ରାଜ୍ୟରେ ମନୁଷ୍ୟକୃତ ବନ୍ୟା ପାଇଁ ସରକାର ଦାୟୀ, ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ପାଇଁ ସରକାର ଦାୟୀ। ଏଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ କ୍ଷମା ମାଗନ୍ତୁ । ବନ୍ୟା ପରିଚାଳନା ଲାଗି ସମନ୍ୱୟ ରହି ନଥିବା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ରାଜ୍ୟ ବିଜେପି। ବନ୍ୟା ଜଳ ପରିଚାଳନାରେ ରାଜ୍ୟ ସରକାର ଅକ୍ଷମ ହୋଇଛନ୍ତି। ଚଳିତ ବର୍ଷର ବନ୍ୟା ଏକ ମନୁଷ୍ୟକୃତ ବନ୍ୟା ଥିଲା।ଛତିଶଗଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ବର୍ଷକୁ ଦୁଇ ଥର ସମନ୍ୱୟ ବୈଠକ ବସେ। ମୌସୁମୀ ଆସିବା ପୂର୍ବରୁ ସମୟରେ ଏହି ବୈଠକ ବସେ। ଯେଉଁଥିରେ ବନ୍ୟାଜଳ ପରିଚାଳନା ନେଇ ଆଲୋଚନା ହୁଏ। କିନ୍ତୁ ୩-୪ ବର୍ଷ ହେଲା ବୈଠକ ବସିନାହିଁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।

ସେ କହିଛନ୍ତି, ହୀରାକୁଦ ରୁଲକ୍‌ର୍ଭ ଚଳିତ ଥର ପାଳନ ହୋଇନାହିଁ। ପ୍ରଥମେ ଇଆଇସି କହିଲେ ବନ୍ୟା ହେବନି, ପରେ ମନ୍ତ୍ରୀ କହିଲେ ଛୋଟ ବନ୍ୟା ହେବ। ତା’ପରେ ଦୁଇ ଦିନ ପରେ ଏସଆରସି କହିଲେ ବଡ଼ ବନ୍ୟା ଆସୁଛି। ଏହା ହିଁ ବନ୍ୟା ପରିଚାଳନା ପାଇଁ ସମନ୍ୱୟ ନଥିବା ଦର୍ଶାଉଛି। ଲୋକେ ପ୍ରସ୍ତୁତ ନଥିଲେ ତା’ଠାରୁ ଅଧିକ ପ୍ରସ୍ତୁତ ନଥିଲେ ରାଜ୍ୟ ସରକାର। ବନ୍ୟା ମୁକାବିଲାରେ ରାଜ୍ୟ ସରକାର ପୂରା ବିଫଳ ହୋଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।

ବନ୍ୟା ସ୍ଥିତି ଅନୁଧ୍ୟାନ ପରେ ବିଜେପି ଟିମ୍ ଏକ ରିପୋର୍ଟ ତଥା ଚାର୍ଜଶିଟ୍‌ ପ୍ରସ୍ତୁତ କରିଛି। ଏହି ଚାର୍ଜଶିଟ୍‌ ବିଜେପି ସଭାପତିଙ୍କୁ ଦିଆଯାଇଛି। ଲୋକଙ୍କ ପାଖରେ ଏହାକୁ ପହଞ୍ଚାଯିବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ତେବେ ଏ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Related Posts