
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ସରକାରୀ ଉଦ୍ୟୋଗ ମଧ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗ୍ରିଡ୍କୋ । ୨୦୧୯-୨୦ ଆର୍ଥିକ ବର୍ଷରେ ଗ୍ରିଡକୋ ୧୩୫୨ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛି । ତେବେ ଏହା ସାଙ୍ଗକୁ ଆଉ ୮ଟି ସରକାରୀ ଉଦ୍ୟୋଗ ମଧ୍ୟ କ୍ଷତି କରିଛନ୍ତି ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୨୦୧୯-୨୦ ଆର୍ଥିକ ବର୍ଷରେ ଗ୍ରିଡ୍କୋ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ସରକାରୀ ସଂସ୍ଥା ହୋଇଥିବା ବେଳେ ଓଡିଶା ଶକ୍ତି ଉତ୍ପାଦନ ନିଗମ ୧୮୮.୮୬ କୋଟି ଟଙ୍କାର କ୍ଷତି ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ସେହଭଳି ଓଡିଶା ଶକ୍ତି ସଞ୍ଚାର ନିଗମ ୧୪୪.୩୭ କୋଟି , ଓଡିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଲିମିଟେଡ ୧୨୩.୩୭କୋଟି ଟଙ୍କାର କ୍ଷତି ସହିଛି । ତେବେ ଏ ସବୁକୁ ବାଦ୍ ଦେଲେ ଓଆରଏଚ୍ଡିସି, ଇଡିକଲ ଫେରୋକ୍ରୋମ, ରାଜ୍ୟ ସଡକ ପରିବହନ ନିଗମ, ରାଜ୍ୟ ଅର୍ଥ ନିଗମ ମଧ୍ୟ କ୍ଷତି ସହିଛନ୍ତି । ସରକାରୀ ସଂସ୍ଥା ମଧ୍ୟରେ ସବୁଠାରୁ କମ୍ ମାତ୍ର ୬୭ଲକ୍ଷ ଟଙ୍କାର କ୍ଷତି କରିଛି ସଡକ ପରିବହନ ନିଗମ ।
ଅପରପକ୍ଷରେ ସରକାର ମଧ୍ୟ ଏ ଦିଗ ପ୍ରତି ଦୃଷ୍ଟିଦେବା ଆରମ୍ଭ କରିଛନ୍ତି। ଏଥିପାଇଁ ସ୍ୱେଚ୍ଛାକୃତ ଅବସର ଜରିଆରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ, କର୍ପୋରେଟ ଗଭର୍ଣ୍ଣାନ୍ସ ମାନୁଆଲ କାର୍ଯ୍ୟକାରୀ କରିବା, ଏହି ସଂସ୍ଥା ଗୁଡ଼ିକର ଶୀର୍ଷ ସ୍ତରରେ ଖାଲି ପଡିଥିବା ନିର୍ଦ୍ଦେଶକ ପଦ ପୂରଣ କରିବା ସହ ରାଜ୍ୟ ଅର୍ଥ ନିଗମର ବକେୟା ଋଣ ଆଦାୟ ଉପରେ ଗୁରୁତ୍ୱ ଦେଉଛନ୍ତି ।
ତେବେ ଲାଭବାନ ହୋଇଥିବା ୯ଟି ସରକାରୀ ଉଦ୍ୟୋଗ ଗୁଡିକ ମଧ୍ୟରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସବୁଠାରୁ ଆଗରେ ରହିଛି । ଏହା ୨୦୦୩-୦୪ ଆର୍ଥିକ ବର୍ଷରୁ କ୍ରମାଗତ ଭାବେ ଲାଭ କରିଆସୁଛି । ସେହିଭଳି ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ୧୯୯୫-୯୬ ଆର୍ଥିକ ବର୍ଷଠାରୁ ଲାଭ କରୁଥିବାବେଳେ ଓଡିଶା କୃଷି ଶିଳ୍ପ ନିଗମ ଲିମିଟେଡ ୨୦୦୮-୦୯ ବର୍ଷରୁ କ୍ରମାଗତ ଭାବେ ଲାଭ କରିଆସୁଛି । ତେବେ ଓଡିଶା ଖଣି ନିଗମ ଲିମିଟେଡ ୨୦୧୭-୧୮ ଆର୍ଥିକ ବର୍ଷରେ କ୍ଷତି କରିବା ପରେ ୨୦୧୮-୧୯ ବର୍ଷରୁ ଲାଭରେ ରହିଆସିଛି । ତେବେ ଲାଭରେ ଥିବା ଅନ୍ୟ ସରକାରୀ ଉଦ୍ୟୋଗ ମଧ୍ୟରେ କଳିଙ୍ଗ ଷ୍ଟୁଡିଓ ଲିମିଟେଡ, ବନ ଉନ୍ନୟନ ନିଗମ ଲିମିଟେଡ ଓ ୱାଟକୋ ଭଳି ସଂସ୍ଥା ରହିଛନ୍ତି ।
ଅନ୍ୟପକ୍ଷରେ କ୍ଷତିରେ ଚାଲୁଥିବା କେତେକ ଉଦ୍ୟୋଗର କର୍ମଚାରୀ ସପ୍ତମ ବେତନ କମିଶନ ଲାଗୁ ପାଇଁ ବାରମ୍ବାର ଦାବି କରିଆସୁଥିବା ବେଳେ କ୍ଷତିର ଆଳ ଦେଖାଇ ସରକାର ଖସିଯିବା ପାଇଁ ଚେଷ୍ଟା କରୁଛନ୍ତି।