ସ୍ୟାଟ୍‍ ଉଚ୍ଛେଦ ପରେ କର୍ମଚାରୀ ହନ୍ତସନ୍ତ : ହାଇକୋର୍ଟ ଉପରେ ବଢିବ ମାମଲାର ବୋଝ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‍) କୁ ଭାଙ୍ଗି ଦିଆଯିବା ପରେ ଏବେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାକିରି ପ୍ରତ୍ୟାଶୀ, ଅବସରପ୍ରାପ୍ତ କର୍ମଚାରୀ ଓ ତାଙ୍କ ପରିବାର ଏବଂ ସରକାରୀ କର୍ମଚାରୀ। କୌଣସି ବିକଳ୍ପ ବ୍ୟବସ୍ଥା ନକରି ସ୍ୟାଟ୍‍ କୁ ଭାଙ୍ଗି ଦିଆଯିବା ଫଳରେ ସେମାନଙ୍କର ଦୁଃଖ ବଢିବାରେ ଲାଗିଛି ।

ଏଭଳି ସରକାରୀ କର୍ମଚାରୀ ଏବଂ ଚାକିରି ପ୍ରତ୍ୟାଶୀ, ଅବସରପ୍ରାପ୍ତ କର୍ମଚାରୀଙ୍କ ଅଭିଯୋଗର ଶୁଣାଣି ନିମନ୍ତେ ଆନ୍ଯ କୌଣସି ସଂସ୍ଥା ନଥିବାରୁ ଏପଟେ କମ୍‍ ସଂଖ୍ୟକ ବିଚାରପତିଙ୍କୁ ନେଇ ଚାଲୁଥିବା ଓଡିଶା ହାଇକୋର୍ଟ ଉପରେ ମାମଲା ସଂଖ୍ୟା ବୃଦ୍ଧି ପାଉଥିବାରୁ ବୋଝ୍ ବଢି ଚାଲୁଛି ବୋଲି ଆଇନ ବିଶେଷଜ୍ଞମାନେ ମତ ରଖିଛନ୍ତି ।

ସ୍ୟାଟ୍ ଉଚ୍ଛେଦ ସମୟରେ ଏଠାରେ ପ୍ରାୟ ୭୦ହଜାର ମାମଲା ବିଚାରାଧୀନ ରହିଥିଲା । ଏତଦ୍ ବ୍ୟତୀତ ଚାକିରି ସଂକ୍ରାନ୍ତୀୟ ପ୍ରାୟ ୧୦ହଜାର ମାମଲା ମଧ୍ୟ ହାଇକୋର୍ଟ, ଶିକ୍ଷା ଟ୍ରିବ୍ୟୁନାଲ ଆଦିରେ ଥିଲା । ଚାକିରି, ପେନ୍‍ସନ ଆଦି ସଂକ୍ରାନ୍ତୀୟ ୮୫ହଜାରରୁ ଅଧିକ ମାମଲା ଓଡିଶାରେ ପଡିରହିଛି । ଏହିସବୁ ମାମଲାର ବିଚାର ପାଇଁ ପୂର୍ବରୁ ସ୍ୟାଟ୍‍ରେ ୬ଜଣ ବିଚାରପତି ରହୁଥିଲେ । ଏବେ ହାଇକୋର୍ଟର ଗୋଟିଏ ବେଞ୍ଚରେ କେବଳ ଶିକ୍ଷା ବିଭାଗ ଏବଂ ଆଉ ଗୋଟିଏ ବେଞ୍ଚ୍‍ରେ ଅନ୍ୟସବୁ ବିଭାଗର ଚାକିରି ଓ ପେନସନ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହେଉଛି ।

ହାଇକୋର୍ଟରେ ଏବେ ପ୍ରାୟ ଲକ୍ଷେ ୮୦ହଜାର ମାମଲା ବିଚାରାଧୀନ ରହିଛି। ଯଦି ସ୍ୟାଟ୍‍ର ସମସ୍ତ ମାମଲା ହାଇକୋର୍ଟରେ ପଞ୍ଜିକୃତ ହୁଏ ତେବେ ମୋଟ୍‍ ମାମଲା ସଂଖ୍ୟା ଅଢେଇ ଲକ୍ଷ ଟପିଯିବ । ହାଇକୋର୍ଟରେ ଯେତିକି ମାମଲା ଅଛି ତାହାର ବିଚାର ଲାଗି ମୁଖ୍ୟ ବିଚାରପତିଙ୍କୁ ମିଶାଇ ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ଅନ୍ୟୁନ ୪୨ଜଣ ବିଚାରପତି ରହିବାକଥା ବୋଲି ଆଇନ୍‍ଜୀବୀମାନେ ଦାବି କରିଛନ୍ତି । ତେବେ ଓଡିଶା ହାଇକୋର୍ଟରେ ବର୍ତ୍ତମାନ ୨୭ରୁ ୧୪ଟି ବିଚାରପତି ପଦବୀ ଖାଲି ପଡିଛି । ସ୍ୟାଟ୍‍ ଭଙ୍ଗାଯିବା ପରେ ଓଡିଶା ହାଇକୋର୍ଟରେ ଅନ୍ୟୁନ ୫ଟି ସ୍ୱତନ୍ତ୍ର ସର୍ଭିସ ବେଞ୍ଚ ରହିବା ଆବଶ୍ୟକ ଥିବା କୁହାଯାଉଛି।

Related Posts