ପୁରୀ ଜେଲରେ ଗ୍ୟାଙ୍ଗଓ୍ବାର; ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳକୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଜେଲ ମଧ୍ୟରେ ସୋମବାର ଗ୍ୟାଙ୍ଗଓ୍ବାର ଘଟିଥିବା ସୂଚନା ମିଳିଛି। ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ଧୀରେନ୍ଦ୍ର ବରାଳ ଓରଫ ପପୁଙ୍କୁ ଜେଲ ଭିତରେ ମରଣାନ୍ତକ ଆକ୍ରମଣ କରାଯାଇଛି। ତାଙ୍କର ପ୍ରତିପକ୍ଷ ଗୋଷ୍ଠୀ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି। ତେବେ ଗୁରୁତର ଅବସ୍ଥାରେ ପପୁଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ କଟକସ୍ଥିତ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ପପୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ ବୋଲି ଜେଲ କର୍ତ୍ତୃପକ୍ଷ କହୁଥିବାବେଳେ ତାଙ୍କୁ ହତ୍ୟା କରିବାକୁ ପୋଲିସ ଷଡ଼ଯନ୍ତ୍ର କରିଥିବା ନେଇ ସ୍ତ୍ରୀ ମଞ୍ଜୁ ବରାଳ ଅଭିଯୋଗ ଆଣିଛନ୍ତି।

ଏହି ଘଟଣା ନେଇ ପପୁ କହିଛନ୍ତି ଯେ, ସୋମବାର ସକାଳେ ସେ ଜେଲ ଭିତରେ ବସି ଚା’ ପିଉଥିବା ବେଳେ ତାଙ୍କୁ ଏକ ଧାରୁଆ ଚାମଚରେ ଆକ୍ରମଣ କରାଯାଇଥିଲା। ସୌଭାଗ୍ୟବଶତଃ ସେହି ସମୟରେ ତାଙ୍କୁ ଅନ୍ୟ କେହି ଡ଼ାକିଦେବାରୁ ସେ ବେକ ବୁଲାଇ ଦେଇଥିଲେ। ଫଳରେ ଚାମଚଟି ଡାହାଣପଟ ବେକର କିଛି ଅଂଶରେ ଘଷିହୋଇଯାଇଥିଲା। ଏଥିରେ ବେକର କିଛି ଅଂଶ କଟିଯାଇଛି। ତେବେ ଆକ୍ରମଣକାରୀଙ୍କ ନାମ ପପୁ ଜାଣି ନ ଥିଲେ ମଧ୍ୟ ଘର କଣାସ ଅଞ୍ଚଳରେ ବୋଲି କହିଛନ୍ତି। ଏକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁରୀ ଅଠରନଳାର ଦେବୁଲାଙ୍କ ସହଯୋଗୀ ଭାବେ ପପୁ ଗିରଫ ହୋଇ ଜେଲ୍‌ ଯାଇଥିଲେ। ପପୁ ବହୁ ଦାଦାବଟି ସମେତ ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତ ରହିଛନ୍ତି।

ଅନ୍ୟପକ୍ଷରେ ପପୁଙ୍କ ସ୍ତ୍ରୀ ମଞ୍ଜୁ ଏ ନେଇ ଅତିରିକ୍ତ ଏସ୍‌ପି ମିହିର କୁମାର ପଣ୍ଡାଙ୍କୁ ଏକ ଅଭିଯୋଗ ପତ୍ର ଦେଇଛନ୍ତି। ମଞ୍ଜୁ ଅଭିଯୋଗ କରିଛନ୍ତି ଯେ, ଗତ ୨୩ ତାରିଖଠାରୁ ବିଚାରାଧୀନ କଏଦୀ ଭାବେ ପପୁ ପୁରୀ ଜେଲ୍‌ରେ ରହିଛନ୍ତି। ପୋଲିସ ପ୍ରଶାସନ ଓ ଆପରାଧିକ ଗୋଷ୍ଠୀ ମିଳିତ ଭାବେ ପପୁଙ୍କୁ ମାରିଦେବା ଯୋଜନା କରୁଥିବା ଖବର ମିଳୁଥିଲା। ବର୍ତ୍ତମାନ ଏହା ସତ୍ୟ ପ୍ରମାଣିତ ହୋଇଛି। ପପୁଙ୍କୁ ଜୀବନରୁ ମାରିଦେବା ପାଇଁ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଗଲା। ଫଳରେ ସେ ଏବେ ଗୁରୁତର ଅଛନ୍ତି। ଜେଲ ଭିତରେ ତାଙ୍କୁ ଯଦି ଆକ୍ରମଣ କରାଯାଇପାରୁଛି, ତେବେ ସେ କେଉଁଠାରେ ସୁରକ୍ଷିତ ରହିପାରିବେ ବୋଲି ମଞ୍ଜୁ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପପୁଙ୍କ ନାମରେ କେହି ଅଭିଯୋଗ କରି ନ ଥିଲେ ମଧ୍ୟ ପୋଲିସ ବିନା କାରଣରେ ତାଙ୍କୁ ଉଠାଇ ନେଇଥିଲା। ପରିବାର ଲୋକେ ବାରମ୍ବାର ଏତଲାକାରୀଙ୍କ ନାମ ପଚାରିଥିଲେ ମଧ୍ୟ ପୋଲିସ ଚୁପ୍‌ ରହିଥିଲା। ଏବେ ପପୁଙ୍କୁ ପୋଲିସ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଦେବା ପାଇଁ ମଞ୍ଜୁ ଦାବି କରିଛନ୍ତି।

ଘଟଣା ନେଇ ଅତିରିକ୍ତ ଜେଲର ମନୋଜ କୁମାର ସୂତାର କହିଛନ୍ତି, ପପୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବାବେଳେ ଏଭଳି ଘଟିଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି। ଅପରପକ୍ଷେ ଜେଲ୍‌ରେ ପପୁଙ୍କୁ ଜଣେ କଏଦୀ ଆକ୍ରମଣ କରିଥିବା କୁହାଯାଉଛି। ପୁରୀ ଜେଲରେ କିଛି ଦିନ ହେବ ଉତ୍ତେଜନାପୂର୍ଣ୍ଣ ମାହୋଲ ରହିଥିଲା। ଏହି ଆକ୍ରମଣ ଘଟଣା ପରେ ଜେଲ ଭିତର ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଥିବା ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ପପୁଙ୍କୁ ଭେଟିବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପୋଲିସ ଛାଡ଼ି ନ ଥିଲା।

Related Posts