ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ): ମନ୍ତ୍ରୀ ନବ ଦାସଙ୍କୁ ପୁଲିସ ଏଏସଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିବା ପରେ ଗୋପାଳର ମାନସିକ ସ୍ଥିତିକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏବେ ଥାନା ଆଇଆଇସିଙ୍କ ମାନସିକ ନିର୍ଯାତନା ସହିନପାରି ଚାକିରିରୁ ଇସ୍ତଫା ଗ୍ରହଣ କରିବାକୁ ଜଣେ ପୁଲିସ ଏସ୍ଆଇ ଏସପିଙ୍କୁ ଚିଠି ଲେଖିଛନ୍ତି। ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆବେଦନକାରୀ ପୁଲିସ ଏସ୍ଆଇ ଜଣକ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନାର ରାଧାନାଥ ଦାସ। ସେ ଧର୍ମଶାଳା ଥାନାର ଅଧିକାରୀ ରାକେଶ କୁମାର ତ୍ରିପାଠୀଙ୍କ ବିରୋଧରେ ଏସପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ଯେଉଁଥିରେ ସେ ଜଣାଇଛନ୍ତି, ଆଇଆଇସି ରାକେଶ ତ୍ରିପାଠୀ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ କର୍ମକ୍ଷେତ୍ରରେ ଅତ୍ୟଧିକ ଚାପ ଦେଉଛନ୍ତି। ମାନିସିକ ଅତ୍ୟାଚାର କରୁଛନ୍ତି। ଏପରିକି ମା’ ଅସୁସ୍ଥ ଥିବା ବେଳେ ତାଙ୍କୁ ଗାଁକୁ ବି ଯିବାକୁ ଅନୁମତି ଦିଆଯାଉନି। ଏଭଳି ସ୍ଥିତିରେ ତାଙ୍କୁ ଆଇଆଇସି ରାକେଶ କୁମାର ତ୍ରିପାଠୀ ଅସୁବିଧାରେ ପକାଇବାକୁ ଧମକ ଦେଉଛନ୍ତି। ତେଣୁ ଚାକିରିରୁ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଉ ବୋଲି ନିବେଦନ କରି ଯାଜପୁର ଏସପିଙ୍କୁ ଲିଖିତ ଜଣାଇଛନ୍ତି ଏସଆଇ ରାଧାନାଥ ଦାସ।
ତେବେ ଅଭିଯୋଗ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଆଇଆଇସି ରାକେଶ କୁମାର ତ୍ରିପାଠୀ। ଅନ୍ୟପଟେ ଏସ୍ଆଇ ରାଧାନାଥ କହିଛନ୍ତି ଯେ, ମୋର ବୁଢ଼ି ମା’ର ଗୋଡ଼ ଭାଙ୍ଗି ଯାଇଥିବାରୁ ସେ ଘରେ ଶଯ୍ୟାରେ ପଡ଼ି ରହିଛି। ଆମେ ପୁଅ ହୋଇ ତାହାର ସେବା କରିବା କ’ଣ କର୍ତ୍ତବ୍ୟ ନୁହେଁ। ହେଲେ ତୁମେ ଯାଇ ପାରିବନି, କେସ ଅଛି ବୁଝ ବୋଲି ଆଇଆଇସି କହୁଛନ୍ତି। ମାନସୀକ ନିର୍ଯାତନା ଦେଉଛନ୍ତି। ସେପଟେ ଆଇଆଇସିମାନେ ଅତି କମ୍ରେ ୩ଟି ଗୁରୁତ୍ୱପୂର୍ଣ୍ଣ ମାମଲା ବୁଝିବା କଥା। ହେଲେ ଏହି ନିୟମ କାର୍ଯ୍ୟକାରୀ ହେଉନାହିଁ ବୋଲି ରାଧାନାଥ କହିଛନ୍ତି।
