ଭୁବନେଶ୍ୱର,୩୧/୧(ସତ୍ୟପାଠ ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ପୁଲିସ୍‌ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ସେ ଜଣେ ମାନସିକ ରୋଗୀ ବୋଲି ତାଙ୍କ ପରିବାର ଲୋକ କହୁଛନ୍ତି। ହେଲେ ଏହାରି ଭିତରେ କିଛି ଗୋପାଳଙ୍କ ସମ୍ପର୍କରେ ଏନେକ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିବାକୁ ଲାଗିଛି। ଉତ୍ତମ ପୁଲିସ୍‌ ସେବା ପାଇଁ ସେ ୧୮ଟି ମେଡାଲ୍‌ ପାଇବା ସହ ୮ ଥର ପୁରସ୍କୃତ ହୋଇଛନ୍ତି।

ଅଭିଯୁକ୍ତ ପୁଲିସ୍‌ ଏସ୍‌ଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କ ଘର ଗଞ୍ଜାମରେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍‌। ସେ ୧୯୯୨ ଜୁଲାଇ ୮ରେ କନ୍‌ଷ୍ଟେବଲ୍‌ ଭାବେ ନିଜ ଚାକିରି ଆରମ୍ଭ କରିଥିଲେ। ନୟାଗଡ଼ ଜିଲ୍ଲା ପୁଲିସ ଟ୍ରେନିଂ ସ୍କୁଲରେ ତାଲିମ ନେଇଥିଲେ। କିଛି ବର୍ଷ ଗଞ୍ଜାମରେ ଚାକିରି କରିଥିଲେ । ୨୦୦୯ ଅକ୍ଟୋବର ୯ରେ ଏଏସ୍‌ଆଇ ଭାବେ ପଦୋନ୍ନତି ପାଇଥିଲେ । ପଦୋନ୍ନତି ପରେ ସେ ଅନୁଗୁଳ ପୁଲିସ୍‌ ଟ୍ରେନିଂ ସେଣ୍ଟରରେ ତାଲିମ ନେଇଥିଲେ । ତାଲିମ ପରେ ଗଞ୍ଜାମରେ କିଛି ଦିନ କାମ କରିଥିଲେ ।

୨୦୦୯ରୁ ଦୀର୍ଘ ୧୨ ବର୍ଷ ହେବ ସେ ଝାରସୁଗୁଡ଼ାରେ ନିଯୁକ୍ତି ପାଇଥିଲେ । ଚାକିରି କାଳ ଭିତରେ ସେ ଜିଏସ୍‌ରେ ୧୨ ମାର୍କ ପାଇଛନ୍ତି । ୮ଟି ଅର୍ଥରାଶି ପୁରସ୍କାର ଓ ୧୮ଟି ମେଡାଲ୍‌ରେ ପୁରସ୍କୃତ ହୋଇଛନ୍ତି । ଚାକିରି କାଳରେ ଥରେ ସାମାନ୍ୟ ଦଣ୍ଡ ଭୋଗିଛନ୍ତି । ୨୦୧୬ରୁ ୨୦୨୨ ମସିହା ମଧ୍ୟରେ ତାଙ୍କୁ କୌଣସି ବିଭାଗୀୟ ଦଣ୍ଡ ଦିଆଯାଇ ନଥିବା ତାଙ୍କ ସର୍ଭିସ୍‌ ବୁକ୍‌ ରେକର୍ଡ କହୁଛି । ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟ କରିଛନ୍ତି। ଗତ ୨୮ ନଭେମ୍ବର ୨୦୨୦ରୁ ସେ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ନିଯୁକ୍ତି ପାଇଥିଲେ । ଘଟଣା ସମୟରେ ମଧ୍ୟ ସେ ଗାନ୍ଧିଛକ ଫାଣ୍ଡି ଦାୟିତ୍ୱରେ ଥିଲେ। ତେବେ ନିଜର ସର୍ଭିସ୍‌ ବୁକ୍‌ରେ ଏତେ ଭଲ ରେକର୍ଡ ରହିଥିବା ଗୋପାଳଙ୍କୁ ଜଣେ ମାନସିକ ରୋଗୀ କହିବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।