ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପହିଲି ଭୋଗ ନୀତି। ଧନୁ ସଂକ୍ରାନ୍ତିଠୁ ଆସନ୍ତା ମକର ସକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗିବ।ଏହି ମାସ ମହାଲକ୍ଷ୍ମୀ ବାପ ଘରକୁ ଯିବାର ବିଧି ରହିଛି।ମହାପ୍ରଭୁଙ୍କ ପାଇଁ ମାସକ ଯାକ ମାତା ଯଶୋଦା ପହିଲି ଭୋଗ ପ୍ରସ୍ତୁତ କରିବେ। ଏହି ସମୟରେ ରାତି ପାହିବା ମହାପ୍ରଭୁଙ୍କ ପୂର୍ବରୁ ବ୍ୟଞ୍ଜନ ଭୋଗ କରାଯାଇଥାଏ।

ବିଶେଷ ଭାବେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଏଥିରେ ରହିବ। ବଡ଼ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡ଼ା, କାକେରା, ଲଡ଼ୁ ଗଜା ପ୍ରଭୃତି ରହିଛି। ପ୍ରତିଦିନ ଅବକାଶ ଓ ମଙ୍ଗଳ ଆଳତି ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲଗାଯିବ। ମହାପ୍ରଭୁଙ୍କୁ ଏହି ମାସକ ଯାକ ସ୍ୱତନ୍ତ୍ର ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ।

ତେବେ ଆଜିଠାରୁ ମହାପ୍ରଭୁ ମହାଲକ୍ଷ୍ମୀଙ୍କ ହାତରନ୍ଧା ବଦଳରେ ମା’ଙ୍କ ହାତରନ୍ଧା ଖାଇବେ। ଏଥିପାଇଁ ସଅଳ ନୀତିକାନ୍ତି ହେବ। ସଅଳ ମହାପ୍ରସାଦ ବାହାରିବ। ସଅଳ ଦ୍ବାରଫିଟା ଓ ସଅଳ ପହୁଡ଼ ବି ହେବ। ଏହି ଉପଲକ୍ଷେ ଛତିଶାନିଯୋଗ ବୈଠକରେ ଚୂଡ଼ାନ୍ତ ସ୍ବତନ୍ତ୍ର ନୀତିକାନ୍ତିକୁ ଗୁରୁବାର ଦିନ ବସିଥିବା ପରିଚାଳନା କମିଟି ବୈଠକରେ ଅନୁମୋଦନ ମିଳିଛି।

ଚୂଡ଼ାନ୍ତ ନିତୀକାନ୍ତି ଅନୁଯାୟୀ, ପ୍ରତିଦିନ ରାତି ୨ଟାରୁ ଦ୍ବାରଫିଟା ଓ ଭୋର ୫ଟା ୨୦ରେ ପହିଲି ଭୋଗ ନୀତି ହେବ। ସେହିଭଳି ଜାନୁଆରି ୬ ତାରିଖରେ ଦେବାଭିଷେକ ପୂର୍ଣ୍ଣିମାରେ ପୂର୍ବାହ୍ନ ସାଢ଼େ ୧୧ଟାରେ ମହାପ୍ରଭୁ ଶ୍ରୀପୟର ଲାଗି ଅଭିଷେକ ବେଶ ହେବେ। ଜାନୁଆରି ୧୪ ତାରିଖ ମକର ସଂକ୍ରାନ୍ତିରେ ପୂର୍ବାହ୍ଣ ୧୦ଟାରେ ନୂଆଲୁଗା ଲାଗି ହୋଇ ମହାପ୍ରଭୁ ମକର ବେଶରେ ଦର୍ଶନ ଦେବେ।