ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ର ରାଜନୀତିରେ ଏବେ ମଧ୍ୟ ଅସ୍ଥିରତା ଲାଗି ରହିଛି। ଗୋଟିଏ ପଟେ ଶିବସେନା କାହାର ସେନେଇ ମାମଲା ସୁପ୍ରିମକୋର୍ଟରେ ବିଚରାଧିନ ରହିଛି । ଅନ୍ୟପଟେ ଏନେଇ ବିଦ୍ରୋହୀ ଶିବସେନା ବା ସିନ୍ଦେ ଗୋଷ୍ଠୀର ବିଧାୟକ ଭାରତସେଠ୍ ଗୋଗାଓ୍ୱାଲେ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ପ୍ରକୃତ ଶିବସେନା କିଏ ସେନେଇ ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ୨୦୨୪ରେ ଦଳ ବିଜୟୀ ହୋଇ ସାରିଥିବ ବୋଲି ସେ କହିଛନ୍ତି ।ଗୋଗାଓ୍ୱାଲେ କହିଛନ୍ତି ଯେ, ସେମାନେ ହେଉଛନ୍ତି ପ୍ରକୃତ ଶିବସୈନିକ । ଧନୁ ଏବଂ ତୀର ଦଳୀୟ ଚିହ୍ନ ତାଙ୍କର । ଆଗାମୀ ୭ ତାରିଖରେ ସେମାନେ ଏହା ପ୍ରଦର୍ଶନ କରିବେ । କିନ୍ତୁ ଶୁଣାଣି ବିଳମ୍ବ ହେବା କାରଣରୁ ଅନେକଙ୍କ ଆଶା କମିବାରେ ଲାଗିଛି । ଯଦି ମାମଲା ଖଣ୍ଡପୀଠକୁ ଯାଏ ତେବେ ଚୂଡାନ୍ତ ରାୟ ଆସିବାକୁ ଆହୁରି ୪ରୁ ୫ ବର୍ଷ ଲାଗିଯିବ । ଏହାମଧ୍ୟରେ ୨୦୨୪ ନିର୍ବାଚନ ସରିଯାଇଥିବା ଓ ସେମାନେ ପୁଣି କ୍ଷମତାକୁ ଆସି ସରିଥିବେ ।

ସୂଚନାଯୋଗ୍ୟ ଯେ, ଗୋଗାଓ୍ୱାଲେ ଏବେ ଶିବସେନାର ମୁଖ୍ୟ ସଚେତକ ମଧ୍ୟ ରହିଛନ୍ତି । ସେପଟେ ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତେ ଯେ, ଗୋଗାଓ୍ୱାଲେ ଏପରି କହୁଛନ୍ତି ଯେପରି ସୁପ୍ରିମକୋର୍ଟଙ୍କ ସହ ବିଜେପି ଗୋପନରେ କିଛି ଚୁକ୍ତି କରିଛି । ତେବେ ଗୋଗାଓ୍ୱାଲେ ଅସ୍ଥିର ହୋଇଯାଇଛନ୍ତି । ସୁପ୍ରିମକୋର୍ଟରେ ଫଇସଲା ଆସିବାରୁ ବିଳମ୍ବ ହେଉଛି । ତେଣୁ ସେ ଏପରି କହିଥାଇପାରନ୍ତି ବୋଲି ଆଉ କିଛି ବରିଷ୍ଠ ନେତା ମତ ଦେଇଛନ୍ତି । ତେବେ ବିଜେପି ଏହି ବୟାନରୁ ନିଜକୁ ଦୂରେଇ ରଖିଛି ।