ଅଣ୍ଡରୱାର୍ଲ୍ଡରେ ଉଚ୍ଚଶିକ୍ଷିତା ଓ ସୁନ୍ଦରୀ

ବ୍ୟୁଟି-ବ୍ରେନ ଓ ଭାଇ: ଭାଇଗିରିର ବଦଲତୀ ଚେହେରା

(ସତ୍ୟପାଠ ବ୍ୟୁରୋ) କଟକ: ବଦଳୁଛି ଭାଇଗିରିର ଚେହେରା । ଅଣ୍ଡରୱାର୍ଲ୍ଡରେ ଏବେ ଉଚ୍ଚଶିକ୍ଷିତା ଏବଂ ସୁନ୍ଦରୀଙ୍କୁ ଦିଆଯାଉଛି ଗୁରୁତ୍ବ । ସୁନ୍ଦର ଚେହେରାକୁ ଢାଲ କରି ସମସ୍ତଙ୍କୁ ଚକ୍‌ମା ଦେଇ କରାଯାଉଛି ଗୋଟିଏ ପରେ ଗୋଟିଏ ଅପରାଧ । ଏବେ ଗଳିର ଟୋକାକୁ ଆପରାଧିକ କାର୍ଯ୍ୟରେ ଲଗାଇବା ଅପେକ୍ଷା ସୁନ୍ଦର ଚେହେରାକୁ ବାଛୁଛନ୍ତି ବଡ଼ ବଡ଼ ଅପରାଧୀ ।

ଗ୍ୟାଙ୍ଗଷ୍ଟରର ସାମ୍ରାଜ୍ୟ ଚଳାଉଛନ୍ତି ବାନ୍ଧବୀ, ବନ୍ଧା ହେଲେ ଲେଡି ‘ଡନ୍’

ଜେଲରେ ଭିତରେ ଗ୍ୟାଙ୍ଗଷ୍ଟର ରହିଲେ ବି ଅପରାଧର ସାମ୍ରାଜ୍ୟ ଚଳାଉଛନ୍ତି ତାଙ୍କ ବାନ୍ଧବୀ । ଏବେ ଗ୍ୟାଙ୍ଗଷ୍ଟର୍‌ ସକିଲ୍‌ର ପ୍ରେମିକା ଡେଜି ଓରଫ ନସରିନ ଖାଁଙ୍କ ଗିରଫ ଘଟଣା ପରେ ଆହୁରି ରୋଚକ ତଥ୍ୟ ସାମ୍‌ନାକୁ ଆସୁଛି । ତଥ୍ୟ ଅନୁସାରେ, ଡେଜି ଚୌଦ୍ବାର ଜେଲ୍‌କୁ ବାରମ୍ବାର ଯାଉଥିଲେ ଏବଂ ବିଭିନ୍ନ ସୂଚନା ମଧ୍ୟ ଦେଉଥିଲେ । ଆଇନରେ ଡିଗ୍ରି କରିଥିବା ଡେଜି ଏକପ୍ରକାର ସକିଲ ଏବଂ ତା’ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଯୋଗାଯୋଗର ମୁଖ୍ୟ ମାଧ୍ୟମ ଥିଲେ । ସକିଲର ଖାସ୍‌ ସହଯୋଗୀ ବରୁଣ ବାବୁ, ସେକ୍‌ ସାହିଦ୍‌, ମିର୍ଜା ଅଫ୍‌ତାର‌୍‌ଙ୍କ ଭଳି ଅପରାଧୀ ଏବେ ସହରରେ ଗ୍ୟାଙ୍ଗକୁ ନିୟନ୍ତ୍ରଣ କରୁଛନ୍ତି । ଡେଜିଙ୍କୁ ଗିରଫ କରିବା ପରେ ପୋଲିସ ସକିଲଙ୍କ ଦ୍ବିତୀୟ ବାନ୍ଧବୀଙ୍କ ସମ୍ପର୍କରେ ସୂଚନା ପାଇଥିଲା । ଗତକାଲି କେଶରପୁର ଅଞ୍ଚଳରୁ ସକିଲଙ୍କ ଦ୍ବିତୀୟ ବାନ୍ଧବୀ ରେଶମ ଓରଫ ନିଖତ ନସିମଙ୍କୁ ଗିରଫ କରିଛି । ସହରରେ କେଉଁମାନଙ୍କୁ ଦାଦାବଟି ମଗାଯିବ ଏବଂ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନର ନମ୍ବର ସଂଗ୍ରା କରି ସକିଲକୁ ଦେଉଥିଲେ ରେଶମ । ଏନେଇ ପୋଲିସ 6 ମାସ ପୂର୍ବରୁ ପ୍ରଥମ ବାନ୍ଧବୀ ଡେଜିଙ୍କୁ ସଚେତନ କରାଇଥିଲେ ବି ସେ ଏହି କାମରୁ ବିରତ ରହିନଥିଲେ । ରେଶମଙ୍କୁ ଜେରା ବେଳେ ସକିଲର ଗ୍ୟାଙ୍ଗରେ 10 ଜଣ ଯୁବତୀ ସାମିଲ ଥିବା ପୋଲିସ ଜାଣିବାକୁ ପାଇଛି ।

ଅପରାଧ ଦୁନିଆରେ ସୁନ୍ଦରୀ

ଗୁଣ୍ଡାଙ୍କ ବନ୍ଧୁକ ଅପେକ୍ଷା ଏବେ ସୁନ୍ଦରୀଙ୍କ ଚାହାଣୀ ଲୋକଙ୍କୁ କରୁଛି ଘାଇଲା । ଆଉ ଆପରାଧିକ କାର୍ଯ୍ୟ ପାଇଁ ଜଣେ ଆଇନ ଛାତ୍ରୀ ଏବଂ ଆଉ ଜଣେ ଏୟାରହୋଷ୍ଟେଜଙ୍କ ନାଁ ସାମ୍ନାକୁ ଆସିବା ପରେ ଗ୍ୟାଙ୍ଗଷ୍ଟରଙ୍କ ଭାଇଗିରି ବଦଳିଥିବା ଜଣାପଡ଼ିଛି । ଗୁଣ୍ଡାଙ୍କ ବନ୍ଧୁକ ବଦଳରେ ଏବେ ସୁନ୍ଦର ଚେହେରା ସାଙ୍ଗକୁ ଉଚ୍ଚଶିକ୍ଷିତା ବା ଚାଲକ ଯୁବତୀଙ୍କୁ ଏଥିରେ ସାମିଲ କରାଯିବା ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାରଣ ସୁନ୍ଦର ଚେହେରା ଏବଂ ଚାଲକ ଯୁବତୀଙ୍କ ଉପରେ କାହାର ସନ୍ଦେହ ଏତେ ଶୀଘ୍ର ଯାଉନଥିବାରୁ ସେମାନଙ୍କ ଦ୍ବାରା ଅପରାଧ କରିବାକୁ ସୁବିଧା ହେଉଥିବାରୁ ସକିଲ ଭଳି ଗ୍ୟାଙ୍ଗଷ୍ଟରମାନେ ଏବେ ଅଣ୍ଡରୱାର୍ଲ୍ଡରେ ଯୁବତୀଙ୍କୁ ସାମିଲ କରୁଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ସକିଲ୍‌ର ଅନ୍ୟତମ ସହଯୋଗୀ କୁହାଯାଉଥିବା କାଦିର‌୍‌ ଗଲା ୬ ମାସ ହେବ ସକିଲଠାରୁ ଦୂରେଇ ଯାଇ ନିଜ ଢଙ୍ଗରେ ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଦେଇଛି । ଅନ୍ୟପଟେ ଏବେ ସକିଲ ଗ୍ୟାଙ୍ଗ୍‌ ନିର୍ଦ୍ଦିଷ୍ଟ ୫ଟି ସ୍କୁଲ ପଡ଼ିଆରେ ପ୍ରତ୍ୟେକ ଦିନ ଦରବାର ବସାଉଛନ୍ତି। ସେଠାରୁ ବଟି କାରବାର, ବନ୍ଧୁକ କାରବାର ଭଳି ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରାଯାଉଛି। ଡିସେମ୍ବର ୧୯ ତାରିଖରୁ ବର୍ତ୍ତମାନ ସୁଦ୍ଧା ସକିଲ୍‌ର ବାପା ମହମ୍ମଦ ଵାଜା, ଭାଇ ମହମ୍ମଦ ଅକିଲ, ପ୍ରେମିକା ଡେଜି ଓରଫ ନସରିନ୍‌ ଖାଁଙ୍କ ସମେତ ୭ ଜଣଙ୍କୁ ଗିରଫ କରି ସାରିଲାଣି । ଏବେ ସକିଲ୍‌ ଗ୍ୟାଙ୍ଗ୍‌ର ପ୍ରମୁଖ ସଦସ୍ୟ କୁହାଯାଉଥିବା ୧୦ ଜଣଙ୍କ ତାଲିକା କମିସନରେଟ୍‌ ପୁଲିସ ପ୍ରସ୍ତୁତ କରିଛି । ଏମାନେ ମୁଖ୍ୟତଃ ମଙ୍ଗଳାବାଗ, କ୍ୟାଣ୍ଟନ୍‌ମେଣ୍ଟ, ଲାଲବାଗ ଓ ସଦର ଥାନା ଅଞ୍ଚଳରେ ସକ୍ରିୟ ଥିବା କୁହାଯାଉଛି।

କାହିଁକି ଚର୍ଚ୍ଚାକୁ ଆସିଲା ଗ୍ୟାଙ୍ଗଷ୍ଟର ସକିଲ

କଟକ ସହରର ଜଣାଶୁଣା ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ । 2011 ମସିହାରେ ଅପରାଧ ଦୁନିଆରେ ପାଦ ଥାପିବା ପରେ ସକିଲ ଧୀରେ ଧୀରେ ଡକାୟତି, ରାହାଜାନି, ଟେଣ୍ଡର ଫିକ୍ସିଂ ଓ ପୋଲିସକୁ ଆକ୍ରମଣ ଭଳି ସଙ୍ଗୀନ ଅପରାଧ ଘଟାଉଥିଲା । 2017 ମସିହାରେ ଗୋଟିଏ ଦିନରେ 2ଟି ଜାଗାରେ ବୋମାମାଡ଼ ଓ ପୋଲିସ ଉପରକୁ ଗୁଳିମାଡ଼ କରି ଚର୍ଚ୍ଚାକୁ ଆସିଥିଲା ସକିଲ । ସକିଲ ପ୍ରାୟ ବର୍ଷରୁ ଅଧିକ ସମୟ ଚୌଦ୍ବାର ଜେଲ୍‌ରେ ଥିଲେ ବି କଟକରେ ଏବେ ବି ତାର ଗ୍ୟାଙ୍ଗ ସକ୍ରୀୟ ଅଛନ୍ତି ।

Related Posts