ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ନେତା ନେତା ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ଯାତ୍ରା’ ଏବେ ତେଲେଙ୍ଗାନାରେ ପହଞ୍ଚିଛି। ଶୁକ୍ରବାର ତେଲେଙ୍ଗାନାରେ ଏହି ଯାତ୍ରାର ତୃତୀୟ ଦିନରେ ରାହୁଲ ଗାନ୍ଧି ଏକ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ସାମଗ୍ରୀ ଓ ସେବା କର (ଜିଏସଟି)କୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି କେନ୍ଦ୍ରରେ କଂଗ୍ରେସ ଦଳର ସରକାର ଗଠନ ହୁଏ ତେବେ ଜିଏସଟିର ପୁନର୍ବିଚାର କରାଯିବ।
ଏହାସହିତ କେନ୍ଦ୍ରରେ କଂଗ୍ରେସ ସରକାର ଆସିଲେ ହସ୍ତତନ୍ତ ସାମଗ୍ରୀ ଉପରୁ ଜିଏସଟି ହଟାଯିବ ବୋଲି ସେ ଘୋଷଣା କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନର ଜିଏସଟି ଶାସନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟକୁ ନଷ୍ଟ କରିଦେଇଛି।
ସେ କହିଛନ୍ତି ଯେ, ଯେତେବେଳେ ଆମ ସରକାର କେନ୍ଦ୍ରରେ ଦାୟିତ୍ବ ଗ୍ରହଣ କରିବେ, ସେତେବେଳେ ଆମେ ଜିଏସଟି ଉପରେ ପୁନର୍ବିଚାର କରିବୁ ଏବଂ ଜିଏସଟି ଉପରେ ପାଞ୍ଚଟି (ସ୍ଲାବ) ନୁହେଁ କେବଳ ଗୋଟିଏ ଟ୍ୟାକ୍ସ (ସ୍ଲାବ) ଆଣିବୁ ବୋଲି ସେ କହିଛନ୍ତି।
ଏହାସହିତ ରାହୁଲ ଗାନ୍ଧି ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ଆଗାମୀ ବିଧାନସଭା ନିର୍ବାଚନରେ ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରେ ତେବେ ଆଦିବାସୀମାନଙ୍କ ହିତ ପାଇଁ ଜଙ୍ଗଲ ଅଧିକାର ଆଇନ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ। ଏହି ଅବସରରେ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।
କେସିଆରଙ୍କୁ ରାଜ୍ୟର ରାଜା ବୋଲି ସମ୍ବିଧାନ କରି ରାହୁଲ କହିଛନ୍ତି ଯେ, ତେଲେଙ୍ଗାନାର ଲୋକଙ୍କ ଜମି ଓ ଟଙ୍କା ଜବତ କରିବା କେସିଆରଙ୍କ ଉଦ୍ଦେଶ୍ୟ। ରାହୁଲ ଅଭିଯୋଗ କରିଛନ୍ତି ଯେ, ବିଜେପି ଓ ଟିଆରଏସ ତେଲେଙ୍ଗାନା ରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏନଡିଏ ସରକାରଙ୍କ ଦ୍ବାରା ସଂସଦରେ ଉପସ୍ଥାପିତ ହୋଇଥିବା ସମସ୍ତ ବିଲକୁ କେସିଆର ସମର୍ଥନ କରୁଛନ୍ତି। ଗୋଟିଏ ପଟେ ବିଜେପି ଘୃଣା ବାଣ୍ଟୁଛି ଏବଂ ଅନ୍ୟ ପଟେ ଟିଆରଏସ ଏହାକୁ ସମର୍ଥନ କରୁଛି। ବିଜେପି ଯାହା ଚାହୁଁଛି, ଟିଆରଏସ ଲୋକସଭା ଏବଂ ରାଜ୍ୟସଭାରେ ତାହା କରୁଛି ବୋଲି ରାହୁଲ କହିଛନ୍ତି।
ଏହାସହିତ ରାହୁଲ ଦାବି କରିଛନ୍ତି ଯେ, ଉଭୟ ଦେଶରେ ଓ ତେଲେଙ୍ଗାନାରେ ବେକାରୀ ସମସ୍ୟା ଚରମ ସୀମାରେ ପହଞ୍ଚିଛି ଏବଂ ଯୁବକମାନେ ସେମାନଙ୍କ ଶିକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ସେମାନଙ୍କ ଭବିଷ୍ୟତ ବିଷୟରେ ଅନିଶ୍ଚିତ ଅଛନ୍ତି ବୋଲି ରାହୁଲ କହିଛନ୍ତି।
ସୂଚନାଯୋଗ୍ୟ ଯେ, ତାମିଲନାଡୁର କନ୍ୟାକୁମାରୀରୁ ‘ଭାରତ ଯୋଡୋ ଯାତ୍ରା’ ଗତ ସେପ୍ଟେମ୍ବର ୭ରେ ଆରମ୍ଭ ହୋଇଥିଲା। ଏହାପରେ ଏହି ଯାତ୍ରା ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ହୋଇ ଏବେ ତେଲେଙ୍ଗାନାରେ ପହଞ୍ଚିଛି ଯାହା ଜାମ୍ମୁ-କାଶ୍ମୀରରେ ଶେଷ ହେବ।





