ଜେଲ ମଧ୍ୟରେ ନିଶାଦ୍ରବ୍ୟ କାରବାର ଅଭିଯୋଗ, ନିଲମ୍ବିତ ହେଲେ ମହିଳା ୱାର୍ଡର୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜେଲ୍‌ରେ ଚାଲିଥିଲା ନିଶା ଦ୍ରବ୍ୟ କାରବାର। ଏହି ଅଭିଯୋଗରେ ଜଣେ ମହିଳା ଜେଲ୍ ୱାର୍ଡରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି।ମାଲକାନଗିରି ଜିଲ୍ଲା ଉପ-କାରାଗାରରୁ ଏହି ଘଟଣା ସାମ୍ନାକୁ ଆସିଛି। ତେବେ ସଂପୃକ୍ତ ୱାର୍ଡର୍‌ ଜଣଙ୍କ ଜେଲ୍‌ ଭିତରକୁ ଗୋଟିଏ ବ୍ୟାଗ୍‌ରେ କିଛି ନିଶା ଦ୍ରବ୍ୟ ନେବାବେଳେ ଉପରିସ୍ତ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ତେବେ ବେଆଇନ ଭାବେ ବହୁ ଦିନରୁ ଜେଲ ଭିତରେ ମହିଳା ୱାର୍ଡରେ ଖଇନି, ଗୁଟୁକା, ମାଦକ ଦ୍ରବ୍ୟ ବ୍ୟବହାର ହେବା ଜାଣି ଜେଲ୍‌ ସୁପରିଟେଣ୍ଡଣ୍ଟ ସଞ୍ଜୟ କୁମାର ବର୍ମା ତଦନ୍ତ ଚଲାଇଥିଲେ। କିନ୍ତୁ ଏହାର କିଛି ସୁରାକ ମିଳୁନଥିଲା।

ସୂଚନା ଅନୁସାରେ, ମହିଳା ୱାର୍ଡ ଦାୟିତ୍ୱରେ ଥିବା ରିତା ମାଣ୍ଡିଆ ନାମକ ମହିଳା ୱାର୍ଡର ରବିବାର ଏକ ବ୍ୟାଗରେ କିଛି ଜିନିଷ ନେଇ ୱାର୍ଡକୁ ଯାଉଥିବା ଦୃଶ୍ୟ ସିସିଟିଭିରେ ଜେଲ୍‌ ସୁପରିଟେଣ୍ଡେଣ୍ଟ ଦେଖିଥିଲେ। ପରେ ସେ ସଙ୍ଗେସଙ୍ଗେ ମହିଳା ୱାର୍ଡରେ ପହଞ୍ଚି ବ୍ୟାଗ ଦେଖିବାରୁ ସେଥିରୁ ୨୦ଟି ଖଇନି, କିଛି ଗୁଟୁକା ବାହାରିଥିଲା। ଏହି ନିଶା ଦ୍ରବ୍ୟ ଜେଲ୍‌ ଭିତରକୁ କାହିଁକି ଆଣିଥିଲେ ୱାଡରଙ୍କୁ ପ୍ରଶ୍ନ କରିଥିଲେ ସଞ୍ଜୟ ବର୍ମା। କିନ୍ତୁ ଏହାର ସେ ସଠିକ ଉତ୍ତର ଦେଇ ପାରିନଥିଲେ। ଏହି ଅଭିଯୋଗରେ ମହିଳା ୱାର୍ଡର ରିତା ମାଣ୍ଡିଆଙ୍କୁ ଜେଲ୍‌ ସୁପରିଟେଣ୍ଡଣ୍ଟ ନିଲମ୍ୱିତ କରିଛନ୍ତି। ଏନେଇ ଜେଲ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯାଇଛି। ଜେଲ ଭିତରକୁ କୌଣସି ନିଶାଦ୍ରବ୍ୟ ଯେପରି ନଯିବ ସେଥିପାଇଁ କଡ଼ା ସୁରକ୍ଷା ସହିତ ତଦନ୍ତ ବ୍ଯବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ଜେଲ ସୁପରିଟେଣ୍ଡେଣ୍ଟ ସଞ୍ଜୟ ବର୍ମା କହିଛନ୍ତି।

Related Posts