କର୍ଣ୍ଣାଟକର ବୁଦ୍ଧିମାନ ଚାଷୀ ଶ୍ରୀକାନ୍ତ

(ସତ୍ୟପାଠ ବ୍ୟୁରୋ) ସାବଧାନ, ବିଲରେ ଫସଲ ଜଗିଛି ବାଘ । ଚାଷୀଙ୍କ ସାରା ବର୍ଷର ପରିଶ୍ରମ ଉପରେ କେହି ଆଖି ପକାଅ ନାହିଁ । ନହେଲେ ବାଘ ହାବୁଡ଼ରୁ ବର୍ତ୍ତିପାରିବନି । କଥାଟା ଅଜବ ଲାଗୁଥିଲେ ବି ଏଭଳି ଘଟଣା ଘଟିଛି କର୍ଣ୍ଣାଟକର ନଲୁରୁ ଗାଁରେ । ଯେଉଁଠି ମାଙ୍କଡ଼ଙ୍କ ଦାଉରୁ ଫସଲ ବଞ୍ଚାଇବା ପାଇଁ ଚାଷୀ ଶ୍ରୀକାନ୍ତ ଗୌଡ଼ା ଆପଣାଇଛନ୍ତି ନୂଆ ଉପାୟ । ଯାହାକୁ ନେଇ ସବୁଆଡ଼ୁ ତାଙ୍କୁ ମିଳୁଛି ପ୍ରଶଂସା । ମାଙ୍କଡ଼କୁ ଡରାଇବା ପାଇଁ ଶ୍ରୀକାନ୍ତ ନିଜର ପୋଷା କୁକୁର ଦେହରେ ରଙ୍ଗ ବୋଳି ତାକୁ ବାଘ ଭଳି ସଜେଇଛନ୍ତି । ଏହି ରଙ୍ଗ ମାସେ ଯାଏ କୁକୁର ଦେହରେ ରହି ପାରିବ । ଅର୍ଥାତ କୁକୁର ମାସକ ପାଇଁ ବାଘ ହୋଇ ମାଙ୍କଡ଼ଙ୍କୁ ଡରାଇବ । ରଙ୍ଗ ଛାଡ଼ିଗଲେ ପୁଣି ଥରେ କୁକୁର ଦେହରେ ରଙ୍ଗ କରିବେ ବୋଲି କହିଛନ୍ତି ଚାଷୀ ଶ୍ରୀକାନ୍ତ ।

କୁକୁର ବାଘ ହେବା ପରେ ଚାଷୀ ଖୁସ୍

କର୍ଣ୍ଣାଟକରେ ଏବେ ଚାଷୀଙ୍କ ଫସଲ ନଷ୍ଟ କରୁଛନ୍ତି ମାଙ୍କଡ଼ । ଦିନକୁ ଦିନ ମାଙ୍କଡ଼ଙ୍କ ଉପଦ୍ରବ ବଡ଼ୁଥିବାରୁ ଚିନ୍ତାରେ ଚାଷୀ ଥିବା ବେଳେ ଫସଲ ବଞ୍ଚାଇବାକୁ ଶ୍ରୀକାନ୍ତଙ୍କ କୁକୁରକୁ ବାଘ ବନାଇବା ଡ୍ରାମା ଖୁବ ପ୍ରଶଂସା ସାଉଁଟୁଛି । ଶ୍ରୀକାନ୍ତଙ୍କ ଏଭଳି ଉପାୟକୁ ଦେଖି ଚାଷୀମାନେ ବହୁତ ଖୁସି ଥିବା ଜଣାପଡ଼ିଛି ।

ସାହସୀ ଚାଷୀ ଶ୍ରୀକାନ୍ତ

ମାଙ୍କଡ଼ଙ୍କୁ ଡରାଇବାକୁ ଶ୍ରୀକାନ୍ତଙ୍କ ମୁଣ୍ଡକୁ ଏଭଳି ଉପାୟ ଆସିଲା କେଉଁଠୁ ?

କାହିଁକି କୁକୁରକୁ ସେ ବାଘ କରିବାକୁ ଚାହିଁଲେ ?

ସୂଚନା ଅନୁସାରେ ଶ୍ରୀକାନ୍ତ 4 ବର୍ଷ ପୂର୍ବେ ଉତ୍ତର କନ୍ନଡ଼ ଜିଲ୍ଲାର ଭଟ୍ଟକଳ ନିକଟରେ ଜଣେ କୃଷକ ନିଜର ଫସଲ ବଞ୍ଚାଇବାକୁ ବାଘର ଏକ କଣ୍ଡେଇ ତାଙ୍କ କ୍ଷେତରେ ରଖିଥିବା ଦେଖି ଥିଲେ । ଏହି ଉପାୟକୁ 3 ଦିନ ତଳେ ପ୍ରଥମେ ଶ୍ରୀକାନ୍ତ ତାଙ୍କ କ୍ଷେତରେ ବ୍ୟବହାର କରିଥିଲେ । ବାଘର ଏକ ବଡ଼ କଣ୍ଡେଇ ଆଣି ପ୍ରଥମେ ଜମିର ଏକ ପାଖରେ ରଖି ଦେଖିଲେ ଯେ ଡରରେ କୌଣସି ମାଙ୍କଡ଼ ଫସଲ ଖାଇବାକୁ ତାଙ୍କ କ୍ଷେତକୁ ଆସୁ ନାହାନ୍ତି । ଏହି ଉପାୟକୁ ସେ ଜମିର ଅନ୍ୟ ପ୍ରାନ୍ତରେ ବି ବ୍ୟବହାର କରି ସମାନ ଫଳ ପାଇଥିଲେ ।

ଏଭଳି ଉପାୟକୁ କଣ୍ଡେଇ ମାଧ୍ୟମରେ ନୁହେଁ ଏହାର ଏକ ସ୍ଥାୟୀ ଉପାୟ ବାହାର କରିବାକୁ ଚିନ୍ତା କରିଥିଲେ ଶ୍ରୀକାନ୍ତ । ଶେଷରେ ନିଜର କୁକୁର ଦେହରେ ରଙ୍ଗ ଲଗାଇ ବାଘ ବେଶରେ ସଜାଇ ଥିଲେ । ବାଘ ବେଶରେ କୁକୁରକୁ ଦେଖି ଏବେ କ୍ଷେତକୁ କୌଣସି ମାଙ୍କଡ଼ ଆସୁନଥିବା କହିଛନ୍ତି ଶ୍ରୀକାନ୍ତ ।

ଶ୍ରୀକାନ୍ତଙ୍କ ଭଳି କକ୍କାରାଶି ଗାଁରେ ଆଉ ଜଣେ ଚାଷୀ ଜେ.ଏସ୍. ଚିଦାନନ୍ଦ ଗୌଡ଼ା ବି ନିଜର ମକ୍କା କ୍ଷେତରେ ମାଙ୍କଡ଼ଙ୍କୁ ଡରାଇବା ପାଇଁ କୁକୁର ଭୁକିବା ଭଏସକୁ ରେକଡିଂ କରି ବଜାଉଛନ୍ତି । ଯାହା ଦ୍ବାରା ତାଙ୍କ କ୍ଷେତକୁ ମାଙ୍କମାନେ ଡରିକି ଆସୁନଥିବା ଜଣାପଡ଼ିଛି ।

ଚାଷୀଙ୍କୁ ସରକାରୀ ସ୍ତରରେ କୌଣସି ପ୍ରୋତ୍ସାହନ ମିଳୁନଥିବା ବେଳେ ନିଜ ଆଡ଼ୁ ବୁଦ୍ଧି ବ୍ୟବହାର କରି ଫସଲ ବଞ୍ଚାଉଥିବା ଶ୍ରୀକାନ୍ତଙ୍କ ଭଳି ଚାଷୀଙ୍କୁ ସବୁ ବର୍ଗର ଲୋକେ ପ୍ରଶଂସା କରିଛନ୍ତି ।

Related Posts