ଭୁବନେଶ୍ୱର,୧୬/୧୨(ସତ୍ୟପାଠ ବ୍ୟୁରୋ): ଆଜିଠୁ ରାଜ୍ୟରେ ପୁଣି ବଢ଼ିବ ଶୀତ । ଆସନ୍ତା ୩ ଦିନ ଯାଏ ରାତି ତାପମାତ୍ରା ଧୀରେ ଧୀରେ ଖସିବ । ୩ରୁ ୪ ଡିଗ୍ରୀ ଯାଏ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଶୁକ୍ରବାର ରାଜ୍ୟରେ ଅଧିକ କୁହୁଡ଼ି ଦେଖାଯିବନାହିଁ ।କିନ୍ତୁ ରାତି ତାପମାତ୍ରା କ୍ରମଶଃ ଖସିବ । ଏନେଇ ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ କହିଛନ୍ତି ଯେ, ୧୬ରୁ ତାପମାତ୍ରା କମିବ । କିନ୍ତୁ ପୂରା ରାଜ୍ୟରେ ଏହା ଅନୁଭୂତ ହେବନି । ଉପକୂଳରେ ୧୮ ତାରିଖରୁ ଅଧିକ ଶୀତ ଅନୁଭୂତ ହେବ ।
ସେହିପରି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଶୁକ୍ରବାର ରାତିରୁ ପୂରା ରାଜ୍ୟରେ ତାପମାତ୍ରା କମିବ । ଦକ୍ଷିଣ ଉପକୂଳରେ ଅଧିକ ଶୀତ ଅନୁଭୂତ ହେବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ଅନ୍ୟ ଜିଲ୍ଲାରେ ରାତି ତାପମାତ୍ରା ଖସିଯିବ । ସେପଟେ ଗୁରୁବାର ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ବେଶ୍ ଅଧିକ ଥିବା ପାଣିପାଗ ବିଭାଗ ରେକର୍ଡ଼ରୁ ଜଣାପଡ଼ିଛି ।
