ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଜଣେ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଜଣେ ନକଲି ଡାକ୍ତର ଗିରଫ। ମେଡିକାଲ ପରିସରରେ ଦଲାଲି କରୁଥିବା ସନ୍ଦେହ । ଓପିଡି ସୁପରଭାଇଜର ଓ ନାଁ ଲେଖାଥିବା ଏକ ନକଲି ପରିଚୟ ପତ୍ର ଲଗାଇ ମେଡିକାଲ ପରିସରରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ ସମ୍ପୃକ୍ତ ଯୁବକ । ସୁରକ୍ଷାକର୍ମୀଙ୍କ ସହ ପରିଚୟ ପତ୍ରକୁ ନେଇ ଯୁକ୍ତିତର୍କ ହେବାପରେ ତାଙ୍କୁ ନେଇ ସନ୍ଦେହ ଉପୁଜିଥିଲା । ଏହାପରେ ମେଡିକାଲ ଫାଣ୍ଡି ପୋଲିସ ଦ୍ୱାରା ତାଙ୍କୁ ଅଟକ ରଖିବା ପରେ ଏବେ ସ୍ଥାନୀୟ ବୈଦନାଥପୁର ଥାନା ପୋଲିସ ତାଙ୍କୁ ଗିରଫ କରିଛି ।ଏସପିଙ୍କ ନିର୍ଦ୍ଦେଶରେ ଏସଡିପିଓ ନିଜେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ଗିରଫ ବ୍ୟକ୍ତି ଜଣକ ଡାକ୍ତର ନଥିବା ସହ ତାଙ୍କ ପରିଚୟ ପତ୍ର ନକଲି ଓ ସେ ସାନଖେମୁଣ୍ଡି ଅଞ୍ଚଳ ବୋଲି ଜଣା ପଡ଼ିଛି। ତେବେ କିଛି ଦିନ ହେଲା ସେ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳ ଏକ ଭଡା ଘରେ ରହୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅନ୍ୟପକ୍ଷରେ ସେ ଜଣେ ଡିପ୍ଲୋମା ଛାତ୍ର ଓ ତାଙ୍କ ବୟସ ୧୭ ବର୍ଷ ହୋଇଥିବା ସେ ପୋଲିସ କୁ କହିଥିବା ଜଣାପଡିଛି । ତେବେ ଏ ନେଇ ଅଧିକ ତଦନ୍ତ ଜାରିରଖିଛି ପୁଲିସ । ଏମକେସିଜିରେ ଦଲାଲଙ୍କ ରାଜ ନେଇ ପୂର୍ବରୁ ମଧ୍ୟ ଅନେକ ଖବର ସାମ୍ନାକୁ ଆସିଛି । କିଛିଦିନ ତଳେ ପ୍ରଶାସନ ପକ୍ଷରୁ ଏନେଇ ତତ୍ପରତା ମଧ୍ୟ ପ୍ରକାଶ ପାଇଥିଲା । ନଭେମ୍ବର ୧୮ ତାରିଖରେ ବ୍ରହ୍ମପୁର ପୋଲିସ ପକ୍ଷରୁ ସାଧା ପୋଷକରେ ଚଢାଉ କରାଯାଇ ୭ଜଣ ଦଲାଲକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।

Related Posts