ଖେଳ ପାଇଁ ନୁହେଁ, ଅଧିକ ଟଙ୍କା ପାଇଁ ଭାରତ ବିଶ୍ଵ କ୍ରିକେଟର ଗେହ୍ଲା ପୁଅ : ପୂର୍ବତନ ପାକ କ୍ରିକେଟର ମହମ୍ମଦ ହାଫିଜ୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ। ଭାରତୀୟ କ୍ରିକେଟ ଟିମ୍‌ ଯେଉଁ ବି ଦେଶ ଗସ୍ତ କରିଥାଏ, ସେଠାରେ ଅଧିକ ରୋଜଗାର ହୋଇଥାଏ। ଏହାସହ ଭାରତୀୟ ଦଳ ନିଜର ଚମତ୍କାର ପ୍ରଦର୍ଶନ କାରଣରୁ ବିଶ୍ୱବ୍ୟାପି ସମ୍ମାନ ମଧ୍ୟ ପାଇଥାଏ। କାରଣ ଭାରତୀୟ ପୁରୁଷ କ୍ରିକେଟ ଟିମ୍‌ ସମସ୍ତ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରି ସମଗ୍ର ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।ହେଲେ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ମହମ୍ମଦ ହାଫିଜ୍‌ ଭାରତୀୟ କ୍ରିକେଟ ବୋର୍ଡକୁ ନେଇ କିଛି ଅଲଗା ମନ୍ତବ୍ୟ ଦେଇଛନ୍ତି। ବିଶ୍ୱ କ୍ରିକେଟରେ ନିଜର ଖେଳ ପାଇଁ ନୁହେଁ ବରଂ ଅଧିକ ରୋଜଗାର ପାଇଁ ଭାରତ ସଭିଙ୍କର ଗେହ୍ଲାପୁଅ ବୋଲି ସେ କହିଛନ୍ତି।

ହାଫିଜ ପାକିସ୍ତାନର ଚ୍ୟାନେଲ ସହ ଏକ ସାକ୍ଷାତକାରରେ କହିଛନ୍ତି, ମୋତେ ବିଶେଷ ଜଣାନାହିଁ। ହେଲେ ଏତିକି ଜାଣେ ଯେ ଆମ ସମାଜରେ ଯିଏ ଅଧିକ ରୋଜଗାର କରେ, ସମସ୍ତେ ତାଙ୍କୁ ଭଲ ପାଆନ୍ତି। ସେ ସମସ୍ତଙ୍କର ଗେହ୍ଲାପୁଅ ହୋଇଥାନ୍ତି। ଭାରତ ଏକ ରାଜସ୍ବ ଉତ୍ପାଦନକାରୀ ଦେଶ। ତେଣୁ ସମଗ୍ର ବିଶ୍ୱରେ ଦ୍ୱିପାକ୍ଷିକ ସିରିଜ ଥିଲେ ମଧ୍ୟ ବିସିସିଆଇକୁ ପ୍ରାୟୋଜକ ମିଳିଯାଇଥାଏ। ସେମାନେ ଜ୍ୟାକ୍‌ପଟ୍‌ ପାଆନ୍ତି। ଏପରି ଜିନିଷକୁ ଅଣଦେଖା କରିବା କଷ୍ଟକର ବୋଲି କହିଛନ୍ତି।ଏହାଛଡ଼ା ଉଦ୍‌ଘୋଷକ ହାଫିଜଙ୍କୁ ଭାରତ ଗେହ୍ଲାପୁଅ ଭଲ ଖେଳ ନା ଟଙ୍କା ଯୋଗୁ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ ଟଙ୍କା ବିକଳ୍ପକୁ ବାଛିଥିଲେ।

Related Posts