ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ସଞ୍ଜୀବ କୁମାର ପାଣିଗ୍ରାହୀ

କଟକ:ସଞ୍ଜୀବ କୁମାର ପାଣିଗ୍ରାହୀ ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ପୁରୁଣା କୋଠାରେ ରହିଥିବା ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା, ଜଷ୍ଟିସ ପାଣିଗ୍ରାହୀଙ୍କୁ ଶପଥ ପାଠ କରାଇଛନ୍ତି। ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବି ସଂଖ୍ୟା ୨୭ ରହିଥିବା ବେଳେ ଏବେ ବିଚାରପତି ସଂଖ୍ୟା ୧୪ରେ ପହଞ୍ଚିଛି। ତେବେ ଶପଥ ଗ୍ରହଣ ସମାରୋହରେ ହାଇକୋର୍ଟର ସମସ୍ତ  ବିଚାରପତି, ବିଚାର ବିଭାଗୀୟ ଅଧିକାରୀଙ୍କ ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା, ସ୍ଵତନ୍ତ୍ର ଡିଜି ସତ୍ୟଜିତ ମହାନ୍ତି, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଆଇନ ବିଭାଗ ସଚିବ ଶଶୀକାନ୍ତ ମିଶ୍ର, କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏନଏଲୟୁ କୁଳପତି ଶ୍ରୀକୃଷ୍ଣ ଦେଵାରାଓ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଡିସିପି ଅଖିଳେଶ୍ଵର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ, ସଂଜୀବ କୁମାର ପାଣିଗ୍ରାହୀ ବଲାଙ୍ଗୀର ସଦରବ୍ଲକ ବାରପୁଡୁଗିଆ ଗ୍ରାମର । ତାଙ୍କର ପ୍ରାଥମିକ ପାଠପଢା ଗାଁ ସ୍କୁଲରେ ହୋଇଥିଲା। ପରେ ସେ ଖୁଣ୍ଟପାଲି ସରକାରୀ ବିଦ୍ୟାଳୟରେ ପଢିଥିଲେ। ରାଜେନ୍ଦ୍ର କଲେଜରୁ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ। ଏହାପରେ ସମ୍ବଲପୁର ଏଲ୍‌ଆର୍ ଆଇନ ମହାବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଏବଂ ବାଙ୍ଗାଲୋରସ୍ଥିତ ଜାତୀୟ ଆଇନ ବିଦ୍ୟାଳୟରୁ ସେ ଏଲ୍‌ଏଲ୍‌ଏମ୍ ପାଠ୍ୟକ୍ରମ ଶେଷ କରିଥିଲେ। ଓକିଲାତି ଲାଇସେନ୍ସ ପାଇବା ପରେ କିଛି ଦିନ ହାଇକୋର୍ଟରେ ଓକିଲାତି କରିଥିଲେ। ଏହାପରେ ସେ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର‌୍ୟ୍ୟ ଆରମ୍ଭ କରିଥିଲେ। ଶ୍ରୀ ପାଣିଗ୍ରାହୀ ସୁପ୍ରିମକୋର୍ଟରେ ରିସର୍ଚ୍ଚ ଆସୋସିଏଟ୍ ଭାବେ କାର‌୍ୟ୍ୟ କରିଥିଲେ। ଜଣେ ସ୍ତମ୍ଭକାର ଭାବେ ମଧ୍ୟ ବିଭିନ୍ନ ନ୍ୟାୟିକ ପ୍ରସଙ୍ଗରେ ବିଭିନ୍ନ ସମ୍ବାଦପତ୍ରରେ ଲେଖନୀ ଚାଳନା କରୁଥିଲେ ଏବଂ ବିଭିନ୍ନ ଆଇନ ବିଶ୍ଵବିଦ୍ୟାଳୟରେ ଅତିଥି ଅଧ୍ୟାପକ ଭାବେ ଯୋଗ ଦେଇଥିଲେ।
Related Posts