ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ୧୨ ରେ ପୁଣି ନେବେ ଶପଥ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟରେ ପୁଣି ସରକାର ଗଠନ କରିବ ବିଜେପି । ଗତକାଲି ନିର୍ବାଚନ ଫଳାଫଳ ଘୋଷଣା ପରେ ଭାରତୀୟ ଜନତା ପାର୍ଟି ସପ୍ତମ ଥର ସରକାର ଗଢିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।ଏଥିପାଇଁ ଆଜି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ଗାନ୍ଧୀନଗର ସ୍ଥିତ ରାଜଭବନରେ ପହଞ୍ଚି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ୧୨ ତାରିଖରେ ପଟେଲ ପୁଣିଥରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ଗୁଜୁରାଟରେ ଐତିହାସିକ ବିଜୟ ପରେ ଭୂପେନ୍ଦ୍ର ପଟେଲ ହିଁ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଗୁରୁବାର ବିଜେପି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆସନ୍ତା ୧୨ରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ନୂଆ କ୍ୟାବିନେଟ ଟିମ୍ ଶପଥ ନେବେ । ତେବେ ଡର୍ଜନରୁ ଅଧିକ ମନ୍ତ୍ରୀ ସେଦିନ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗ ଦେବେ । ଗୁଜୁରାଟ ବିଜେପି ମୁଖ୍ୟ ସିଆର ପାଟିଲ ଏକ ସମ୍ବାଦିକ ସମ୍ମିଳନୀ ଜରିଆରେ ଏନେଇ ସୂଚନା ଦେଇଛନ୍ତି ।

ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଗତ ଡିସେମ୍ବର ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା । ଗତକାଲି ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇଥିଲା । ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ହୋଇଛି । ମୋଟ ୧୮୨ ବିଧାନସଭା ଆସନରୁ ବିଜେପି ୧୫୬ଟି ଆସନ ଦାଖଲ କରିଥିବା ବେଳେ କଂଗ୍ରେସ ୧୭ ଓ ଆପ୍ ୫ଟି ଆସନରେ ବିଜୟୀ ହୋଇଛି ।

Related Posts