ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶାରୁ ବିଦାୟ ନେଲା ମୌସୁମୀ । ରାଜ୍ୟରୁ ସଂପୂର୍ଣ୍ଣଭାବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଶେଷ ହୋଇଛି । ସାରା ଦେଶରୁ ମୌସୁମୀ ଅପସାରଣ ନେଇ ମଧ୍ୟ ପାଗ ଅନୁକୂଳ ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଶେଷ ହେବ। ଏ ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ଏପଟେ ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର ।ଆକଳନ ମୁତାବକ କାଲି ଅବପାତରେ ପରିଣତ ହେବ । ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୩ରେ ଗଭୀର ଅବପାତରେ ପରିଣତ ହେବ। ଏହାପରେ ଦିଗ ବଦଳାଇ ଉତ୍ତର ଦିଗକୁ ଯାଇ ୨୪ ତାରିଖରେ ବାତ୍ୟାର ରୂପ ନେବ ।
ପଶ୍ଚିମ କେନ୍ଦ୍ରୀୟ ଓ ନିକଟସ୍ଥ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ । ବାତ୍ୟା ଉତ୍ତର ଓ ଉତ୍ତରପୂର୍ବ ଦିଗରେ ଗତି କରିବ । ତେଣୁ ଓଡ଼ିଶା ଉପକୂଳ ପାଖ ଦେଇ ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁଇବ। ଏହି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସିଧା ହିଟ୍ ନ କଲେ ବି ଓଡ଼ିଶା ଉପକୂଳ ବିପଦମୁକ୍ତ ନୁହଁ। ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି।
ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଆଇଏମ୍ଡି ପକ୍ଷରୁ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ । ଏନେଇ ସ୍ପଷ୍ଟୀକରଣ ରଖିଛି ଭାରତୀୟ ପାଣିପାଗ ବିଭାଗ ।
