ଦ୍ଵିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ପଦ ସମ୍ଭାଳିବେ ପ୍ରମୋଦ ସାଓ୍ଵନ୍ତ

ବିଜେପି ପୁଣି ପ୍ରମୋଦ ସାଓ୍ଵନ୍ତଙ୍କ ଉପରେ ବିଶ୍ୱାସ ସ୍ଥାପନ କରିଛି । ଦ୍ଵିତୀୟ ଥର ପାଇଁ ତାଙ୍କୁ ମୁଖ୍ୟମନ୍୍ରୀ ଭାବେ ଚୟନ କରିଛି । ଗୋଆ ବିଜେପି ବିଧାୟକ ଦଳ ବୈଠକରେ ପ୍ରମୋଦ ସାଓ୍ଵନ୍ତଙ୍କୁ ବିଧାୟକ ଦଳର ନେତା ଚୟନ କରାଯାଇଛି। ଏଥିସହ ସାଓ୍ଵନ୍ତ କ୍ରମାଗତ ଦ୍ଵିତୀୟ ଥର ଗୋଆର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ଆଜି ବିଜେପି ଉତ୍ତରାଖଣ୍ଡରେ ମଧ୍ୟ ଗତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ହିଁ ନିଜର ବିଧାୟକ ଦଳ ନେତା ଭାବେ ଚୟନ କରିଛି।

କେନ୍ଦ୍ର ମନ୍ତ୍ରୀ ତଥା ଗୋଆ ପାଇଁ ବିଜେପି ପର୍ଯ୍ୟବେକ୍ଷକ ନିଯୁକ୍ତ ନରେନ୍ଦ୍ର ସିଂହ ତୋମାର ସୋମବାର ଏହାର ଘୋଷଣା କରିଛନ୍ତି। ସେ କହିଛନ୍ତି ବିଶ୍ଵଜିତ ରାଣେ ବିଧାୟକ ଦଳର ନେତା ଭାବେ ପ୍ରମୋଦ ସାଓ୍ଵନ୍ତଙ୍କ ନାମରେ ପ୍ରସ୍ତାବ ରଖିଥିଲେ। ସର୍ବସମ୍ମତି କ୍ରମେ ସାଓ୍ଵନ୍ତଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି।

ପ୍ରମୋଦ ସାଓ୍ଵନ୍ତ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଧନ୍ୟବାଦ ଜଣାଉଛି। ମୋ ଉପରେ ଆସ୍ଥା ପ୍ରକଟ କରି ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାମ କରିବାକୁ ସୁଯୋଗ ଦେଇଛନ୍ତି। ମୁଁ ବହୁତ ଖୁସି ଯେ, ଗୋଆବାସୀ ମୋତେ ସ୍ଵୀକାର କରିଛନ୍ତି। ମୁଁ ରାଜ୍ୟର ବିକାଶ ପାଇଁ ଯଥା ସମ୍ଭବ ଚେଷ୍ଟା କରିବି।

ସୂଚନାଯୋଗ୍ୟ, ଗୋଆ ବିଧାନସଭା ନିର୍ବାଚନରେ ବିଜେପି ମୋଟ୍ ୪୦ଟି ଆସନରୁ ୨୦ ସିଟ୍ ଦଖଲ କରିଥିଲା ।

Related Posts