ଜିଡିପିରେ ସୁଧାର: ଏପ୍ରିଲ୍‌-ଜୁନ୍‌ରେ ଅଭିବୃଦ୍ଧି ୨୦.୧%

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତର ଅର୍ଥନୀତିରେ ଧୀରେ ଧୀରେ ସୁଧାର ଆସୁଛି। ବିଶେଷ କରି କରୋନା ମହାମାରୀର କ୍ଷତିଗ୍ରସ୍ତ ହୋଇଥିବା ଭାରତୀୟ ଅର୍ଥନୀତିରେ ଏବେ ଆଶାତୀତ ସୁଧାର ଦେଖାଦେଇଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍-ଜୁନ୍ (ପ୍ରଥମ ତ୍ରୟମାସ) ରେ ଜିଡିପି ଅଭିବୃଦ୍ଧି ୨୦.୧% ରହିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ଦେଶର ଜିଡିପି ମୂଲ୍ୟ ଯାହା ୨୦୨୦ ଏପ୍ରିଲ୍‌-ଜୁନ୍‌ରେ ୨୬.୯୫ ଲକ୍ଷ କୋଟି ଟଙ୍କା ଥିବାବେଳେ ଏବେ ୩୨.୩୮ ଲକ୍ଷ କୋଟି ଟଙ୍କା ରହିଛି । ସେହିପରି ଗ୍ରସ୍ ଭାଲ୍ୟୁ ଆଡେଡ୍‌ (ଜିଭିଏ) ୩୦.୪୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଯାହାକି ଗତବର୍ଷ ଏହି ତିନି ମାସରେ ୨୫.୬୬ ଲକ୍ଷ କୋଟି ଟଙ୍କା ଥିଲା।

ଜିଭିଏରେ ୧୮.୮% ବୃଦ୍ଧି ହୋଇଛି। ଗତବର୍ଷର ଏପ୍ରିଲ୍‌-ଜୁନ୍ ତୁଳନାରେ ଚଳିତ ବର୍ଷ ସବୁ କ୍ଷେତ୍ର ପଜିଟିଭ୍ ଗ୍ରୋଥ ଦେଖାଦେଇଛି। ତେବେ କୃଷି କ୍ଷେତ୍ର ୪.୫%ର ଅଭିବୃଦ୍ଧି ହାସଲ କରିଥିବା ବେଳେ କନଷ୍ଟ୍ରକ୍ସନ ଓ ମାନୁଫାକ୍‌ଚରିଂ କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାର ଘଟିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ବିତ୍ତୀୟ ନିଅଣ୍ଟ ୩.୨୧ ଲକ୍ଷ କୋଟି ଟଙ୍କା ରହିଛି ଯାହା ସାରା ବର୍ଷ ଲାଗି ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ୨୧.୩% ।

ତେବେ ଏହି ସମୟ ମଧ୍ୟରେ ସରକାରଙ୍କ ମୋଟ ରାଜସ୍ବ ଆୟ ୫.୨୧ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ବ୍ୟୟ ୧୦.୦୪ ଲକ୍ଷ କୋଟି ଟଙ୍କା ରହିଛି। ଜୁଲାଇ-ସେପ୍ଟେମ୍ବର ତିନି ମାସ ଲାଗି ଜିଡିପି ତଥ୍ୟ ନଭେମ୍ବର ୩୦ରେ ଜାରି ହେଵ। କେନ୍ଦ୍ର ସରକାର ମଙ୍ଗଳବାର ଦିନ ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି) ତଥ୍ୟ ମଧ୍ୟ ଜାରି କରିଛନ୍ତି। ଏହି ସୂଚୀ ଅନୁଯାୟୀ ଖଣି କ୍ଷେତ୍ର ୨୭.୩%, ମାନୁଫାକ୍‌ଚରିଂ ୫୩.୭%, ବିଦ୍ୟୁତ ୧୬.୮% ଓ ଖଣିଜ ଓ ଧାତବ କ୍ଷେତ୍ର ୯୪.୨% ଅଭିବୃଦ୍ଧି ହାସଲ ହୋଇଥିବା ଜଣାପଡ଼ିଛି।

Related Posts