ଭୁବନେଶ୍ୱର,୩୧/୧(ସତ୍ୟପାଠ ବ୍ୟୁରୋ): ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ଯୋଗ ଦେବାକୁ ହାଇଦ୍ରାବାଦ ଯାଇଥିବା ନେତାମାନେ ଓଡି଼ଶା ଫେରିଛନ୍ତି। ସୋମବାର ଅପରାହ୍ନରେ କେସିଆରଙ୍କ ଚାଟାର୍ଡ ବିିମାନ ଯୋଗେ ଏହି ନେତାମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହାପରେ ଉତ୍ସାହିତ ଥିବା ବିଆରଏସ ନେତା କହିଛନ୍ତି ଯେ, ଆଗାମୀ ଦିନରେ ଓଡ଼ିଶାରେ ଏକ ହଜାରରୁ ଅଧିକ ନେତା ବିଆରଏସରେ ସାମିଲ ହେବେ। ଏଥିପାଇଁ ଏକ ବିଶାଳ ସମାବେଶର ଆୟୋଜନ ହେବ। ଏହି ସଭାରେ ସାମିଲ ହେବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଆସିବେ ବୋଲି ସେମାନେ କହିଛନ୍ତି।
ହାଇଦ୍ରାବାଦରୁ ଫେରିବା ପରେ ବିଆରଏସ ନେତା କୈଳାଶ ମୁଖୀ କହିଛନ୍ତି ଯେ, ୨୦୨୪ ପାଇଁ ବିସ୍ତୃତ ରଣନୀତି ପ୍ରସ୍ତୁତ ହୋଇଛି। ଭାରତରେ ଏବଂ ଓଡ଼ିଶାରେ ବିଆରଏସ ଏକ ବଡ ଭୂମିକା ନେବ। ଦେଶରେ ବିଜେପିର ବିକଳ୍ପ ହେବ ବିଆରଏସ ସେହିପରି ଓଡ଼ିଶାରେ ବିଜେଡିର ବିକଳ୍ପ ହେବ ବିଆରଏସ। ଅନେକ ରାଜନେତା ଆଗାମୀ ଦିନରେ ବିଆରଏସରେ ସାମିଲ ହେବେ। ଫେବୃଆରୀରେ କେସିଆର ଓଡ଼ିଶା ଆସିବା ନେଇ ଯୋଜନା ହେଉଥିବା ସେ କହିଛନ୍ତି।
ଦଳୀୟ ରଣନୀତି ନେଇ ଶିଶିର ଗମାଙ୍ଗ କହିଛନ୍ତି, ଓଡ଼ିଶାର ସ୍ଥିତିକୁ ନେଇ ଏକ ଏଜେଣ୍ଡା ତିଆରି ହେଉଛି। ଖୁବଶୀଘ୍ର ଏକ ଏଜେଣ୍ଡା ତିଆରି କରାଯାଇ ରଣନୀତି ତିଆରି କରାଯିବ। ଆଉ ଦଳ ଲୋକଙ୍କ ପାଖକୁ ଯିବ। ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଆରଏସ ୧୪୭ ବିଧାନସଭା ଆସନ ଓ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦେବ। ସବୁ ଲୋକମାନଙ୍କୁ ନେଇ ଦଳ ଆଗକୁ ବଢିବ। ପଞ୍ଚାୟତରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଆମ ଦଳ ଲୋକଙ୍କ ପାଖରେ ପହଞ୍ଚିବ। କୃଷକ,ଶ୍ରମିକ,ଦଳିତ, ମହିଳା ମାନଙ୍କୁ ଦଳରେ ଗୁରୁତ୍ୱ ଦିଆଯିବ।
ସେହିପରି ପୂର୍ବତନ ସାଂସଦ ଜୟରାମ ପାଙ୍ଗି କହିଛନ୍ତି, ବିଜେଡିକୁ ସେ ନିଜେ ତିଆରି କରିଥିଲେ। ସେ ହିଁ ନୂଆ ଦଳ ଆଣୁଛନ୍ତି ଓ ଏଠାରେ ବିଜେଡି ସହ ଲଢ଼େଇ ହେବ ଓ ବିଆରଏସ୍ ସରକାର କରିବ।
ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର କହିଛନ୍ତି ଯେ, ଏବେ ସମସ୍ତଙ୍କୁ ଏକାଠି କରିବା ପ୍ରୟାସ ଚାଲିଛି। ଓଡ଼ିଶାରେ ବିଆରଏସ୍ କମିଟି ସ୍ଥିର କରିବା ନେଇ ପର୍ଯ୍ୟାଲୋଚନା ଚାଲିଛି।
ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ନେତୃତ୍ୱରେ ୯ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦଙ୍କ ସମେତ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ଚାଷୀ ନେତା ଅକ୍ଷୟ ସାହୁ, ଶେଷଦେବ ନନ୍ଦଙ୍କ ସମେତ ଶତାଧିକ କର୍ମୀ ଓ ସମର୍ଥକ ହାଇଦ୍ରାବାଦ ଯାଇ କେସିଆରଙ୍କ ଉପସ୍ଥିତିରେ ବିଆରଏସରେ ସାମିଲ ହୋଇଛନ୍ତି। ଏହି ଗସ୍ତ ସମୟରେ ରାଜ୍ୟର ଷ୍ଟିଅରଂ କମିଟି ନେଇ ଆଲୋଚନା ହୋଇଛି। ଏଥିସହ ଆଗାମୀ ଦିନରେ ଦଳ କିଭଳି ପରିଚାଳିତ ହେବ କିଏ ନେତୃତ୍ବ ନେବ ଇତ୍ୟାଦି ଆଲୋଚନା ହୋଇଛି। ରାଜ୍ୟରେ ଅନେକ ଅସନ୍ତୁଷ୍ଟ ନେତା ରହିଥିବାରୁ ଆଗାମୀ ଦିନରେ ଏହିସୁବେ ନେତାଙ୍କୁ ଦଳରେ ସାମିଲ କରାଇ ଓଡ଼ିଶା ବିଧାନସଭାରେ ପ୍ରବେଶ କରିବାକୁ ବିଆରଏସ ଯୋଜନା କରିଥିବା ସୂଚନା ରହିଛି।
