାଇବା ସହ ସାକ୍ଷୀଙ୍କୁ ଧମକ ଦେଇପାରନ୍ତି ବୋଲି କହିଥିଲା। ସିବିଆଇର ପକ୍ଷ ରଖୁଥିବା ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଟିଏମସି ନେତାମାନେ ପ୍ରଭାବଶାଳୀ ହୋଇଥିବା ହେତୁ ସେମାନଙ୍କୁ ଅନ୍ତରୀଣ ଜାମିନ ନଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ।
ସୂଚନାଯୋଗ୍ୟ ଗତ ସପ୍ତାହରେ ଏହି ଚାରିଜଣ ଟିଏମସି ନେତାଙ୍କୁ ସେମାନଙ୍କ ବାସଭବନରୁ ସିବିଆଇ ଗିରଫ କରିଥିଲା। ଏହାକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଅଫିସ ଆଗରେ ଧାରଣା ଦେଇଥିଲେ। ଟିଏମସି କର୍ମୀ ମାନେ ମଧ୍ୟ ସିବିଆଇ ଅଫିସ୍ ଆଗରେ ଜୋରଦାର ହଙ୍ଗାମା କରିଥିଲେ। ଏହି ମାମଲାରେ ଚାରି ଟିଏମସି ନେତାଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ପ୍ରଥମେ ଜାମିନ୍ ପ୍ରଦାନ କରିଥିଲେ। ପରେ ସିବିଆଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହାପରେ ହାଇକୋର୍ଟ ଜାମିନ ଆବେଦନ ଖାରଜ କରିଦେଇଥିଲେ।

Related Posts