ପ୍ରିନ୍‌ସିପାଲଙ୍କୁ କିଳା ହେଲା ଉପଦେଶ

(ସତ୍ୟପାଠ ବ୍ୟୁରୋ) ଗଞ୍ଜାମ: ସ୍ଥାନ, କାଳ ଓ ପାତ୍ର ଭୁଲିବା କଲେଜ ଅଧ୍ୟକ୍ଷଙ୍କୁ ପିଡ଼ିଲା ମହଙ୍ଗା । ପ୍ରିନ୍‌ସିପାଲଙ୍କ ପାଇଁ କିଳା ହୋଇ ଫେରିଲା ୨ ବର୍ଷ ତଳର ଭାଷଣ । ଯେଉଁଥିରେ ଉପଦେଶ ଆଳରେ ନିଜ କଲେଜ ଛାତ୍ରୀଙ୍କ ଚରିତ୍ର ସଂହାର କରୁଛନ୍ତି ଅଧ୍ୟକ୍ଷ । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଜନତା ବିଜ୍ଞାନ ମହାବିଦ୍ୟାଳୟରେ ଘଟିଛି । କଲେଜ ପଛ ପଟରେ ଥିବା ରୁମ୍‌କୁ ଘଣ୍ଟାଏ ପାଇଁ ୨୦୦ ଟଙ୍କା ନେଇ ଛାତ୍ରୀମାନେ ଖରାପ କାମ କରୁଥିବା କହୁଛନ୍ତି କଲେଜ ଅଧ୍ୟକ୍ଷ । କଲେଜର ଏକ କାର୍ଯ୍ୟକ୍ରମରେ ଉପଦେଶ ଛଳରେ ଏଭଳି ଏକ ୨ ରବର୍ଷ ତଳ ଭାଷଣର ଭିଡିଓ ହୋଇଛି ଭାଇରାଲ । ଏଭଳି ଭିଡ଼ିଓକୁ ନେଇ ଏବେ ଜିଲାରେ ଚର୍ଚ୍ଚା ଜୋର ଧରିଛି । ଯଦିଓ ସାର୍‌ଙ୍କ ଉଦ୍ଦେଶ୍ୟ ମହତ, କିନ୍ତୁ ସ୍ଥାନ, କାଳ ଓ ପାତ୍ର ଭୁଲି ଯିବା ପ୍ରିନ୍‌ସିପାଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କେଉଁ ସମୟରେ କେଉଁ ଜାଗାରେ କୋଉ କଥା କହିବା କଥା ତାହା ଭୁଲି ଯାଇଛନ୍ତି ସାର୍‌ । ଅବଶ୍ୟ ଭିଡିଓରେ ସାର୍‌ କହୁଛନ୍ତି ଯେ କଲେଜରେ କିଛି ଛାତ୍ରୀଙ୍କ ପାଇଁ ସବୁ ପିଲା ବଦନାମ ହେଉଛନ୍ତି । ଅର୍ଥାତ ସାର୍‌ କଲେଜର କିଛି ପିଲାଙ୍କୁ ଖରାପ କହିବା ସହ ଅନ୍ୟମାନଙ୍କୁ ଭଲ ବୋଲି କହିଛନ୍ତି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରିନ୍ସିପାଲ ଏଭଳି କହିବା ବେଳେ କଲେଜର ଅନ୍ୟ ଶିକ୍ଷକ ଏବଂ କର୍ମଚାରୀମାନେ ଥିଲେ ବି ଏହାକୁ କେହି ପ୍ରତିବାଦ କରି ନଥିଲେ । ସାର୍‌ଙ୍କ ଭାଷଣ ଶୁଣି ଛାତ୍ରୀମାନେ ମୁଣ୍ଡ ତଳକୁ କରିଥିବେ ଭାଇରଲ ଭିଡ଼ିଓରେ ସ୍ପଷ୍ଟ ଜଣାପଡ଼ୁଛି । ତେବେ କେଉଁ ଛାତ୍ରୀ ଏହି ଭଳି ଘଟଣାରେ ସଂପୃକ୍ତ ଅଛନ୍ତି ଓ ପ୍ରିନ୍ସିପାଲ କାହାକୁ ଇଙ୍ଗିତ କରୁଛନ୍ତି ତାହା ଜଣାପଡୁନାହିଁ । କିଛି ଛାତ୍ରୀଙ୍କ ପାଇଁ ପୂରା ସଭାରେ କଲେଜର ଛାତ୍ରୀମାନଙ୍କ ଚରିତ୍ରର ସଂହାର କରିବା କେତେଦୂର ଠିକ୍ ତାକୁ ନେଇ ଅନେକ ପ୍ରଶ୍ନ ।

ପ୍ରିନ୍‌ସିପାଲଙ୍କ ଏଭଳି ବିବାଦୀୟ ବା ନିନ୍ଦନୀୟ ଭାଷଣ ବେଳେ ଅନ୍ୟ ଅଧ୍ୟାପକମାନେ ଉପସ୍ଥିତ ଥିଲେ ବି କେହି ବାରଣ କଲେନି କାହିଁକି ?
କଲେଜର କିଛି ଛାତ୍ରୀ ଯଦି ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି ତାଙ୍କୁ ବ୍ୟକ୍ତିଗତ ଭାବେ ନଜଣାଇ ଭରା ସଭାରେ ଏଭଳି କହିଲେ କାହିଁକି ?
ଏଭଳି ନିନ୍ଦନୀୟ ଘଟଣାରେ କେଳବ କଲେଜ ଛାତ୍ରୀ ସମ୍ପୃକ୍ତ ନା କଲେଜର କିଛି ଅଧ୍ୟାପକ ବା କର୍ମଚାରୀ ବି ସାମିଲ ଅଛନ୍ତି ?
କଲେଜ ଅଧ୍ୟକ୍ଷ ଛାତ୍ରୀଙ୍କ ଅଭିଭାବକଙ୍କୁ ନଜଣାଇ ସଭାରେ ଏଭଳି କହିଲେ କାହିଁକି ?
ଏଭଳି କରି ଭରା ସଭାରେ ପୂରା କଲେଜ ଛାତ୍ରୀଙ୍କ ଚରିତ୍ର ଉପରକୁ ଅଧ୍ୟକ୍ଷ ଅଙ୍ଗୁଳି ଉଠାଇନାହାନ୍ତି ତ ?

ସେପଟେ ଭିଡ଼ିଓ ଭାଇରଲ ହେବା ପରେ ଅଧ୍ୟକ୍ଷ  ସନ୍ତୋଷ କୁମାର ପଣ୍ଡା ଛୁଟିରେ ଥିବା ଜଣାପଡ଼ିଛି । କିଛି ଛାତ୍ରୀ ଏହାକୁ ନିନ୍ଦା କରିଥିବା ବେଳେ ଆଉ କିଛି ଏହାକୁ ଅଧ୍ୟକ୍ଷଙ୍କ ଉପଦେଶ ବୋଲି କହିଛନ୍ତି ।

Related Posts