ହନୁମାନ ଚାଳିସା ବିବାଦ; ଗିରଫ ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀଙ୍କୁ ବଡ଼ ଝଟକା; ଯାଚିକାକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ହନୁମାନ ଚାଳିସାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଳିସା ପାଠ କରି ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ଗିରଫ ହୋଇଥିଲେ । ଏହା ମଧ୍ୟରେ ଉଭୟଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ବଡ଼ ଝଟକା ମିଳିଛି । ତେବେ ଉଭୟଙ୍କ ବିରୋଧରେ ରୁଜୁ ଏଫଆଇଆରକୁ ରଦ୍ଦ କରିବା ପାଇଁ ଦାଖଲ ଯାଚିକାକୁ ହାଇକୋର୍ଟ ଖାରଜ କରିଛନ୍ତି। ଏପରିକି ଅଦାଲତ ନବନୀତ ରାଣାଙ୍କୁ ସାର୍ବଜନୀନ ସ୍ଥାନରେ ହନୁମାନ ଚାଳିସା ପାଠ କରିବା ନେଇ କଡା ତାଗିଦ୍ କରିଛନ୍ତି। ତେବେ ବମ୍ବେ ଉଚ୍ଚ ନ୍ୟାୟାଳୟ ଖାର ଥାନାରେ ରୁଜୁ ଏଫଆଇଆର ମାମଲାରେ ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ଵାମୀ ରବି ରାଣାଙ୍କୁ ଆଶ୍ଵସ୍ତି ପ୍ରଦାନ କରିଛନ୍ତି। ଏହି ମାମଲାରେ ତାଙ୍କ ଗିରଫଦାରୀ ହୋଇନାହିଁ। ଅମରାବତୀର ସାଂସଦ ନବନୀତ ରାଣା ଏବଂ ତାଙ୍କ ପତି ବିଧାୟକ ରବି ରାଣା ବମ୍ବେ ହାଇକୋର୍ଟର ଦ୍ଵାରସ୍ଥ ହୋଇ ନିଜ ବିରୋଧରେ ରୁଜୁ ଏଫଆଇଆର ରଦ୍ଦ କରିବାକୁ ଯାଚିକା ଦାୟର କରିଥିଲେ। ରାଣା ଦମ୍ପତ୍ତିଙ୍କୁ ହନୁମାନ ଚାଳିସା ପାଠ କରିବା ନେଇ ଉଠିଥିବା ବିବାଦ ପରେ ଶନିବାର ଗିରଫ କରାଯାଇଥିଲା।

ରାଣା ଦମ୍ପତ୍ତିଙ୍କ ଉପରେ ଆଇପିସିର ଧାରା ୧୫ଏ ଏବଂ ୩୫ଏ ସହିତ ବମ୍ବେ ପୋଲିସ ଆକ୍ଟର ଧାରା ୧୩୫ ଆଧାରରେ ଏଫଆଇଆର ରୁଜୁ ହୋଇଛି। ସବୁଠୁ ବଡ ଧାରା ୧୨୪ଏ ଅର୍ଥାତ ଦେଶଦ୍ରୋହର ଧାରା ଲଗାଯାଇଛି। ଅନ୍ୟପଟେ ସୋମବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ଓ୍ଵାଲସେ ପାଟିଲ୍ କହିଛନ୍ତି, ନବନୀତ ରାଣାଙ୍କୁ ହନୁମାନ ଚାଳିସା ପଢିବା ପାଇଁ ଗିରଫ କରାଯାଇ ନାହିଁ। ତାଙ୍କର ବୟାନ କାରଣରୁ ଯେଉଁ ଆଇନ ଶୃଙ୍ଖଳା ବ୍ୟବସ୍ଥା ସୃଷ୍ଟି ହୋଇଥିଲା ଏହି କାରଣରୁ ରାଣା ଦମ୍ପତ୍ତିଙ୍କୁ ଗିରଫ କରାଯାଇଛି। ମନ୍ତ୍ରୀ କହିଛନ୍ତି, ନବନୀତ ରାଣା ଜାଣିଶୁଣି ଅଶାନ୍ତି ସୃଷ୍ଟି କରିଥିଲେ। ତାଙ୍କର ହନୁମାନ ଚାଳିସା ପାଠକୁ ନେଇ କୌଣସି ବିରୋଧ କରାଯାଇ ନଥିଲା। ମାତ୍ର ସେ ଅନ୍ୟ ଘରକୁ ଯାଇ ଏମିତି କାହିଁକି କରିବାକୁ ଚାହୁଁଥିଲେ ? ନିଜ ଘରେ କାହିଁକି ପଢିଲେ ନାହିଁ। ସେ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି କରିଥିଲେ। ଏଥିପାଇଁ ଉଭୟଙ୍କୁ ଗିରଫ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts