ଗୁଜୁରାଟ ବିଧାନସଭା ନିର୍ବାଚନ: କଂଗ୍ରେସ, ବିଜେପି ଓ ଆପ ନଜରରେ ନରେଶ ପଟେଲ ! ଜଣାନ୍ତୁ କିଏ ସିଏ, ଯାହାକୁ ନିଜ ଦଳରେ ସାମିଲ କରିବା ପାଇଁ ୩ ପ୍ରମୁଖ ଦଳ ଆଶାବାଦୀ

ହାଇଦ୍ରାବାଦ: ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ | ତେବେ ଏବେଠୁ ସରଗରମ ହୋଇ ଉଠିଲାଣି ରାଜ୍ୟ ରାଜନୀତି | ଦେଶର ୩ ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ଆପ ଦଳ କୁ ସୄଧୁଡ଼ କରିବା ପାଇଁ ଅଂଟା ଭିଡିଛନ୍ତି | ନିର୍ବାଚନ ଯୁଦ୍ଧ ପାଇଁ ଯୋଦ୍ଧା ମଧ୍ୟ ପ୍ରସ୍ତୁତ କରୁଛନ୍ତି । ନିକଟରେ ଶେଷ ହୋଇଥିବା 5 ଟି ରାଜ୍ୟ ନିର୍ବାଚନ ଫଳାଫଳ ଦେଖି ସମସ୍ତ ଦଳ ଭିନ୍ନ ରଣନୀତି ସହ ମୈଦାନକୁ ଓହ୍ଲାଇବା ନିଶ୍ଚିତ । ଏପରି ସ୍ଥଳେ ପଞ୍ଜାବ ଦଖଲ କରିଥିବା ଆମ ଆଦମୀ ପାର୍ଟି(Aam Aadmi Party) ଗୁଜୁରାଟରେ କମର କଷିବା ପାଇଁ ଯୋଜନା ସହ ରଣନୀତି ପ୍ରସ୍ତୁତ କରୁଛି । ଆଉ କଂଗ୍ରେସ (Congress) ମଧ୍ୟ ଗୁଜୁରାଟରେ କିଛି ଚମତ୍କାର କରିବାକୁ ଆଶାବାନ୍ଧିଛି ।

ଏପରି ସ୍ଥଳେ ପ୍ରଶ୍ନ ଉଠୁଛି, କେଜ୍ରିୱାଲଙ୍କ କ୍ରେଜ କାମ ଦେବ କି ଗୁଜୁରାଟରେ? ନା କଂଗ୍ରେସକୁ ଭରସା କରିବେ ରାଜ୍ୟବାସୀ ? ନା ମୋଦି ଶାହଙ୍କ ମାନ ରଖିବେ ଗୁଜୁରାଟବାସୀ ? ବର୍ତ୍ତମାନର ସ୍ଥିତି ଯାହା ଗୁଜୁରାଟ ଦଖଲ ପାଇଁ ଏତେ ସହଜ ହେବ ନାହିଁ ଉଭୟ କଂଗ୍ରେସ ଓ ଆପକୁ । କାରଣ ମୋଦି ଶାହଙ୍କ ଗୃହରାଜ୍ୟ ହେଉଛି ଗୁଜୁରାଟ । ଏପରି ସ୍ଥଳେ ନିଜ ହୋମ ଗ୍ରାଉଣ୍ଡରେ ଫର୍ମରେ ଥିବା ଭାଜପାକୁ ବିଜୟୀ କରାଇବା ପାଇଁ ଉଭୟ ନେତା କୌଣସି ଭୁଲ ସଟ ଖେଳି ନପାରନ୍ତି । ଏହାସହ ଗୁଜୁରାଟିଙ୍କ ଭାବାବେଗ ଓ ରାଷ୍ଟ୍ରବାଦ, ମୋଦିଙ୍କ ଚେହେରା, ଶାହଙ୍କ ଶକ୍ତ ରଣନୀତି ବିଜେପିକୁ ଫ୍ରଣ୍ଟଫୁଟରେ ଖେଳିବା ପାଇଁ କୌଣସି ଅସୁବିଧା ହୋଇନପାରେ ।

ଏପରି ସ୍ଥଳେ ସାଢେ 2 ଦଶନ୍ଧୀରୁ ଅଧିକ ସମୟ ଧରି ଗୁଜୁରାଟ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି(ବିଜେପି)କୁ କ୍ଷମତାରୁ ବାହାର କରିବା ପାଇଁ କଂଗ୍ରେସ ଓ ଆମ ଆଦମୀ ପାର୍ଟି ଭିନ୍ନ ରଣନୀତି କରୁଛନ୍ତି। ଉଭୟ ଦଳ ମୋଦି ଶାହଙ୍କୁ ତଙ୍କରି ଗଡରେ ଚକମା ଦେବା ପାଇଁ ଏବେ ଆଖି ପକାଇଛନ୍ତି ଆଉ ଜଣେ ପାଟିଦାର ନେତାଙ୍କ ଉପରେ । ତାଙ୍କୁ ଦଳକୁ ଆଣି ବଡ ଗୋଟି ଚାଳଣା କରିବାକୁ ଯୋଜନା କରୁଛନ୍ତି ।

ଆଉ ସେହି ଚର୍ଚ୍ଚିତ ପାଟିଦାର ନେତା ହେଉଛନ୍ତି ନରେଶ ପଟେଲ । ନିର୍ବାଚନ ପୂର୍ବରୁ ନରେଶଙ୍କୁ ନିଜ ପଟ୍ଟକୁ ଆଣି ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି । ଆମ ଆଦମୀ ପାର୍ଟି ମଧ୍ୟ ନରେଶଙ୍କୁ ଦଳରେ ସାମିଲ ହେବାକୁ ଆମନ୍ତ୍ରଣ କରିଛି। ଆଉ ବଡ କଥା ହେଉଛି ନରେଶ ମଧ୍ୟ ରାଜନୀତି ଇଂନିସ ଖେଳିବାକୁ ସଂକେତ ଦେଇଛନ୍ତି । ତେବେ କେଉଁ ଦଳରେ ସାମିଲ ହେବେ, କଣ ରହିବ ଭୂମିକା ତାହା ସ୍ପଷ୍ଟ ହୋଇନଥିବା ବେଳେ , ଉଭୟ କଂଗ୍ରେସ ଓ ଆପରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିଛି ।

କିଏ ନରେଶ ପଟେଲ ?

ଶ୍ରୀ ଖୋଡଲଧାମ ଟ୍ରଷ୍ଟର ମୁଖ୍ୟ ହେଉଛନ୍ତି ନରେଶ ପଟେଲ । ଗୁଜୁରାଟର ପ୍ରଭାବଶାଳୀ ପାଟିଦାର ସମାଜର ଲିଉଆ ସମ୍ପ୍ରଦାୟର ଏକ ଜଣାଶୁଣା ନାଁ ହେଉଛନ୍ତି ନରେଶ । ଲିଉଆ ପଟେଲଙ୍କ କୁଳଦେବୀ ଖୋଡଲଧାମ ମାତା ମନ୍ଦିର ତଥା ଖୋଡଲଧାମ ଟ୍ରଷ୍ଟର ଅଧ୍ୟକ୍ଷ ରହିଛନ୍ତି ନରେଶ । ଧାର୍ମିକ ତଥା ସାମାଜିକ କାର୍ଯ୍ୟକ୍ରମ ପାଇଁ ନରେଶ ପଟେଲ ପାଟିଦାର ସମାଜରେ ବେଶ ପ୍ରଭାବ ରଖନ୍ତି । ପାଟିଦାର ସମାଜ ମଧ୍ୟ ନରେଶଙ୍କୁ ବେଶ ଗୁରୁତ୍ବ ଦିଏ । ଏହାବାଦ ନରେଶଙ୍କ ଏକ ବଡ ବ୍ୟବସାୟ ରହିଛି । ଗୁଜୁରାଟରେ ଜଣେ ବିଶିଷ୍ଟ ଶିଳ୍ପପତି ମଧ୍ୟ ସେ । ଆର୍ଥିକ ସ୍ବଛଳ, ପାଟିଦାର ସମାଜରେ ଗ୍ରହଣୀୟ ଓ ସ୍ବଛ ଭାବମୂର୍ତ୍ତୀ ପାଇଁ ତାଙ୍କର ପ୍ରଭାବ ରାଜ୍ୟରେ ପ୍ରାୟ ସବୁ ଅଞ୍ଚରେ ଅଛି । ବିଶେଷ କରି 11 ଟି ଜିଲ୍ଲା ସମେତ ସୁରତ ସହରରେ ନରେଶ ବେଶ ପ୍ରଭାବ ରଖୁଛନ୍ତି । ଏପରି ସ୍ଥଳେ ତାଙ୍କୁ ନିଜ ପକ୍ଷଙ୍କୁ ଆଣି ଗୁଜୁରାଟ ଦଖଲ କରିବାକୁ ଉଦ୍ୟମ କରୁଛନ୍ତି କଂଗ୍ରେସ ଓ ଆମ ଆଦମୀ ପାର୍ଟି ।

ନରେଶ ପଟେଲଙ୍କୁ କଂଗ୍ରେସର ନିମନ୍ତ୍ରଣ ପାଟିଦାର ସମାଜାର ଚର୍ଚିତ ଚେହେରା ନରେଶ ପଟେଲଙ୍କୁ କଂଗ୍ରେସରେ ସାମିଲ ହେବା ପାଇଁ ରାଜ୍ୟ ନେତୃତ୍ବ ନିମନ୍ତ୍ରଣ ଦେଇସାରିଛି । ଏହାସହ 2 ଥର ମଧ୍ୟ ଆଲୋଚନା କରିସାରିଛି । ଏପରିକି ନରେଶ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ହେଲେ ଏହି ଚର୍ଚ୍ଚାର କୌଣସି ଆଧାର ନାହିଁ । ଏହାବାଦ ଗତ କିଛି ମାସ ଧରି ଭିନ୍ନ ଭିନ୍ନ ସମୟରେ ନରେଶଙ୍କ ସହ କଂଗ୍ରେସର ବରିଷ୍ଠ ନେତା ଆଲୋଚନା କରିଛନ୍ତି । ନରେଶ ପଟେଲ ମଧ୍ୟ ରାଜନୀତିରେ ପ୍ରବେଶ ପାଇଁ ସଂକେତ ଦେଇଛନ୍ତି । ହେଲେ କଂଗ୍ରେସ ସହ ଯିବେ ନା ଆପକୁ ଭରଷା କରିବେ ତାହା ଏବେବି ସ୍ପଷ୍ଟ କରିନାହାଁନ୍ତି । କଂଗ୍ରେସ ମଧ୍ୟ ନରେଶଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ବୋଲି ପ୍ରଚାର ଆରମ୍ଭ କରିଦେଇଛି । ଗୁଜୁରାଟ କଂଗ୍ରେସ ମୁଖ୍ୟ ଜଗଦୀଶ ଠାକୁରଓ ବିରୋଧୀ ଦଳ ନେତା ମଧ୍ୟ ସାର୍ବଜନିନ ଭାବେ ନରେଶଙ୍କୁ ଖୋଲା ଆମନ୍ତ୍ରଣ କରିଛନ୍ତି । ଏହାସହ କଂଗ୍ରେସରେ ନରେଶଙ୍କ ପାଇଁ ଦ୍ବାର ଖୋଲାଥିବା କହିଛନ୍ତି ।

ବିଜେପି ମଧ୍ୟ ନରେଶଙ୍କ ଉପରେ ରଖିଛି ନଜରନରେଶ ପଟେଲଙ୍କ ଉପରେ ରାଜ୍ୟ ବିଜେପି ମଧ୍ୟ ନଜର ରଖିଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି, ରାଷ୍ଟ୍ରସେବା ସହ ଦେଶର ବିକାଶ ପାଇଁ ଯିଏ ବି ଦଳରେ ସାମିଲ ହେବାକୁ ଇଛୁକ ବିଜେପି ସ୍ବାଗତ କରିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବକୁ ସ୍ବୀକର କରି ଯିଏ ଦଳକୁ ଆସିବ ଆମ ବିଚାରଧାରକୁ ଗ୍ରହଣ କରିବ ଆମେ ତାଙ୍କୁ ସମ୍ମାନ ଦେବୁ ବୋଲି କହିଛନ୍ତି । ଯାହା ଅନେକ କିଛି ଇଙ୍ଗିତ କରୁଛି । ତଥାପି ନରେଶଙ୍କୁ ନେଇ କେନ୍ଦ୍ରୀୟ ବିଜେପି ଏଯାଏଁ କୌଣସି ଚିନ୍ତା କରିନାହାଁନ୍ତି ।

Related Posts