ପୋଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

(ସତ୍ୟପାଠ ବ୍ୟୁରୋ) ପୁରୀ: ସରକାରଙ୍କ ନଜର ଫାଇନ୍‌ ଉପରେ, 5-ଟି ସାର୍‌ଙ୍କ ନଜର ପ୍ରଚାର ପ୍ରସାର ଉପରେ ଏବଂ ପୋଲିସ କର୍ମଚାରୀ (କାମାନ୍ଧ)ଙ୍କ ନଜର ନାବାଳିକା, ଯୁବତୀ ଏବଂ ମହିଳାଙ୍କ ଉପରେ । ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜଘନ୍ୟ କାଣ୍ଡ ଘଟିଚାଲି ଥିବାବେଳେ କ’ଣ କରୁଛନ୍ତି ‘ମୋ ସରକାର’, କେଉଁଠି ଅଛନ୍ତି 5-ଟି ସାର୍ । କୁଆଡ଼େ ଗଲା 5-ଟିର ତୁରନ୍ତ ଆକ୍ସନ ମୋଡ଼ । ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ କରି ପୋଡ଼ି ଦେବାର ନିଆଁ ଲିଭିନଥିବା ବେଳେ ଜଣେ ଯୁବତୀଙ୍କୁ ନିମାପଡ଼ାରୁ ପୁରୀ ଆଣି ପୋଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ କରିବା ଘଟଣା ଏବେ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଘଟଣାକୁ ତୀବ୍ର ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମାଆକୁ ସମ୍ମାନର କଥା କହୁଥିବା ସରକାରରେ ସବୁଠୁ ବେଶି ଅସୁରକ୍ଷିତ ଅଛନ୍ତି ମହିଳା । ଖୋଦ୍‌ ରକ୍ଷକ ଏବେ ଭକ୍ଷକ ସାଜିଛି । ତେଣୁ ପୋଲିସ ବିଭାଗର ମୁଖିଆ ଭାବେ ନବୀନ ବାବୁ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରଦୀପ୍ତ ନାୟକ । ସ୍ମିତାରାଣୀଙ୍କଠାରୁ ଆରମ୍ଭ କରି ରାଇରଙ୍ଗପୁରରେ ଅଧ୍ୟାପିକାଙ୍କ ମୃତ୍ୟୁ ଏବଂ ଏବେ ପୁରୀ  ଘଟଣା ସରକାରଙ୍କ ମୁଖା ଖୋଲି ଦେଇଥିବା କହିଛନ୍ତି ବିରୋଧୀ ଦଳ ନେତା ।

ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଗିରଫ

ସେପଟେ ଆଇପିସିର ଧାରା ୩୭୬(ଜି) ଓ ପୋ‌କ୍‌ସୋ ଆଇନ୍‌ରେ ମଧ୍ୟ ମାମଲା (କେସ୍‌ ନଂ-୩୦୮/୨୦୧୯) ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ସମେତ ୨ ଗିରଫ କରିଥିବା ବେଳେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । |

ପୀଡ଼ିତାଙ୍କ କହିବା ଅନୁଯାୟୀ ଗତକାଲି ଅପରାହ୍ଣ ପ୍ରାୟ ୨ଟା ବେଳେ ସେ ଭୁବନେଶ୍ବରରୁ ନିଜ ଗାଁ’କୁ ଫେରୁଥିଲେ। ତାଙ୍କ ବସ୍‌ ନିମାପଡ଼ା ବସ୍‌ଷ୍ଟାଣ୍ଡରେ ଅଟକିବା ପରେ ଭୋକ ହେବାରୁ ସେଠାରେ ଓହ୍ଲାଇ ହୋଟେଲରୁ ଆଳୁଦମ ଓ ଦହିବରା ଖାଇଥିଲେ। ମାତ୍ର ଏହି ସମୟରେ ତାଙ୍କ ବସ୍‌ଟି ଚାଲି ଯାଇଥିଲା । ତେଣୁ ସେ ଅନ୍ୟ ଏକ ବସ୍‌ରେ ଯିବା ପାଇଁ ସେଠାରେ ଅପେକ୍ଷା କରିଥିବା ବେଳେ ଜି‌ତୁ ସେଠାରେ ପହଞ୍ଚି ତାଙ୍କୁ କୁଆଡ଼େ ଯିବ ବୋଲି ପଚାରିଥିଲା । ଯୁବତୀ ନିଜ ଗାଁ’ କାକଟପୁରକୁ ଯିବା ପାଇଁ କହିବାରୁ ସେ ଛାଡ଼ିଦେବ ବୋଲି କହିଥିଲା । ନାବାଳିକା ପ୍ରଥମେ ତାଙ୍କୁ ଅବିଶ୍ବାସ କରି ଯିବାକୁ ଅମଙ୍ଗ ‌ହେବାରୁ ଜିତୁ ନିଜର ପୋଲିସ ପରିଚୟ ପତ୍ର ଦେଖାଇ ବିଶ୍ବାସ ଜନ୍ମାଇଥିଲା । ଏହାପରେ ଏକ ଲାଲ ରଙ୍ଗର କାର୍‌ରେ ଛାଡ଼ିଦେବ ବୋଲି କହିବାରୁ ନାବାଳିକା ବିଶ୍ବାସ କରି ଉକ୍ତ କାର୍‌ରେ ବସିଥିଲେ। କାର୍‌ରେ ଜିତୁ ସହିତ ଚାରି ଜଣ ଯୁବକଙ୍କୁ ଦେଖି ସେ ଭୟଭୀତ ହେବାରୁ ସେମାନେ ତାଙ୍କୁ ଗାଁ’ରେ ଛାଡ଼ିଦେଇ ଚାଲିଯିବେ ବୋଲି କହିଥିଲେ। ତେବେ ସେମାନେ ତାଙ୍କୁ ପୁରୀରେ ଥିବା ଜିତୁର ପୋଲିସ କ୍ବାର୍ଟର୍ସକୁ ନେଇଯାଇଥିଲେ ।  ଜିତୁର ପତ୍ନୀ  ଡିଉଟି ଯାଇଥିବା ବେଳେ କ୍ବାର୍ଟର୍ସରେ ଜିତୁ ଏହି ନାବାଳିକାଙ୍କୁ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ଏହି ସମୟରେ ଅନ୍ୟ ଦୁଇ ଜଣ ବାହାରେ ଜଗି ରହିଥିବା ବେଳେ ଜିତୁର ଅନ୍ୟ ଜଣେ ସହଯୋଗୀ ମଧ୍ୟ ଦୁଷ୍କର୍ମ କରିଥିଲା ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି । ଏହାପରେ ସେମାନେ ତାଙ୍କୁ ଉକ୍ତ ରୁମ୍‌ରେ ବନ୍ଦ କରି ବାହାରକୁ ଚାଲି ଯାଇଥିଲେ। ଏହାର ସୁଯୋଗ ନେଇ ସେ ପାଖରେ ଥିବା ଲୋକମାନଙ୍କୁ ଡାକି ସେଠାରୁ ଖସି ଆସିଥିଲେ ଏବଂ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ ।

ପୀଡ଼ିତା  ନିଜ ମୋବାଇଲରେ ଗଣଦୁଷ୍କର୍ମର ପ୍ରମାଣ ରଖିଥିବା କହିଛନ୍ତି । ଏହା ସହ କୌଶଳ କ୍ରମେ ଜିତେନ୍ଦ୍ରର ମନିପର୍ସଟିକୁ ମଧ୍ୟ ସେ ଆଣି ପୋଲିସ ଜିମାରେ ଦେଇଛନ୍ତି । ଯେଉଁ ସମୟରେ ଜିତେନ୍ଦ୍ର ତାଙ୍କ ସହ ଦୁଷ୍କର୍ମ କରୁଥିଲା, ସେ ନିଜ ମୋବାଇଲରେ କୌଶଳ କ୍ରମେ ଏହାର ଭିଡିଓ ସୁଟିଂ କରି ନେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ଯୁବତୀଙ୍କ ବୟାନ ରେକର୍ଡ କରିଥିଲା । ସିଟି ଡିଏସ୍‌ପି କ୍ଷୀରସାଗର ନାୟକଙ୍କ ନେତୃତ୍ବରେ କୁମ୍ଭାରପଡ଼ା ଥାନା ଆଇଆଇସି କୁଳମଣି ସେଠୀ ପୋଲିସ କ୍ବାର୍ଟର୍ସରେ ପହଞ୍ଚି ଗତକାଲି ରାତିରେ ଅଭିଯୁକ୍ତ ଜିତୁକୁ ଥାନାକୁ ଉଠାଇ ଆଣିଥିଲେ । ପରେ ପରେ ଅନ୍ୟ ୪ ଜଣ ମଧ୍ୟ ପୋଲିସ ହାତରେ ଧରା ପଡ଼ିଯାଇଥିଲେ।

ତେବେ ଚାରି ଜଣ ଯୁବକ ବସିଥିବା କାର୍‌ରେ ନାବାଳିକା ଜଣକ କାହିଁକି ବସିଥିଲେ ଏବଂ କାକଟପୁରକୁ ଯିବା ପରିବର୍ତ୍ତେ ଜିତେନ୍ଦ୍ରର କ୍ବାର୍ଟର୍ସକୁ କାହିଁକି ଯାଇଥିଲେ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସେହିପରି ପୋଲିସ କ୍ବାର୍ଟର୍ସର ଗୋଟିଏ ରୁମ‌୍‌ରେ ଜିତେନ୍ଦ୍ରର ପୁଅ ଶୋଇଥିବା ବେଳେ ଦୁଷ୍କର୍ମ ସମୟରେ ସେ ଚିତ୍କାର କରିଥିଲେ କି ନାହିଁ ତା’କୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏହି କ୍ବାର୍ଟର୍ସ ପାଖରେ ଥିବା ଅନ୍ୟ କ୍ବାର୍ଟର୍ସର ଲୋକମାନେ କିପରି ଏହି ପୀଡ଼ିତାଙ୍କ ଚିତ୍କାର ଶୁଣିପାରିନଥିଲେ ସେନେଇ ଛାନଭିନ୍‌ ଚଳାଇଛି ପୋଲିସ ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରାୟ ଦୁଇ ବର୍ଷ ତଳେ ପୂର୍ବତନ ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ବ୍ଲାକ୍‌ମାର୍କ ଯୋଗୁଁ ଜିତେନ୍ଦ୍ର ସମେତ ୬ ଜଣ କନେଷ୍ଟବଳଙ୍କୁ ବହିଷ୍କୃତ କରିଥିଲେ । ଏହାଛଡ଼ା ଜିତେନ୍ଦ୍ର ନାଁରେ ପୂର୍ବରୁ ଅନେକ ମାମଲା ରହିଛି । ପୂର୍ବରୁ କଟକରେ ନିଜର ସମ୍ପର୍କୀୟା ଶାଶୂଙ୍କୁ ଦୁଷ୍କର୍ମ କରି ଗିରଫ ହୋଇଥିଲା ଜିତେନ୍ଦ୍ର । ସେହିପରି ନିଜର ଦ୍ବିତୀୟ ପତ୍ନୀଙ୍କୁ ନିଆଁ ଲଗାଇ ଜିତେନ୍ଦ୍ର ହତ୍ୟା ଉଦ୍ୟମ କରି ଗିରଫ ମଧ୍ୟ ହୋଇଥିଲା । ପୋଲିସ କାର୍ଯ୍ୟକାଳ ସମୟରେ ସେ ଅନେକ ଯୁବତୀଙ୍କ ସହିତ ଯୌନ ସମ୍ପର୍କ ରଖିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଜିତେନ୍ଦ୍ରର ଚରିତ୍ର କଳଙ୍କିତ ରହିଥିବାରୁ ଶେଷରେ ତାଙ୍କୁ ସେ ସମୟର ଏସ୍‌ପି ଡା. ଷଡ଼ଙ୍ଗୀ ବାଧ୍ୟ ହୋଇ ଚାକିରିରୁ ବହିଷ୍କୃତ କରିଥିଲେ।

Related Posts