ଟି-୨୦ ବିଶ୍ୱକପ୍ ରୁ ୱେଷ୍ଟଇଣ୍ଡିଜ ଆଉଟ୍, ଆୟରଲ୍ୟାଣ୍ଡଠାରୁ କ୍ୱାଲିଫାଇଙ୍ଗ ରାଉଣ୍ଡରେ ହେଲା ପରାଜିତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟି-୨୦ ବିଶ୍ୱକପ୍ ୨୦୨୨ରେ ଶୁକ୍ରବାର ବଡ଼ ଓଲଟ ପାଲଟ ଦେଖିବାକୁ ମିଳିଛି । ଦୁଇ ଦୁଇ ଥରର ବିଶ୍ୱ ବିଜେତା ୱେଷ୍ଟଇଣ୍ଡିଜ କ୍ୱାଲିଫାଇଙ୍ଗ ରାଉଣ୍ଡରେ ହିଁ ଟୁର୍ଣ୍ଣାମେଣ୍ଟରୁ ବାହର ହୋଇଯାଇଛି । ଆୟରଲ୍ୟାଣ୍ଡ ବିଶ୍ୱବିଜେତା ଟିମକୁ ୯ ୱିକେଟରେ ପରାଜିତ କରି ବାହାରର ରାସ୍ତା ଦେଖାଇଛି ।ଏପରି ପ୍ରଥମ ଥର ହୋଇଛି ଯେବେ କୌଣସି ବିଶ୍ୱ ବିଜେତା ଦଳ କ୍ୱାଲିଫାଇଙ୍ଗ ରାଉଣ୍ଡରେ ଯୋଗ୍ୟତା ଅର୍ଜନ କରିପାରିନାହିଁ ।

ୱେଷ୍ଟଇଣ୍ଡିଜ ୨୦୧୨ ଏବଂ ୨୦୧୬ରେ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା । ଚଳିତ ସଂସ୍କରଣର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ସ୍କଟଲ୍ୟାଣ୍ଡଠାରୁ ୪୨ରନରେ ପରାଜିତ ହୋଇଥିଲା । ଏହାପରେ ଜିମ୍ବାୱେକୁ ୩୧ରନ୍ ରେ ହରାଇ ସ୍ଥିତିକୁ ପ୍ରତ୍ୟାବର୍ତ୍ତନ କରିଥିଲା ୱେଷ୍ଟଇଣ୍ଡିଜ୍ । ଆଜି କର ବା ମର ମ୍ୟାଚ୍ ଥିଲା । ହେଲେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛି ।

ଆଇସିସି ରାଙ୍କିଂରେ ଆୟରଲ୍ୟାଣ୍ଡର ଟିମ୍ ୧୨ତମ ସ୍ଥାନରେ ରହିଛି, ୱେଷ୍ଟଇଣ୍ଡିଜ୍ ଟିମ୍ ୭ମ ସ୍ଥାନରେ ରହିଛି । ଆୟରଲ୍ୟାଣ୍ଡର ସ୍ପିନର୍ସ ଭଲ ପ୍ରଦର୍ଶନ କରିଥିଲେ । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ୱିକେଟ୍ ହରାଇ ୧୪୬ ରନ୍ ସଂଗ୍ରହ କରିଥିଲା । ଜବାବରେ ଆୟରଲ୍ୟାଣ୍ଡ ନିଜର ଗୋଟିଏ ୱିକେଟ୍ ହରାଇ ୧୭.୩ ଓଭରରେ ୧୫୦ ରନ୍ କରି ବିଜୟୀ ହୋଇଛି । ୱେଷ୍ଟଇଣ୍ଡିଜ ଟିମ୍ ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟର ସାମ୍ନା କରିଥିଲା ।

ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେ ମେୟର୍ସ ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିଲେ । ସେହିପରି ଜେ ଚାର୍ଲସ ମଧ୍ୟ ୨୪ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ବ୍ରାଣ୍ଡନ କିଙ୍ଗ ଅବଶ୍ୟ ଆଜି ଭଲ ପ୍ରଦର୍ଶନ କରିଥିଲେ । ୪୮ ବଲ୍ ଖେଳି ୬୨ ରନ୍ କରି ଅପରାଜିତ ରହିଥିଲେ । ଇନିଂସ ଶେଷ ହେବା ବଳକୁ ବ୍ରାଣ୍ଡନ କିଙ୍ଗଙ୍କ ସହ ଓଡିନ ସ୍ମିଥ ୧୯ ରନ୍ କରି ଅପରାଜିତ ରହିଥିଲେ ।

ଆୟରଲ୍ୟାଣ୍ଡ ପକ୍ଷରୁ ଡେଲାନି ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଏମସି କାର୍ତ୍ତି ଏବଂ ସିମି ସିଂ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ୧୪୭ ରନ୍ କୁ ପିଛା କରି ଆୟରଲ୍ୟାଣ୍ଡ ପକ୍ଷରୁ ପଲ ଷ୍ଟିରଲିଙ୍ଗ ଏବଂ ଆଣ୍ଡ୍ରିୟୁ ବାଲବିରିନ ପଡ଼ିଆକୁ ଓହ୍ଲାଇଥିଲେ । ଦଳକୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ ଦେଇଥିଲେ ।

ଆଣ୍ଡ୍ରିଉ ୩୭ ରନ୍ କରି ଅକିଲ ହୁସେନଙ୍କ ବଲରେ ଆଉଟ୍ ହୋଇଯାଇଥିଲେ । ଏହାପରେ ପଲଙ୍କ ସାଥ ଦେଇଥିଲେ ଲୋର୍କାନ ଟକର । ଉଭୟ ମିଶି ଦଳକୁ ବିଜୟୀ କରିଥିଲେ । ପଲ୍ ଷ୍ଟିର୍ଲିଂ ଅପରାଜିତ ୬୬ ରନ୍ ର ଯୋଗଦାନ କରିଥିବା ବେଳେ ଲୋର୍କାନ ଅପରାଜିତ ୪୫ ରନ୍ ଯୋଗଦାନ କରିଥିଲେ ।

Related Posts