ସରକାର ବିଧାନସଭା ନିର୍ବାଚନ ଜିତିବା ପାଇଁ ଦେଶରେ ତୈଳମୂଲ୍ୟ ନିୟନ୍ତ୍ରଣ କରିଥିଲେ: ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦର ବୃଦ୍ଧିକୁ ନେଇ ସାଧାରଣ ଜନତା ଚିନ୍ତାରେ ଥିବାବେଳେ ଶାସକ ଦଳକୁ ବିରୋଧୀ ଦଳ ଏନେଇ ଟାର୍ଗେଟ କରିବାରେ ଲାଗିଛି । ସେପଟେ ରାଜ୍ୟସଭାରେ ଦେଶରେ ତୈଳ ମୂଲ୍ୟବୃଦ୍ଧି ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ପୂର୍ବତନ ୟୁପିଏ ସରକାରଙ୍କୁ ଦାୟୀ କରିଥିଲେ। ଏହା ଛଡା ଋଷିଆ ଓ ୟୁକ୍ରେନ ଯୁଦ୍ଧ ମଧ୍ୟ ବିଶ୍ୱରେ ତୈଳ ମୂଲ୍ୟ ବୃଦ୍ଧିର କାରଣ ବୋଲି କହିଥିଲେ। ଏହା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବଡ଼ ବୟାନ ଦେଇଛନ୍ତି । ତେବେ ସରକାର ବିଧାନସଭା ନିର୍ବାଚନ ଜିତିବା ଲାଗି ଦେଶରେ ତୈଳମୂଲ୍ୟ ନିୟନ୍ତ୍ରଣ କରିଥିଲେ ବୋଲି ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ବୁଧବାର ଅଭିଯୋଗ କରିଛନ୍ତି। ଖଡଗେ କହିଛନ୍ତି ଯେ ଦେଶରେ ତୈଳ ମୂଲ୍ୟ ନିୟନ୍ତ୍ରଣ ନିର୍ବାଚନ ଜିତିବା ଲାଗି ବିଜେପି ରଣନୀତିର ଅଂଶଥିଲା । ଏ ବାବଦେ ତୈଳ କମ୍ପାନୀମାନେ କରିଥିବା କ୍ଷତିକୁ ସରକାର ଏବେ ଋଷିଆ-ୟୁକ୍ରେନ ଯୁଦ୍ଧ ବାହାନାରେ ଭରଣା କରୁଛନ୍ତି।

ତେବେ ସରକାରଙ୍କ ଚାଲାକି ଲୋକେ ଏବେ ଠିକେ ବୁଝିଛନ୍ତି ଓ ଏଥିଲାଗି କଂଗ୍ରେସ ୩୧ ମାର୍ଚ୍ଚ ଗୁରୁବାର ଦିଲ୍ଲୀ ବିଜୟ ଚୌକରେ ଧାରଣା ଦେବ ବୋଲି ଖଡଗେ କହିଛନ୍ତି। ଅନ୍ୟପଟେ ଦେଶରେ ତୈଳ ଦର ବୃଦ୍ଧିକୁ ନେଇ ବୁଧବାର କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଏହାକୁ ମୋଦି ସରକାରଙ୍କ ‘ଅସୁଲି’ ବୋଲି କହିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜେୱାଲା ଏ ନେଇ ଏକ ଟ୍ୱିଟ୍ କରିଥିବା ବେଳେ ତାଜା ଦରବୃଦ୍ଧି ସହ ସରକାର ଲଗାତାର ଅଷ୍ଟମ ଦିନ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଥିବା ଉଲ୍ଲେଖ କରିଛନ୍ତି। ତେବେ ଏହି ଲୁଟର ଶେଷ କେଉଁ ଦିନ ତାହା ପ୍ରଧାନମନ୍ତ୍ରୀ କହିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। କାରଣ ପ୍ରଧାନମନ୍ତ୍ରୀ ମଧ୍ୟ ଏଥିଲାଗି ଉତ୍ତରଦାୟୀ ବୋଲି ସେ ଉଲ୍ଲେଖ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts