୫ ବର୍ଷରେ ୩୬୦୦୦ ମହିଳା ଯୌତୁକ ହତ୍ୟାର ଶିକାର; ୧ ନମ୍ବର ରେ ଉତ୍ତର ପ୍ରଦେଶ, ୧୮ ନମ୍ବର ରେ ଓଡ଼ିଶା

ଭୁବନେଶ୍ୱର,୧୬/୧୨(ସତ୍ୟପାଠ ବ୍ୟୁରୋ): ଦେଶରେ ପ୍ରତ୍ୟେକ ଦିନ ପ୍ରାୟ ୨୦ଟି ଯୌତୁକ ହତ୍ୟା ଘଟଣା ସାମ୍ନାକୁ ଆସୁଛି। ଏନେଇ ସଂସଦର ଶୀତ ଅଧିବେଶନରେ ରାଜ୍ୟସଭାରେ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର। ସରକାରଙ୍କ ତଥ୍ୟ ଅନୁସାରେ, ବିଗତ ୫ବର୍ଷରେ ଅର୍ଥାତ୍ ୨୦୧୭ରୁ ୨୦୨୧ ମଧ୍ୟରେ ଦେଶରେ ମୋଟ ୩୫,୪୯୩ଟି ଯୌତୁକ ଜନିତ ହତ୍ୟା ମାମଲା ସାମ୍ନାକୁ ଆସିଛି।

ତେବେ ଯୌତୁକ ଜନିତ ହତ୍ୟା ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକରୁ ଆସିଥିବା ମାମଲାର ସବିଶେଷ ତଥ୍ୟ ରଖିଛନ୍ତି ସରକାର। ତେବେ ଏହି ଯୌତୁକ ହତ୍ୟା ମାମଲାରେ ସବୁଠାରୁ ଆଗରେ ରହିଛି ଉତ୍ତରପ୍ରଦେଶ, ଏଠାରେ ୫ ବର୍ଷରେ ମୋଟ ୧୧,୮୭୪ ଟି ମାମଲା ସାମ୍ନାକୁ ଆସିଛି। ସେହିଭଳି ଏହା ପଛକୁ ରହିଛି ବିହାର ଏଠାରୁ ୫,୩୫୪ଟି ମାମଲା ଆସିଥିବା ବେଳେ ୨,୮୫୯ଟି ମାମଲା ସହିତ ତୃତୀୟରେ ରହିଛି ମଧ୍ୟପ୍ରଦେଶ। ସେହିଭଳି ୨,୩୮୯ ମାମଲା ସହିତ ତାଲିକାର ଚତୁର୍ଥରେ ପଶ୍ଚିମବଙ୍ଗ ଓ ୨,୨୪୪ ମାମଲା ସହିତ ପଞ୍ଚମରେ ରହିଛି ରାଜସ୍ଥାନ।

ତେବେ ଏହି ତାଲିକାର ୧୮ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ଗତ ୫ବର୍ଷରେ ଓଡ଼ିଶାରୁ ଆସିଛି ୧,୬୫୩ ଟି ଯୌତୁକ ହତ୍ୟା ମାମଲା। ତେବେ ବିସ୍ତୃତ ଭାବରେ କହିଲେ ଓଡ଼ିଶାରୁ ୨୦୧୭ ମସିହାରେ ୩୨୬ଟି ମାମଲା, ୨୦୧୮ରେ ୩୭୨ଟି, ୨୦୧୯ରେ ୩୪୨ଟି, ୨୦୨୦ରେ ୩୨୦ଟି ଓ ୨୦୨୧ରେ ମୋଟ ୨୯୩ଟି ଯୌତୁକ ହତ୍ୟା ମାମଲା ସାମ୍ନାକୁ ଆସିଛି।

ତେବେ ଏହି ତାଲିକାରେ ଏକମାତ୍ର ରାଜ୍ୟ ଭାବେ ମିଜୋରାମ ଓ ଏକମାତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଲକ୍ଷ୍ମୀଦୀପ ରହିଛି ଯେଉଁଠାରୁ ଗୋଟିଏ ହେଲେ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ ହୋଇନାହିଁ ବୋଲି ସରକାର ତଥ୍ୟ ପ୍ରଦାନ କରିଛନ୍ତି।

Related Posts