ବୁର୍ଖା ପିନ୍ଧି ପୁଲିସ ଉପରକୁ ବୋମାମାଡ଼ କଲେ ମହିଳା; ଭାଇରାଲ ହେବାରେ ଲାଗିଛି ଭିଡିଓ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବୁର୍ଖା ପିନ୍ଧି ପୁଲିସ ଉପରକୁ ବୋମାମାଡ଼ କଲେ ମହିଳା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜମ୍ମୁ-କଶ୍ମୀର ବାରାମୁଲା ଜିଲ୍ଲାର ସପୋର ଅଞ୍ଚଳରେ । ତେବେ ମହିଳା ଜଣଙ୍କ ଧିରେ ଧିରେ ଆସି ସିଆର୍ପିଏଫ୍ର କ୍ୟାମ୍ପ ଉପରକୁ ବୋମା ମାଡ କରି ଫେରାର ହୋଇଯାଇଛନ୍ତି। ମହିଳା ଜଣକ ଘଟାଇଥିବା ଏହି ଅପରାଧିକ କାଣ୍ଡ ଏବେ ସିସିଟିଭିରେ କଏଦ୍ ହୋଇଛି।
ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ଜଣେ ବୁର୍ଖା ପିନ୍ଧିଥିବା ମହିଳା ଜଣକ ହଠାତ୍ ଧୀରେ ଧୀରେ ଆସି ରାସ୍ତା ମଝିରେ ଅଟକି ଯାଉଛନ୍ତି।

ଏହାପରେ ସେ ଧରିଥିବା ବ୍ୟାଗରୁ ବୋମା ବାହାର କରି ସିଆରପିଏଫ କ୍ୟାମ୍ପ ଆଡକୁ ଫିଙ୍ଗି ଦେଇ ସେଠାରୁ ଛୁ’ ହୋଇ ଯାଉଛନ୍ତି। ସେପଟେ ଏହି ବୋମାଟି ସୁରକ୍ଷା ଶିବିର ବାହାରେ ପଡିଛି ଏବଂ ଏଥିରେ କେହି ମୃତାହତ ହୋଇନାହାନ୍ତି କି କୌଣସି କ୍ଷୟକ୍ଷତି ଘଟିନାହିଁ ବୋଲି ପୁଲିସ କହିଛି। ପୁଲିସ ଏହା ମଧ୍ୟ କହିଛି ଯେ ଘଟଣାର କିଛି ସମୟ ପରେ ଏହି ଅଞ୍ଚଳକୁ ସବୁ ଦିଗରୁ କର୍ଡନ କରାଯାଇଥିଲା। ଏଭଳି ବୋମା ମାଡ କିଏ କଲା ସେ ନେଇ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ ହୋଇଥିଲା। ସିସିଟିଭି ଫୁଟେଜ ଆଧାରରେ ଉକ୍ତ ବୁର୍ଖା ପିନ୍ଧା ମହିଳାଙ୍କ ପରିଚୟ ମିଳିଛି। ଉକ୍ତ ମହିଳାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି। ଖୁବ୍ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି କଶ୍ମୀର ପୁଲିସ ମହାନୀରିକ୍ଷକ ବିଜୟ କୁମାର କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts