‘ସରକାରଙ୍କ ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଅ’; ବିଜେଡିର ପ୍ରଶିକ୍ଷଣ ଶିବିରରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜନ ସଂପର୍କ ପଦଯାତ୍ରା ପୂର୍ବରୁ ଆରମ୍ଭ ହୋଇଛି ବିଜେଡିର ପ୍ରଶିକ୍ଷଣ ଶିବିର । ବରମୁଣ୍ଡା ପଡ଼ିଆରେ ଆୟୋଜିତ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇଛନ୍ତି । ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇ ସରକାରଙ୍କ ଯୋଜନା ଓ ବାର୍ତ୍ତାକୁ ପଦଯାତ୍ରା ସମୟରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନବୀନ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ସେହିପରି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ କହିଛନ୍ତି ଯେ, ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଦିନ ରାତି କାମ କରୁଛନ୍ତି । ସେଥିପାଇଁ ଓଡ଼ିଶା ବାସୀ ଦୀର୍ଘ ୨୫ ବର୍ଷ ଧରି ତାଙ୍କ ଉପରେ ଭରସା କରିଛନ୍ତି ବୋଲି ସେ କହିଛନ୍ତି।

ଏହାପରେ ଅନ୍ୟ ନେତା ଉଦବୋଧନ ଦେଇଛନ୍ତି । ତେବେ ଆସନ୍ତା ଅକ୍ଟୋବର ୨ ତାରିଖରୁ ମାସେ ବ୍ୟାପୀ ରାଜ୍ୟ ସାରା ଜନ ସଂପର୍କ ପଦଯାତ୍ରା କରିବ ବିଜେଡି । ଏ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ‘ବିଜୁ ଜନତା ଦଳ-ଏକ ସାମୁହିକ ଆନ୍ଦୋଳନ’ ନାରା ଦେଇ ଏହି ତାଲିମ ଶିବିର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏଥିରେ କେବଳ ରାଜ୍ୟ, ଜିଲ୍ଲା, ନଗର ଓ ବ୍ଲକର ପଦାଧିକାରୀ, ସାଂସଦ ଓ ବିଧାୟକ ମାନେ ଯୋଗ ଦେଇଛନ୍ତି । ଦିନ ତମାମ ପଦାଧିକାରୀଙ୍କୁ ବରିଷ୍ଠ ନେତାମାନେ ପ୍ରଶିକ୍ଷଣ ଦେବେ ବୋଲି ସୂଚନା ମିଳିଛି ।

Related Posts