ଘଙ୍ଗାପାଟଣା ଜମି ଘୋଟାଲା: ବଳବନ୍ତ ଫସିବେ !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ସରକାରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଚପିଲା ନାହିଁ ଘଙ୍ଗାପାଟଣା ଜମି କେଳାଙ୍କାରୀ । ଏହାରି ଭିତରେ ସାମ୍ନାକୁ ଆସିଛି ଜମି ଘୋଟାଲାର ଚାଞ୍ଚଲ୍ରକାରୀ ତଥ୍ୟ । ବିଜୁ ଜନତା ଦଳର ଧର୍ମଶାଳା ବିଧାୟକ ତଥା ଗୋକର୍ଣ୍ଣେଣ୍ବର ଟ୍ରଷ୍ଟର ଟ୍ରଷ୍ଟି ପ୍ରଣବ ବଳବନ୍ତ ରାୟଙ୍କ ବିରୋଧରେ ମିଳିଛି ସନ୍‌ସନି ପ୍ରମାଣ । ସତ୍ୟପାଠର ହସ୍ତଗତ ହୋଇଥିବା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧି ଶାଖାର ଗୁରୁତ୍ବପୁର୍ଣ୍ଣ ତଥା ଗୋପନୀୟ ଦଲିଲରେ ଗୋକର୍ଣ୍ଣେଶ୍ବର ଟ୍ରଷ୍ଟର ଟ୍ରଷ୍ଟି ଭାବରେ ବିଧାୟକ ପ୍ରଣବ ବଳବନ୍ତରାୟ କିଭଳି 2007ରୁ 2010 ମଧ୍ୟରେ ଘଙ୍ଗାପାଟଣା ମୌଜାର 5 ଏକର 240 ଡିସେମିଲ ଜମିକୁ ବେଆଇ ଭାବେ ହାତେଇଥିଲେ ତାହାର ଲେଖା ଜୋଖା ରିପୋର୍ଟ ଧରାପଡ଼ିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା 2014ରେ ଘଙ୍ଗାପାଟଣା ଜମି ଘୋଟାଲା ଗଣମାଧ୍ୟମରେ ଖୁଲାସା ହେବା ପରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଇତି ମଧ୍ୟରେ 5 ବର୍ଷ ବିତିଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ସମସ୍ତ ତଥ୍ୟ ପ୍ରମାଣ ପାଇବା ପରେ ତଦନ୍ତର ଫାଇନାଲ ରିପୋର୍ଟ ପ୍ରସ୍ତୁତ ନକରି ଚୁପ ବସିପଡ଼ିଛି  । ଯେହେତୁ ଫାଇଲ କ୍ଲେଜ କରାଯାଇନାହିଁ ତେଣୁ ବଡ଼ ବଡ଼ିଆ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ । ଗତ ସେପ୍ଟେମ୍ବର ମାସରେ ଘଙ୍ଗାପାଟଣା ଜମି ଘୋଟାଲା ମାମଲା ଲୋକାୟୁକ୍ତଙ୍କ ଅଦାଲତରେ ମାମଲା ଦାଏର ହେବା ପରେ କ୍ରାଇମବ୍ରାଞ୍ଚ କିଭଳି ଭାବେ ଅଭିଯୁକ୍ତମାନଙ୍କୁ ଖସେଇ ଦେବା ପାଇଁ ଗଳାବାଟ ପ୍ରସ୍ତୁତ କରୁଥିଲା ତାହାର ତଥ୍ୟ ସାମ୍ନାକୁ ଆସିଛି ।

ଗତ ନଭେମ୍ବର 4 ତାରିଖରେ କ୍ରାଇମବ୍ରାଞ୍ଚ EOW ପକ୍ଷରୁ ମାନ୍ୟବର ଲୋକାୟୁକ୍ତଙ୍କୁ ଯେଉଁ ଗୋପନୀୟ ରିପୋର୍ଟ ପ୍ରଦାନ କରାଯାଇଛି ସେଥିରେ ସ୍ପଷ୍ଟ ଭାବେ ପ୍ରଣବ ବଳବନ୍ତରାୟଙ୍କର ବେଆଇନ ସମ୍ପୃକ୍ତିର ପ୍ରମାଣ ରହିଛି । କ୍ରାଇମବ୍ରାଞ୍ଚ ରିପୋର୍ଟରେ ଉଲ୍ଲେଖ କରିଛି ଯେ ପ୍ରଣବ କୁମାର ବଳବନ୍ତରାୟ ଗୋକର୍ଣ୍ଣେଶ୍ବର ଚାରିଟେବୁଲର ଟ୍ରଷ୍ଟ ନାଁରେ ଟ୍ରଷ୍ଟି ଭାବେ 5 ଏକ ର ଜମି କିଣିଥିଲେ । ସେଥିମଧ୍ୟରୁ 3 ଏକର ଜମି ସରକାରଙ୍କଠାରୁ ଲିଜ ନେଇଥିବା ଲିଜଧାରୀଙ୍କଠାରୁ ପ୍ରଥମେ କିଣିଥିବା ଲୋକଙ୍କଠାରୁ ନେଇଛନ୍ତି । ବାକି 2 ଏକର ଜମି  ଦ୍ବିତୀୟ ଥର ଜମି କିଣିଥିବା ବ୍ୟକ୍ତିଙ୍କଠାରୁ ଜମି କିଣିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଉଭୟ ପ୍ରଥମ ଓ ଦ୍ବିତୀୟ କେତ୍ରାଙ୍କଠାରୁ କିଣାଯାଇଥିବା 5 ଏକର ଜମି ବେଆଇନ ।

 

ଗୁରୁତ୍ବପୂର୍ଣ୍ଣ କଥା ହେଲା ଗୋକର୍ଣ୍ଣେଶ୍ବର ଚାରିଟେବୁଲ ଟ୍ରଷ୍ଟ ପାଇଁ ଟ୍ରଷ୍ଟି ଭାବେ ଏ ସମସ୍ତ କିଣା-ବିକା କାମ ପ୍ରୟଣ ବଳବନ୍ତରାୟ ହିଁ କରିଥିଲେ । କିଣାଯାଇଥିବା 5 ଏକର ଜମି ବେଆଇନ, ଯେଉଁଥି ପାଇଁ ରାଜସ୍ବ ବିଭାଗ ପକ୍ଷରୁ ସମ୍ପୃକ୍ତ ଜମି କିଣାକୁ ବେଆଇନ ଘୋଷିତ କରାଯିବା ସହ କିଣା ବିକା ପ୍ରକ୍ରିୟାକୁ ବାଜ୍ୟାପ୍ତି କରି ଗୋକର୍ଣ୍ଣେଶ୍ବର ଚାରିଟେବୁଲ ଟ୍ରଷ୍ଟରୁ ଜମି ଛଡ଼ାଇ ଆଣି ଇତିମଧ୍ୟରେ ସୀରକାରୀ ଖାତାକୁ ଫେରାଇ ଦିଆଯାଇଛି । ଆଶ୍ଚର୍ଯ୍ୟର କଥା ଜମି କିଣା-ବିକା କାର୍ଯ୍ୟକୁ ସରକାର ବେଆଇନ ଘୋଷଣା କଲେ ।  5 ଏକର ଜମିକୁ ଅନଧିକୃତ ଘୋଷଣା କରାଯିବା ସହ ଟ୍ରଷ୍ଟ ମାଲିକାନାରୁ ଛଡ଼ାଇଆଣି ସରକାରୀ ଖାତାକୁ ଫେରାଇ ଦିଆଗଲା । କିନ୍ତୁ ଟ୍ରଷ୍ଟର ମୁଖ୍ୟ କାର୍ପଡଦାର ସାଜି ସମସ୍ତ କିଣାବିକା କାର୍ଯ୍ୟ କରିଥିବା ଟ୍ରଷ୍ଟି ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କୁ ଏଯାଏ ଦୋଷୀ ବୋଲି ରିପୋର୍ଟରେ ଦର୍ଶାଉ ନାହିଁ କ୍ରାଇମବ୍ରାଞ୍ଚ ।

 

ବାବୁ ବଳବନ୍ତରାୟଙ୍କୁ ଖସେଇବା ପାଇଁ କ୍ରାଇମବ୍ରାଞ୍ଚ ନିଜ ରିପୋର୍ରେ ଏକ ସୁନ୍ଦର ଗଳାବାଟ ପ୍ରସ୍ତୁତ କରିଛି । ଯେଉଁଥିରେ ଲେଖାଯାଇଛି ଯେ ଗୋକର୍ଣ୍ଣେଶ୍ବର ଚାରିଟେବୁଲ ଟ୍ରଷ୍ଟ ଏବଂ ଏହାର ଟ୍ରଷ୍ଟି ପ୍ରଣବ କୁମାର ବଳବନ୍ତରାୟଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ପ୍ରତିଷ୍ଠା କରାଯାଇ ପାରିନାହିଁ । କିନ୍ତୁ ତଦନ୍ତ ଚାଲୁ ରହିଛି, ତଦନ୍ତ ସମ୍ପୂର୍ଣ୍ଣ ଭାବେ ସରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଅତି ଚତୁରତାର ସହ ଏହି ଦୁଇ ଲାଇନ ଲେଖି ଦେଇ ବାବୁ ବଳବନ୍ତରାୟଙ୍କୁ ଆପାତତ୍ ଖସେଇ ଦେଇଛି । ମାନ୍ୟବର ଲୋକାୟୁକ୍ତଙ୍କ ରିପୋର୍ଟ ପାଇବା ପରେ କ୍ରାଇମବ୍ରାଞ୍ଚକୁ ଜବାବ ତଲବ କରିଛନ୍ତି । 5 ବର୍ଷ ଭିତରେ ତଦନ୍ତ ସରିଲା ନାହିଁ, ତଦନ୍ତ ସାରି ଆଉ କେତେ ଦିନ ଲାଗିବ ବୋଲି ପ୍ରଶ୍ନ କରିବା ସହ ଏ ବାବଦରେ ରିପୋର୍ଟ ଦେବାକୁ ନିର୍ଦ୍ଦିଷ୍ଟ ଭାବେ ଜବାବ ରଖିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଘଙ୍ଗାପାଟଣା ଜମି କେଳେଙ୍କାରୀ ସାମ୍ନାକୁ ଆସିବା ଓ କ୍ରାଇମବ୍ରାଞ୍ଚର ତଦନ୍ତ ପରିଧି ଭିତରକୁ ପ୍ରଣବ ବଳବନ୍ତରାୟଙ୍କ ନାଁ ଆସିବା ଭିତରେ ଗୋଟିଏ ନିର୍ବାଚନ ସରିଲାଣି ବାବୁ ଦ୍ବିତୀୟ ବାର ମଧ୍ୟ ନିର୍ବାଚିତ ହୋଇସାରିଲେଣି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ  ଥିବା କ୍ରାଇମବ୍ରାଞ୍ଚ ଏଯାଏ ଚୂଡ଼ାନ୍ତ ରିପୋର୍ଟ ଦେଇପାରିନି ।

Related Posts