ସେପ୍ଟେମ୍ବର ୭ରୁ କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’,୧୫୦ ଦିନ ଧରି କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରିବ ଦଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭୟ ଓ ଅସମାନତା ମୁକ୍ତ ରାଜନୀତି ଓ ଦେଶରେ ଏକ ବିକଳ୍ପ ସରକାର ଲାଗି ସେପ୍ଟେମ୍ବର ୭ରୁ କଂଗ୍ରେସ ଦଳ ଦେଶବ୍ୟାପୀ ‘ଭାରତ ଯୋଡ଼ୋ ଯାତ୍ରା’ର ଆୟୋଜନ କରିବାକୁ ଯାଉଛି। କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସ ନେତା ଓ କର୍ମୀ ମଧ୍ୟ ସାମିଲ ହେବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି।

ଏନେଇ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୮୦ ବର୍ଷ ପୂର୍ବେ ଏହି ଦିନରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ କଂଗ୍ରେସ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲା ଏବଂ ଏହାର ୫ ବର୍ଷ ପରେ ଦେଶ ସ୍ବାଧୀନ ହୋଇଥିଲା। ତେଣୁ ଏହି ଦିନରେ କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରା ଘୋଷଣା କରୁଛି ବୋଲି ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି। ୩,୫୦୦ କିଲୋମିଟରର ଏହି ପଦଯାତ୍ରା ୧୨ଟି ରାଜ୍ୟ ଓ ୨କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଯିବ। ଏହା ୧୫୦ ଦିନରେ ଶେଷ ହେବ ବୋଲି ସେ କହିଛନ୍ତି। ଏଥିସହ ଜନସାଧାରଣ ବହୁସଂଖ୍ୟାରେ ଉକ୍ତ ଯାତ୍ରାରେ ସାମିଲ ହେବାକୁ କଂଗ୍ରେସ ଆହ୍ବାନ ଦେଇଛି।

Related Posts