ଜାମିନ ପାଇବାର କିଛି ସମୟ ପରେ ପୁଣି ଗିରଫ ହେଲେ ଗୁଜରାଟର ବିଧାୟକ ଜିଗ୍ନେଶ ମେୱାନୀ

ଗୌହାଟୀ: ପ୍ରଥମେ ଜାମିନ ପରେ ପୁଣି ଗିରଫ । ଗୁଜରାଟର ବିଧାୟକ ଜିଗ୍ନେଶ ମେୱାନୀକୁ ଜାମିନ ମିଳିବାର କିଛି ସମୟ ପରେ ପୁଣି ତାଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଟ୍ୱିଟ କରିବାରୁ ଗିରଫ ହୋଇଥିଲେ। ଏହି ମାମଲାରେ ଆଜି ତାଙ୍କୁ ଜାମିନ ମିଳି ଯିବାରୁ ତୁରନ୍ତ ଆଉ ଗୋଟିଏ ନୂଆ ମାମଲାରେ ତାଙ୍କୁ ପୁଲିସ୍‌ ଗିରଫ କରିଛି।

ଆସାମର ବାରପେଟା ପୁଲିସ୍ ଜିଗ୍ନେଶକୁ ଗିରଫ କରିଛି। ସେ ସରକାରୀ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ମେୱାନୀଙ୍କ ନାଁରେ ଆସାମର ବାରପେଟ ଓ ଗୋଆଲପଡ଼ା ପୁଲିସ୍‌ ଷ୍ଟେସନରେ ଦୁଇଟି ଏଫଆଇଆର କରାଯାଇଥିଲା। ଆଜି ଜାମିନ ମିଳିବା ମାତ୍ରେ ବାରପେଟ ପୁଲିସ୍‌ ମେୱାନୀଙ୍କୁ କୋକ୍ରାଝର ଜେଲରୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ଗିରଫ କରି ଥାନାକୁ ନେଇଛି।

ମେୱାନୀଙ୍କ ଓକିଲ ଅଙ୍ଗସହ୍ୟୁମାନ ବୋରା କହିଛନ୍ତି, “ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ପୁଣି ଗିରଫ କରିବାକୁ ପୁଲିସ୍‌ କୋକ୍ରାଝର ଜେଲକୁ ଆସିବା ଦୁଃଖଦ ଘଟଣା। ବାରପେଟ ଓ ଗୋଆଲପଡ଼ା ଜିଲ୍ଲାରେ ତାଙ୍କ ନାଁରେ ଦୁଇଟି ନୂଆ ଏଫଆଇଆର ହୋଇଥିବା ଆମେ ଶୁଣିଛୁ। ଆମେ ପୂର୍ବରୁ ଏମିତି ହେବ ବୋଲି ଆଶଙ୍କା କରିଥିଲୁ। ସତକୁ ସତ ଏବେ ସେମିତି ଘଟିଛି। ଆମେ କିନ୍ତୁ ଏଥିପାଇଁ ପ୍ରସ୍ତୁତ ରହିଛୁ।”

ତେବେ ଜାମିନ ପରେ ତାଙ୍କୁ ପୁଣି ଗିରଫ କରାଯାଇଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି। ଏହା ପଛରେ କ୍ଷମତାସୀନ ବିଜେପିର ଷଡ଼ଯନ୍ତ୍ର ଥିବା ବିରୋଧୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ଆସାମ ପୁଲିସ୍‌ ଗୁଜରାଟରେ ପହଞ୍ଚି ପାଲାନପୁରରୁ ବିଧାୟକ ଜିଗ୍ନେଶଙ୍କୁ ଗିରଫ କରିଥିଲା। ଜିଗ୍ନେଶଙ୍କ ନାଁରେ ଆସାମର ଜଣେ ବିଜେପି ନେତା ଅଭିଯୋଗ କରିଥିବାରୁ ପୁଲିସ୍ ଏପରି ଗିରଫଦାରୀ କରିଥିଲା। ପ୍ରଧାନମନ୍ତ୍ରୀ ଓ ବିଜେପିକୁ ସବୁବେଳେ ସମାଲୋଚନା କରୁଥିବା ଜିଗ୍ନେଶ ଗିରଫଦାରୀକୁ ରାଜନୀତିକ ଆକ୍ରୋଶ ବୋଲି କହିଛନ୍ତି।

୪୧ ବର୍ଷୀୟ ମେୱାନୀ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଟ୍ୱିଟ କରିଥିବାରୁ ତାଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର, ଧର୍ମପୀଠ ଗୁଡ଼ିକ ସମ୍ପର୍କରେ ବିଭିନ୍ନ ଆପତ୍ତି ଜନକ ଶବ୍ଦ, ଧାର୍ମିକ ଭାବନାକୁ ଆଘାତ ଦେବା ଓ ଶାନ୍ତି ଭଙ୍ଗ ପାଇଁ ଉସକାଇବା ଭଳି ଦଫା ଲାଗାଯାଇଥିଲା।

Related Posts