ନାବାଳିକା ବଳାତ୍କାର ମାମଲାକୁ ନେଇ ଗୋଆ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ : ” ରାତିସାରା ଝିଅମାନେ ସମୁଦ୍ର କୂଳରେ କାହିଁକି ଥିଲେ … ‘

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବିବାଦୀୟ ବୟାନ ଦେଇ ଅଡୁଆରେ ଗୋଆ ମୁଖ୍ଯମନ୍ତ୍ରୀ। ନିକଟରେ ଗୋଆରେ ୨ ନାବାଳିକାଙ୍କୁ କଥିତ ବଳାତ୍କାର ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ଚାରିଆଡୁ ନିନ୍ଦା ମଧ୍ୟ କରାଯାଇଥିଲା । ଏ ସମ୍ପର୍କରେ ବୁଧବାର ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଧାନସଭାରେ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ,” ମାତାପିତା ଏହି ଘଟଣାକୁ ନେଇ ଆତ୍ମସମୀକ୍ଷା କରିବା ଦରକାର ଯେ ଅନ୍ଧାର ହେବା ପରେ ରାତିରେ କାହିଁକି ସେମାନେ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିଲେ । ” ବର୍ତ୍ତମାନ ମୁଖ୍ଯମନ୍ତ୍ରୀଙ୍କ ଏହି ବୟାନକୁ ନେଇ ବିବାଦ ଜୋର୍ ଧରିଛି। ବିରୋଧୀ ସିଏମଙ୍କ ଏଭଳି ବୟାନକୁ ଲଜ୍ଜାଜନକ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ବିଧାନସଭାରେ ସେ କହିଥିଲେ ଯେ ୨୪ ଜୁଲାଇ ରାତିରେ ୧୦ ଜଣ ସମୁଦ୍ର କୂଳରେ ପାର୍ଟି କରୁଥିଲେ । ସେମାନଙ୍କ ମଧ୍ୟରୁ ସମସ୍ତେ ଘରକୁ ଫେରିଥିବା ବେଳେ ୨ ଜଣ ସମୁଦ୍ର କୂଳରେ ସମ୍ପୂର୍ଣ୍ଣ ରାତି କାଟିଥିଲେ । ୧୪ ବର୍ଷର ପିଲା ଯେତେବେଳେ ସାରା ରାତି ସମୁଦ୍ର କୂଳରେ ରୁହନ୍ତି ସେତେବେଳେ ସେମାନଙ୍କ ମାତାପିତା ଏ ସମ୍ପର୍କରେ ଚିନ୍ତା କରିବା ଦରକାର । ସବୁ ଅସୁବିଧା ପୋଲିସ ମୁଣ୍ଡରେ ଲଦିଦେବା ଠିକ୍ ନୁହେଁ ବୋଲି ସିଏମ୍ କହିଥିଲେ । ପିଲାମାନେ ଯଦି ସେମାନଙ୍କ ଅଭିଭାବକଙ୍କ କଥା ମାନୁ ନାହାନ୍ତି ଏଥିପାଇଁ ପୋଲିସ କିଛି କରିପାରିବ ନାହିଁ ବୋଲି ସେ କହିଥିଲେ ।

ଗୃହ ବିଭାଗର ଦାୟିତ୍ୱ ତୁଲାଉଥିବା ସାୱନ୍ତ କହିଛନ୍ତି ଯେ ପିଲାମାନଙ୍କର ସୁରକ୍ଷା ଦୃଷ୍ଟିରୁ ଅଭିଭାବକ ମାନେ ସେମାନଙ୍କ ପିଲାମାନଙ୍କୁ ନେଇ ଚିନ୍ତା କରିବା ଉଚିତ୍। ବିଶେଷକରି ନାବାଳିକାମାନଙ୍କୁ ରାତାରାତି ରହିବାକୁ ଦିଅନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି କଥାକୁ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ ବିରୋଧ କରିଥିଲେ । ସେ କହିଥିଲେ ଗୋଅର ବ୍ରାଣ୍ଡ ଇମେଜ ହେଉଛି ଏଠାରେ ଯେ କୌଣସି ବ୍ୟକ୍ତି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜକୁ ସୁରକ୍ଷିତ ଭାବି ପାରିବେ ।

ଗୋଆ କଂଗ୍ରେସ ମୁଖପାତ୍ର ଆଲଟନ୍ ଡି କୋଷ୍ଟା ଗୁରୁବାର କହିଛନ୍ତି ଯେ ଉପକୂଳବର୍ତ୍ତୀ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି। ସେ ପ୍ରଶ୍ନ କରିଛନ୍ତି ଯେ ରାତିରେ ବାହାରକୁ ଯିବାବେଳେ ଆମେ କାହିଁକି ଭୟଭୀତ ହେବା? ଅପରାଧୀମାନେ ଜେଲରେ ରହିବା ଉଚିତ୍ ଏବଂ ଆଇନର ପାଳନ କରୁଥିବା ନାଗରିକମାନେ ଖୋଲା ଖୋଲି ବାହାରେ ବୁଲିବା ଉଚିତ୍ । ସେହିପରି ଗୋଆ ଫରୱାର୍ଡ ପାର୍ଟିର ବିଧାୟକ ବିଜୟ ସର୍ଦ୍ଦାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବିବୃତ୍ତି ଦେବା ଲଜ୍ଜାଜନକ। ଜନସାଧାରଣଙ୍କ ସୁରକ୍ଷା ହେଉଛି ପୋଲିସ ଏବଂ ରାଜ୍ୟ ସରକାରଙ୍କ ଦାୟିତ୍ବ। ଯଦି ସେ ଆମକୁ ସୁରକ୍ଷା ଦେଇପାରୁନାହାଁନ୍ତି, ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦରେ ରହିବାର ଅଧିକାର ନାହିଁ।

ଏପଟେ ବିଧାୟକ ରୋହନ ଖୋଣ୍ଟେ ଟ୍ୱିଟ୍ କରି କହିଛନ୍ତି ଯେ,” ଗୋଆ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ରାତିରେ ବାହାରକୁ ଯିବା ନିରାପଦ ନୁହେଁ ଏବଂ ଏଥିପାଇଁ ପିଲାଙ୍କ ପିତାମାତାଙ୍କୁ ଦାୟୀ କରୁଛନ୍ତି । ଯଦି ରାଜ୍ୟ ସରକାର ଆମ ସୁରକ୍ଷାକୁ ନିଶ୍ଚିତ କରିପାରିବେ ନାହିଁ, ତେବେ କିଏ ନିଶ୍ଚିତ କରିବ ? ଗୋଆର ଇତିହାସ କହୁଛି ଏହି ରାଜ୍ୟ ମହିଳାମାନଙ୍କ ପାଇଁ ନିରାପଦ କିନ୍ତୁ ଏହା ବିଜେପି ସରକାର ଅଧୀନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଛି।

ଘଟଣା କ’ଣ ?

ଗୋଆ ରାଜଧାନୀଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ବେନାଲିମ୍ ବେଳାଭୂମିରେ ଦୁଇ ଝିଅଙ୍କୁ ପୋଲିସ୍ ପରିଚୟ ଦେଇ ବଳାତ୍କାର ଅଭିଯୋଗ ହୋଇଥିଲା। ସେମାନେ ମଧ୍ୟ ସେହି ବାଳକମାନଙ୍କୁ ପିଟିଥିଲେ। ସୂଚନାଯୋଗ୍ୟ ଉକ୍ତ ବଳାତ୍କାର ମାମଲାରେ ପୋଲିସ ଏପଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସାରିଲାଣି । ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସରକାରୀ କର୍ମଚାରୀ।

Related Posts