
ସତ୍ୟପାଠ ଏକ୍ସକ୍ଲୁସିଭ: କେମିତି ଧରା ପଡିଲା ହାଇଦର
ସତ୍ୟପାଠ ବ୍ୟୁରୋ: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ଗାଙ୍ଗଷ୍ଟାର ହାଇଦର ଧରାପଡିବା ପରେ ଏସିବିରୁ ଫେରାର ହେବା, ଓଡିଶା ବାହାରକୁ ଖସି ପଲାଇବା ତେଲେଙ୍ଗାନରେ ଲୁଚି ରହିବା, ଶେଷରେ ପୁଲିସ ହାତରେ ଧରାପଡିବା ଏସବୁ ପ୍ରସଙ୍ଗକୁ ନେଇ ଏବେ ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି । ଶୁକ୍ରବାର ଦିନ ହାଇଦରକୁ କଟକ ଅଣାଯିବା ପରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ହାଇଦରର ଫେରାର ଓ ଗିରଫକୁ ନେଇ ଯେଉଁ ସବୁ ତଥ୍ୟ ରଖିଛନ୍ତି ସେଥିରେ ଅନେକ କଥା ଓ ତଥ୍ୟ ରଖିଛନ୍ତି ଯାହା ଅସମ୍ପୂର୍ଣ୍ଣ ଓ ପର୍ଯ୍ୟାପ୍ତ ନୁହଁ । କେମିତି ଗଲା, ପୁଲିସକୁ କେମିତି ଜଣାପଡିଲା ଓ କିଭଳି ଧରା ପଡିଲା ଏସମ୍ପର୍କରେ ଅନେକ ପ୍ରଶ୍ନର ଉତ୍ତରରେ ପ୍ରିୟଦର୍ଶୀ କହିଛନ୍ତି, ହାଇଦରକୁ ରିମାଣ୍ଡରେ ଆଣି ପଚରାଉଚରା କଲେ ଜଣାପଡିବ ।
ଅପରପକ୍ଷେ ସତ୍ୟପାଠର ଅନୁସନ୍ଧାନରୁ ହାଇଦର କେମିତି ଧରା ପଡିଲା ଏ ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ହାଇଦ୍ରାବାଦ ପୁଲିସ କମିଶନରେଟ ପକ୍ଷରୁ ସତ୍ୟପାଠକୁ ମିଳିଥିବା ତଥ୍ୟ ଅନୁଯାୟୀ, ହାଇଦର ଧରା ପଡିବା ପଛରେ ପୁଲିସକୁ ଯେଉଁ କାରଣଟି ସବୁଠାରୁ ଅଧିକ ସାହଯ୍ୟ କରିଛି ତାହା ହେଲା ପୁରା ହାଇଦ୍ରାବାଦ ଇଲାକାର ହାଇଟେକ ଇଲେକଟ୍ରନିକ ସର୍ଭେଲାନ୍ସ ବ୍ୟବସ୍ଥା ।
ହାଇଦ୍ରାବାଦ, ଜାହିରାବାଦ ଓ ରାଜକୋଣ୍ଡା ଇଲାକାରେ ଲାଗିଥିବା ପ୍ରାୟ ଦୁଇ ଲକ୍ଷ ପଚାଶ ହଜାର ସିସିଟିଭି କ୍ୟାମେରାର ଫୁଟେଜ ହାଇଦରକୁ ଧରାଇ ଦେବାରେ ସାହାଯ୍ୟ କଲା । ହାଇଦ୍ରାବାଦ କମିଶନରେଟର ଟାସ୍କ ଫୋର୍ସ ଡିସିପି ସତ୍ୟପାଠକୁ ସୂଚନା ଦେଇ କହିଛନ୍ତି ଯେ ଯେଉଁଦିନ ହାଇଦର ଏସିବିରୁ ଫେରାର ହେଲା ସେ ଗୋଟିଏ ମାରୁତି ଡିଜାୟାର କାରରେ ସଡକ ପଥରେ ଓଡିଶାରୁ ତେଲେଙ୍ଗାନା ପଳାଇ ଆସିଥିଲା । ହାଇଦର ଯେଉଁ ଗାଡିରେ ତେଲେଙ୍ଗାନା ଚାଲିଯାଇଥିଲା ସେଥିରେ ଡ୍ରାଇଭର ବ୍ୟତୀତ ଅନ୍ୟ ଦୁଇଜଣ ସହଯୋଗୀ ହାଇଦର ସହ ଯାଇଥିଲେ ବୋଲି ସୂଚନା ଦେଇଛନ୍ତି । ଅବଶ୍ୟ ଭୁବନେଶ୍ୱର ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ହାଇଦର ସହ କେତେ ଜଣ ଯାଇଥିଲେ ଓ ସେମାନେ କିଏ, ଏ ବାବଦରେ କୌଣସି ନିର୍ଦ୍ଦଷ୍ଟ ତଥ୍ୟ ଦେଇ ନାହାଁନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁଲିସ କେମିତି ଜାଣିଲା ହାଇଦର ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ହିଁ ରହିଛି । ହାଇଦ୍ରାବାଦ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହାଇଦର ଓ ତା’ ସହଯୋଗୀ ହାଇଦ୍ରାବାଦରେ ଏଣ୍ଟ୍ରି କରିବା ପୂର୍ବରୁ ରିଙ୍ଗ ରୋଡରେ ରାଜକୋଣ୍ଡା ନାମକ ଏକ ସ୍ଥାନରେ ଯେଉଁ ଗାଡିରେ ଯାଇଥିଲେ ସେ ଗାଡିଟିକୁ ଛାଡି ଦେଇଥିଲେ । କାରକୁ ଛାଡି ଦେବା ପରେ ମୋଟରସାଇକେଲରେ ସେଠାରୁ ପ୍ରାୟ ୧୩୦ କି.ମି. ଦୂର ଜାହିରାବାଦକୁ ଚାଲିଯାଇଥିଲା । ହାଇଦ୍ରାବାଦ ପୁଲିସକୁ ମିଳିଥିବା ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ କମିଶନରେଟ ପୁଲିସର ଏକ ସ୍ପେଶାଲ ସ୍କ୍ୱାର୍ଡ ହାଇଦ୍ରାବାଦ ପହଁଞ୍ଚିଥିଲା । ହାଇଦ୍ରାବାଦରେ ପହଁଞ୍ଚି ତେଲେଙ୍ଗାନା ପୁଲିସ ସହାୟତାରେ ଖୋଳତାଡ ଆରମ୍ଭ କରିଥିଲା । ହାଇଦ୍ରାବାଦ ରିଙ୍ଗ ରୋଡରେ ଲାଗିଥିବା ସିସିଟିଭି କ୍ୟାମେରାରେ ଧରାପଡିଥିଲା ହାଇଦରର ଗତିବିଧିର ସୁରାକ । ସିସିଟିଭି କ୍ୟାମେରା ଭିଡିଓରେ ଜଣାପଡିଥିଲା ହାଇଦର ଯେଉଁ ଗାଡିରେ ଯାଇଥିଲା ତାକୁ କିଭଳି ରିଙ୍ଗରୋଡର ରାଜକୋଣ୍ଡା ପଏଣ୍ଟରେ ରଖୁଛି, ସେ ଭିଡିଓରୁ ଜଣାପଡିଲା କି ହାଇଦର ସହ ଡ୍ରାଇଭରକୁ ମିଶାଇ ୩ ଜଣ ଲୋକ ସେ ଗାଡିରୁ ବାହାରୁଛନ୍ତି । ଗାଡିରୁ ଓହ୍ଲାଇବା ପରେ ହାଇଦରକୁ ଜଣେ ବ୍ୟକ୍ତି ମୋଟରସାଇକେଲରେ ଜାହିରାବାଦ ନେଇଯାଉଛନ୍ତି । ହାଇଦର ଯେଉଁ ଲୋକ ପାଖରେ ରହୁଥିଲା ସେ ଜଣେ ଓଡିଆ । ସେଠାରେ ସେ ଲୋକ ଶ୍ରମିକ ଭାବରେ କାର୍ଯ୍ୟ କରେ । ଏପଟେ ହାଇଦରକୁ ଶରଣ ଦେଇଥିବା ବ୍ୟକ୍ତି ଓଡିଶାର ନୁହଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ଏବେ ପ୍ରଶ୍ନ ଉଠୁଛି ହାଇଦ୍ରାବାଦ ପୁଲିସ ସତ କହୁଛି ନାଁ ଓଡିଶା ପୁଲିସ ସତ କହୁଛି । ପୁଲିସ ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜକୋଣ୍ଡାରୁ ଜାହିରବାଦ ଯାଇଥିବା ମୋଟରସାଇକେଲର ରେଜିଷ୍ଟ୍ରେଶନ ଓ ଅନ୍ୟାନ୍ୟ ତଥ୍ୟ ସିସିଟିଭି କ୍ୟାମେରାରୁ ପୁଲିସକୁ ମିଳିଯାଇଥିଲା । ଯାହାକି ହାଇଦରକୁ ଧରିବାରେ ବହୁ ସହାୟତା କଲା । ଅଦାଲତରେ ହାଇଦର ବିରୋଧରେ ହୋଇଥିବା ଫେରାର ମାମଲାରେ ପୁଲିସ ସପକ୍ଷରେ ତଥ୍ୟ ପ୍ରମାଣକୁ ଶକ୍ତିଶାଳୀ କରିବା ପାଇଁ ହାଇଦ୍ରାବାଦ ପୁଲିସ ପକ୍ଷରୁ ସିସିଟିଭି ଫୁଟେଜର ଡିଭିଡି କପି ଓଡିଶାରୁ ଯାଇଥିବା ସ୍ପେଶାଲ ସ୍କ୍ୱାର୍ଡର ମୁଖ୍ୟ ଇନିସପେକ୍ଟର ମହାପାତ୍ରଙ୍କୁ ଦିଆଯାଇଛି ବୋଲି ବିଶେଷ ସୁତ୍ରରୁ ଖବର ମିଳିଛି ।
ହାଇଦର ଧରା ପଡିବା ପରେ ଅନେକ ପ୍ରଶ୍ନ ଏବେ ଓଡିଶା ପୁଲିସକୁ ଅଡୁଆରେ ପକାଇଛି ।