ଗଞ୍ଜାମରେ ଯାତ୍ରୀବାହୀ ବସ୍ ବିଦ୍ୟୁତ ଦୁର୍ଘଟଣା: ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ February 10, 2020satyapathaବଡ ଖବରମୁଖ୍ୟ ଖବରରାଜନୀତିରାଜ୍ୟ ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋଳନ୍ତରା ଠାରେ ଯାତ୍ରୀବାହୀ ବସ୍ ବିଦ୍ୟୁତ୍ ଦୁର୍ଘଟଣା ବିଦ୍ୟୁତ୍ ବିତରକ କମ୍ପାନୀ ଓ ଶକ୍ତି ବିଭାଗର ଦାୟିତ୍ୱହୀନତା ଯୋଗୁଁ ୧୦ ଜଣ ନିରୀହ ଯାତ୍ରୀଙ୍କ ଜୀବନ ଅକାଳରେ ଝଡି ପଡିଛି । ଏହାକୁ ନେଇ ମୃତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ବସ୍ରେ ବିଦ୍ୟୁତ୍ ତାର ଲାଗିବା ପରେ ତୁରନ୍ତ ବିଦ୍ୟୁତ୍ ସରବରାହ କଟିଲା ନାହିଁ କାହିଁକି? ଟ୍ରିପ୍ ସ୍ୱିଚ୍ ନଥିବା ଯୋଗୁଁ ୧୦ ଜଣ ଯାତ୍ରୀ ମୃତ୍ୟୁବରଣ କଲେ । ଇଲେକ୍ଟ୍ରିକାଲ୍ ଇନ୍ସ୍ପେକ୍ଟରଙ୍କ ପକ୍ଷରୁ ସଂପୃକ୍ତ ଅଂଚଳର ପିରିୟଡିକାଲ ଇନ୍ସ୍ପେକ୍ସନ କାହିଁକି କରାଯାଇ ନଥିଲା ? ୧୧ କେଭି ବିଦ୍ୟୁତ୍ ତାର ଭୂମି ଠାରୁ ୯ ମିଟର ଉପରେ ରହିବା କଥା । କିନ୍ତୁ ଦୁର୍ଘଟଣା ସ୍ଥାନରେ ୪ ମିଟରରୁ କମ୍ ଉଚ୍ଚତାରେ ତାର ଝୁଲିଥିଲା କିଭଳି ? ସାଉଥ୍କୋ ର ସିନିୟର ଜେନେରାଲ ମ୍ୟାନେଜର ଓ ଚିଫ୍ ସେଫ୍ଟି ମ୍ୟାନେଜରଙ୍କ ଭୂମିକା ସନ୍ଦେହରେ । ଏମାନେ ଇଲେକ୍ଟ୍ରିସିଟି ଲାଇସେନ୍ସସିଂ ବୋର୍ଡ ଅଫ୍ ଓଡିଶା ବା ଏଲ୍ବୋ ଠାରୁ ସାର୍ଟିଫିକେଟ୍ ପାଇଛନ୍ତି ନା ନାହିଁ ? ମୃତକଙ୍କ ପରିବାରବର୍ଗଙ୍କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଆହତଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ମାଗଣା ଚିକିତ୍ସା । ଦୁର୍ଘଟଣା ଘଟିବା ସମୟରେ ୧୧ କେଭି ବିଦ୍ୟୁତ୍ ତାର ବସ୍ ସଂସ୍ପର୍ଶରେ ଆସି ଜୀବନହାନି ଘଟିଥିବା ବେଳେ ଟ୍ରିପ୍ ମିଟର ନଥିବା ଯୋଗୁଁ ବିୁଦ୍ୟୁତ୍ ସରବରାହ ବନ୍ଦ ହୋଇନଥିଲା । ଫଳରେ ୧୦ ଜଣ ନିରୀହ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୩୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ । ଏଠାରେ ସାଧାରଣରେ ପ୍ରଶ୍ନ ଆସୁଛି ବିଦ୍ୟୁତ୍ ବିତରଣ କମ୍ପାନୀ ଯେଉଁ ସେଫ୍ଟି ସିକ୍ୟୁରିଟି ମେଜର ନେବା କଥା ତାହା ନେଇ ନଥିଲେ ଏବଂ ବିଦ୍ୟୁତ୍ ବିତରଣ କମ୍ପାନୀର କାର୍ଯ୍ୟକୁ ଯେଉଁ ଅଧିକାରୀମାନେ (ଇଲେକ୍ଟ୍ରିକାଲ ଇନ୍ସପେକ୍ଟର) ତଦାରଖ କରିବା କଥା ତାହା ସଂପୃକ୍ତ ଅଧିକାରୀମାନେ କରିନଥିଲେ । ଖାଲି ସେତିକି ନୁହେଁ, ରାଜ୍ୟ ସରକାର ସାଧାରଣ କମ୍ପାନୀ ଏବଂ ପ୍ରତିଷ୍ଠାତମାନଙ୍କରେ ଅଘଟଣ ଘଟିଲେ ଯେଭଳି ପଦକ୍ଷେପ ନେବାକଥା ତାହା ନିଅନ୍ତୁ ଓ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରି ଜେଲ ପଠାନ୍ତୁ ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଦାବି କରିଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, ନିଶିକାନ୍ତ ମିଶ୍ର, ଜିନେଶ ଦାସ, ଅମିତା ବିଶ୍ୱାଳ, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
AAP ବିଧାୟକମାନେ ବିଜେପି ସହିତ ଯୋଗାଯୋଗରେ ଅଛନ୍ତି, ଭବିଷ୍ୟତରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ: କଂଗ୍ରେସ ସାଂସଦ April 30, 2026