ବାରବାଟି କଟକ ବିଧାୟକ ମହମ୍ମଦ ମୋକିମଙ୍କ ଘରେ ରାଜ୍ୟପାଳ ଗଣେଶୀ ଲାଲ, କଟକ ସମସ୍ୟା ସମ୍ପର୍କରେ ଲିଖିତ ଭାବେ ଜଣାଇବାକୁ ମୋକିମଙ୍କୁ ରାଜ୍ୟପାଳଙ୍କ ପରାମର୍ଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ବାରବାଟି କଟକ ବିଧାୟକ ମହମ୍ମଦ ମୋକିମଙ୍କ ଘରକୁ ଯାଇଛନ୍ତି। ବିଧାୟକ ମହମ୍ମଦ ମୋକିମ ଓ ତାଙ୍କ ପରିବାର ଵର୍ଗଙ୍କୁ ରାଜ୍ୟପାଳ ଭେଟିବା ସହ ଦୀର୍ଘ ସମୟ ଧରି କଟକ ସହରର ଭଲମନ୍ଦ ବିଷୟରେ ସ୍ଥାନୀୟ ବିଧାୟକଙ୍କ ଠାରୁ ବୁଝିଥିଲେ।କଟକ ସହରର ସମସ୍ୟା ଯାହା ରହିଛି, ସେ ସମ୍ପର୍କରେ ଲିଖିତ ଭାବେ ଜଣାଇବାକୁ ବିଧାୟକଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିବା ସୂଚନା ମିଳିଛି। ରାଜ୍ୟପାଳଙ୍କ ବିଧାୟକଙ୍କ ଘରକୁ ଏହି ଗସ୍ତ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି।

ସେପଟେ ଏ ସଂପର୍କରେ ବିଧାୟକ ମୋକିମ୍ କହିଛନ୍ତି, ‘ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। ରାଜ୍ୟପାଳଙ୍କ ସହିତ ମୋର ବ୍ୟକ୍ତିଗତ ସଂପର୍କ ରହିଛି। ସେହି ଆଧାରରେ କଟକ ଗସ୍ତ ସମୟରେ ରାଜ୍ୟପାଳ ଆମ ପରିବାର ସଦସ୍ୟଙ୍କ ଗହଣରେ କିଛି ସମୟ ବିତାଇଛନ୍ତି।’ ରାଜ୍ୟପାଳଙ୍କ ସୌଜନ୍ୟମୂଳକ ସାକ୍ଷାତ ଓ ଉପସ୍ଥିତି ପାଇଁ ମୋକିମ୍‌ଙ୍କ ପରିବାର ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Related Posts